ଶ୍ରୀବଳଦେବଜୀଉଙ୍କ କାଂଚିକାବେରୀ ବେଶ

କେନ୍ଦ୍ରାପଡା ୨୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ପବିତ୍ର ବସନ୍ତ ପଂଚମୀ ଅବସରରେ ତୁଳସୀ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ବଳଦେବଜୀଉ, ସାନୁଜ ଜଗନ୍ନାଥ ଧଳାଘୋଡା ଓ କଳାଘୋଡା ଉପରେ ଚଢି କାଂଚି ଅଭିଯାନରେ ବାହାରିଛନ୍ତି। ଯାହାକି କେବଳ ଶ୍ରୀ ପଂଚମୀ ଦିନ ତୁଳସୀ କ୍ଷେତ୍ରରେ କରାଯାଇଥାଏ। ଆଜି ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟାଯାଇ ମଙ୍ଗଳ ଆଳତୀ କରାଯିବାପରେ ଅବକାଶ ନୀତି ବଢିଥିଲା। ଏହାପରେ ଶ୍ରୀଜୀଉମାନେ ନୂତନ ବସ୍ତ୍ର ପରିଧାନ କରି କରପଲ୍ଲବ ବେଶରେ ସଜ୍ଜିତ ହୋଇଥିଲେ। ଦିନ ୧୧ଟାରେ ଖେଚୁଡି ଧୂପ ବଢିବାପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ନୂତନ ଶୁକ୍ଳ ବସ୍ତ୍ର ପରିଧାନ କରାଯାଇ ଅବିର ଲାଗି କରାଯାଇଥିଲା। ଏହା ପରେ ପରେ ଚଣାଖଜା ମଣୋହି ଲାଗି ହୋଇଥିଲା। ପରେ ଦେଉଳରେ ପିଢା ପଡି ଦ୍ୱିପହର ଧୂପ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶ୍ରୀ ଜୀଉମାନଙ୍କର ଉଠାଣି ଅବକାଶ ପରେ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ଧଳାଘୋଡା ଏବଂ ଭ୍ରାତା ଜଗନ୍ନାଥ କଳାଘୋଡାରେ ଉପବେଶନ କରି ଶୋଭା ବର୍ଦ୍ଧନ କରିଥିଲେ। ଜଗନ୍ନାଥଙ୍କ ବାମପଟେ ମାଣିକ ଗଉଡୁଣି ଶ୍ରୀଜଗନ୍ନାଥଙ୍କୁ କଉଡି ମାଗିବା ଦୃଶ୍ୟ ଅତ୍ୟନ୍ତ ଦୁର୍ଲଭ ଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଏହି ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭୀଡ ଲାଗି ରହିଥିଲା। ସନ୍ଧ୍ୟା ଆଳତୀ ପରେ ମଣି ବିମାନରେ ଶ୍ରୀଜୀଉଙ୍କ ବିଜେ ପ୍ରତିମା ଶ୍ରୀ ଗୋବିନ୍ଦଜୀଉ ବସନ୍ତ ବଗିଚାକୁ ଗମନ କରିଥିଲେ ଏବଂ ସେଠାରେ ଶ୍ରୀଜୀଉଙ୍କୁ ଅବିର ଓ ପଂକ୍ତି ଭୋଗ ଲାଗି କରାଯିବା ପରେ ସେଠାରୁ ବସନ୍ତ ପବନ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଣୁ ଦୀର୍ଘ ତିନିମାସ ପରେ ଆଜି ପ୍ରଥମ ଥର ପାଇଁ ଶ୍ରୀଜୀଉ ଶୁକ୍ଳ ବସ୍ତ୍ର ପରିଧାନ କରି ବଡଶୃଙ୍ଗାର ବେଶରେ ଭକ୍ତମାନଙ୍କୁ ଦେଖାଦେଇଥିଲେ। ଏହି ଅବସରରେ ମନ୍ଦିର ବେଢା ମଧ୍ୟରେ ବଡସିଂହାର ଭଜନ ସମିତି ପକ୍ଷରୁ ଚିତାକର୍ଷକ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *