ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ

କେନ୍ଦ୍ରାପଡା ୧୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ପବିତ୍ର ମକର ସଂକ୍ରାନ୍ତି ଓ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ପାଇଁ ଆଜି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି। ମନ୍ଦିରରେ ଦିନତମାମ୍ ଶ୍ରଦ୍ଧାଳୁଙ୍କର ନାହିଁନଥିବା ଭିଡ ଦେଖା ଦେଇଛି। ଗତକାଲି ରାତିରେ ଆରମ୍ଭ ହୋଇଥିବା ନବାଙ୍ଗ ବେଢା ପରିକ୍ରମା ଉତ୍ସବ ଆଜି ସଂଧ୍ୟାରେ ଶେଷ ହୋଇଛି।

ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ ଆଜି ସକାଳ ସାଢେ ୫ଟା ସମୟରେ ମନ୍ଦିରର ପହୁଡ ଫିଟାଯାଇ ମଙ୍ଗଳ ଆରତୀ କରାଯାଇଥିଲା। ସକାଳ ସାଢେ ୬ଟା ସୁଦ୍ଧା ନୀତିସ୍ନାନ କରାଯାଇ ସାଢେ ୭ଟା ବେଳେ ଶ୍ରୀଜୀଉମାନଙ୍କୁ ଗୋପାଳ ବଲ୍ଲଭ ଧୂପ ଅର୍ପଣ କରାଯିବା ବେଳକୁ ମନ୍ଦିର ବେଢାରେ ଭିଡ ଜମି ଯାଇଥିଲା। ଅପରାହ୍ନ ସାଢେ ୩ଟା ସମୟରେ ମକର ବେଢା ପରିକ୍ରମାର ଯୋଗାଡ ଆରମ୍ଭ ହୋଇଥିଲା। ମନ୍ଦିର ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୃତ କରାଯାଇଥିବା ୮୪ ମକର ଭୋଗକୁ ମହାଲକ୍ଷ୍ମୀଙ୍କ ଭଣ୍ଡାର ଘରକୁ ନିଆଯାଇଥିଲା। ଏହାପରେ ବଡପଣ୍ଡା ସାହି, ଚର୍ଚେଇତ ସାହି, କରସାହି ଓ ସୁଆର ସାହିର ୪ ସେବାୟତ ୪ଟି ରୂପା ଥାଳିରେ ୮୪ ପ୍ରକାରର ବ୍ୟଞ୍ଜନ ନେଇ ମହାପ୍ରଭୁଙ୍କ ଶ୍ରୀଚରଣକୁ ଯାଇଥିଲେ। ସେଠାରେ ଆଜ୍ଞାମାଳ ପ୍ରାପ୍ତ କରିବାପରେ ଏକ ସୁସଜ୍ଜିତ ପଟୁଆର ଭିତରେ ବ୍ୟଞ୍ଜନ ଥାଳିଗୁଡିକୁ ମୁଣ୍ଡରେ ଧରି ସେବାୟତମାନେ ବେଢା ପରିକ୍ରମା ଆରମ୍ଭ କରିଥିଲେ। ବେଢା ଭିତରେ ଥିବା କୀର୍ତ୍ତନ ଦଳ ଗୁଡିକ ଏହି ପଟୁଆରକୁ ପାଛୋଟି ନେଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ପଟୁଆର ପଛରେ ବେଢା ପରିକ୍ରମା କରିଥିଲେ। ନବାଙ୍କ ବେଢା ପରିକ୍ରମା ଭିତରୁ ଗତକାଲି ୫ଥର ବେଢା ପରିକ୍ରମା କରାଯାଇଥିବାରୁ ଆଜି ଆଉ ୪ଥର ବେଢା ପରିକ୍ରମା କରାଯାଇଥିଲା। ଏହା ପରେ ୮୪ ବ୍ୟଞ୍ଜନକୁ ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଥିଲା। ବ୍ୟଞ୍ଜନ ଅର୍ପଣ ପରେ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଲାଗିରହିଥିଲା। ରାତି ପ୍ରାୟ ୧୧ଟାବେଳେ ଶ୍ରୀଜୀଉମାନଙ୍କୁ ବଡ ସିଂହାର ବେଶ କରାଯାଇ ପହୁଡ ପକାଯାଇଥିଲା। ଆଜି ଦିନତମାମ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କ ସଂଖ୍ୟା ଲକ୍ଷାଧିକ ଥିଲା ଥିବାର ଦେଖାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ବାପଘର ଲୋକଙ୍କ ସହ ମାସ ପୁଷଟିଏ ବିତାଇବା ପରେ ଦେବୀ ମହାଲକ୍ଷ୍ମୀ ମକର ସଂକ୍ରାନ୍ତିର ପୂର୍ବ ସଂଧ୍ୟାରେ ଶ୍ରୀମନ୍ଦିରକୁ ଫେରିଥାଆନ୍ତି। ଏଇ ମାସଟିଯାକ ମହାପ୍ରଭୁ ଦେବୀଙ୍କ ସେବାରୁ ବଂଚିତ ରହିଥିବାରୁ ପୁଷମାସରେ ମହାପ୍ରଭୁଙ୍କ ମାଉସୀ ଶ୍ରୀଜୀଉମାନଙ୍କୁ ପ୍ରତିଦିନ ଶାଗ, ମିଷ୍ଟାନ୍ନ, ଓ ପୋଡପିଠା ତିଆରି କରି ଖୁଆଇ ଥାଆନ୍ତି। ଶ୍ରୀବଳଦେବଜୀଉ ମନ୍ଦିରର ଏହି ଅବସରରେ ପୋଡପିଠା, ଖିରି, ପୁରୀ ପ୍ରଭୃତି ସ୍ୱତନ୍ତ୍ର ପକୁଡି ଭୋଗ କରାଯାଇଥାଏ। ତୁଳସୀ କ୍ଷେତ୍ର ଓ ଏହାର ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମାସଟିଯାକ ପକୁଡି ଧୂପଭୋଗ ସମୟର ହାଡଭଙ୍ଗା ଶୀତ ସତ୍ତ୍ୱେ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଆସି ମାନସିକ ଭୋଗ ଅର୍ପଣ କରିଥାଆନ୍ତି। ମକରର ପୂର୍ବଦିନ ମହାଲକ୍ଷ୍ମୀ ଫେରିବା ପରେ ବାପଘରୁ ଆଣିଥିବା ୮୪ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ମନ୍ଦିର ବେଢାର ୫ଥର ପ୍ରଦକ୍ଷିଣ କରିଥାଆନ୍ତି। ମକର ସଂକ୍ରାନ୍ତିରେ ପରମ୍ପରା ମୁତାବକ ଦେବୀ ୮୪ ବ୍ୟଞ୍ଜନ ସହ ଆଉ ୪ଥର ବେଢା ପ୍ରଦକ୍ଷିଣ କରିବାପରେ ନବାଙ୍କ ବେଢା ପ୍ରଦକ୍ଷଣ ଉତ୍ସବ ଶେଷ ହୋଇଥାଏ। ପ୍ରବାଦ ଅଛି ନବାଙ୍କ ବେଢା ପରିକ୍ରମା ଉତ୍ସବ ଦେଖିଲେ ପିତୃ ପୁରୁଷମାନଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ମକର ସଂକ୍ରାନ୍ତି ଉପଲକ୍ଷେ ଭିଡକୁ ଲକ୍ଷ୍ୟକରି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମନ୍ଦିର ମଧ୍ୟରେ ଏତେ ଭିଡ ଥିଲାଯେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡିଥିଲା। କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଟାଉନ୍ ଥାନା ଅଧିକାରୀ ଦାମୁ ପରଜାଙ୍କ ସମେତ ପ୍ରାୟ ୩ପ୍ଲାଟୁନ୍ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ପରିସରରେ ମୃତୟନ ହୋଇଥିଲେ।

Leave a Reply

Your email address will not be published. Required fields are marked *