ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତିଙ୍କୁ ଆକ୍ଷେପ ହିନ୍ଦୁ ଧର୍ମର ପରିପନ୍ଥି : ‘ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱର ସର୍ବଶ୍ରେଷ୍ଠ ସଂସ୍କୃତି’ ଆଲୋଚନା ଚକ୍ର

ଖୋର୍ଦ୍ଧା ୧୬-୯ (ଓଡ଼ିଆ ପୁଅ): ସ୍ଥାନୀୟ ଗାନ୍ଧୀ ପଡିଆ ସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ‘ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱର ସର୍ବଶ୍ରେଷ୍ଠ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ସ୍ମୃତି ସଂସଦର ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦର ରାଜ୍ୟ ସଭାପତି ତଥା ପୁରୀ ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ସଂସ୍କୃତି। ଶ୍ରୀଜଗନ୍ନାଥ ପରମ୍ପରାର ଆଦ୍ୟ ସେବକ ଗଜପତି ଜଣେ ବ୍ୟକ୍ତି ନୁହଁନ୍ତି, ଗଜପତି ଏକ ପୀଠ ବା ଅନୁଷ୍ଠାନ। ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ବିଷୟରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ନିଷ୍ପତି କେବଳ ଶ୍ରୀଗୋବର୍ଦ୍ଧନ ପୀଠାଧିଶ୍ୱର ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କର ହିଁ ରହିଛି। ଶ୍ରୀମନ୍ଦିର ପରମ୍ପରାରେ ଏହା ସର୍ବମାନ୍ୟ। ମାନ୍ୟବର ଓଡିଶା ହାଇକୋର୍ଟ ଏହାକୁ ମଧ୍ୟ ସମର୍ଥନ ଦେଇଛନ୍ତି। ବାବା ବଳିଆ ଶ୍ରୀଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଭାବରେ ଯଦି କିଛି ପରମ୍ପରାରେ ପରିବର୍ତନ ଚାହୁଁଥିଲେ ସେ ତାଙ୍କର ମତାମତ ଗଣମାଧ୍ୟମକୁ ନଦେଇ ହିନ୍ଦୁ ଜଗତର ସର୍ବମାନ୍ୟ ଗୁରୁ ତଥା ଶ୍ରୀମନ୍ଦିର ପଣ୍ଡିତ ସଭାର ଅଧ୍ୟକ୍ଷ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦେଇଥିଲେ ଧାର୍ମିକ ଦୃଷ୍ଟିକୋଣରୁ ଠିକ୍ ହୋଇଥାନ୍ତା। ଇନ୍ଦ୍ରଦୁ୍ୟମ୍ନ ମହାରାଜାଙ୍କ ସମୟରୁ ଚଳିଆସୁଥିବା ପାଲିଙ୍କି ସେବା ପରମ୍ପରା ବର୍ତମାନର ସାମାଜିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତନ କରାଯାଇପାରେ। କିନ୍ତୁ ଏହା କେବଳ ଜଗତ୍ ଗୁରୁ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଶ୍ରୀମନ୍ଦିର ଭକ୍ତ ସମାଜ ଚାହିଁଲେ ସମ୍ଭବ ହୋଇପାରିବ। ଗଜପତି ମହାରାଜ ବାହୁଡା ଦିନ ମଟର ଯାନରେ ବଳଗଣ୍ଡି ପର୍ଯ୍ୟନ୍ତ ଯାଇ ବିଧିରକ୍ଷା ପାଇଁ ତାମଜାନରେ କେବଳ ପରମ୍ପରା ରକ୍ଷା କରିବାକୁ ବାହୁଡା ଯାତ୍ରାରେ ଛେରା ପହରାକୁ ଯାଇଥାନ୍ତି। ଏପରିକି ଲକ୍ଷ୍ମୀନାରାୟଣ ଭେଟଦିନ ଗଜପତି ଶ୍ରୀନଅରରୁ ପାଦରେ ଚାଲି ଚାଲି ଆସିଥାନ୍ତି। ସେହିପରି ଅନ୍ୟଦିନ ମାନଙ୍କରେ ଗଜପତି ମହାପ୍ରଭୂଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ମଟର ଯାନରେ ଯାଇଥାନ୍ତି। ତେଣୁ ପାଲିଙ୍କି ସେବା ବନ୍ଦ ହେଲେ ଶ୍ରୀଜଗନ୍ନାଥ ଭକ୍ତ ସମାଜ ମନରେ ଯଥେଷ୍ଟ ଆଘାତ ଦେବ। ମୁଖ୍ୟ ବକ୍ତା ଭାବରେ ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସଭାପତି ଅଜିତ୍ ପଟ୍ଟନାୟକ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତିର ମହାନତା ଉପରେ ବିଶ୍ଳେଷଣ କରି କହିଲେ ବାବା ବଳିଆଙ୍କ ଏଭଳି ବିଭ୍ରାନ୍ତିକର ଯୁକ୍ତି ଭିତିହୀନ। ଏହା ତାଙ୍କର ମୂର୍ଖତା, ଅଜ୍ଞତା ତଥା ଔଦ୍ଧତ୍ୟର ପରିଚୟ। ବିଶେଷତଃ ଏଭଳି ମନ୍ତବ୍ୟ ଦେଇ ହିନ୍ଦୁତ୍ୱର ଭାବାଦେଗକୁ କୁଠାରଘାତ କରାଯିବା ଉଚିତ୍ ନୁହେଁ ଏବଂ ହିନ୍ଦୁମାନେ ହିନ୍ଦୁଧର୍ମର ବିରୋଧ ନ କରନ୍ତୁ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ଜିଲ୍ଲା ସଂପାଦକ ହରିଚରଣ ଦାଶ, ଶିକ୍ଷାବିତ୍ ରାଜକିଶୋର ସାହୁ, ବରିଷ୍ଠ ଆଇନ୍ ଜୀବୀ ନୃସିଂହ ପ୍ରସାଦ ମିଶ୍ର, ସମାଜସେବୀ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସୌଦାମିନୀ ପଟ୍ଟନାୟକ, ଡା. ଯୋଗେନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାମନ୍ତରାୟ, ସନ୍ତୋଷ ଷଡଙ୍ଗୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରି କହିଲେ ବାବା ବଳିଆଙ୍କ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ସେ ପ୍ରତ୍ୟାହାର କରିନେବା ଉଚିତ। ନଚେତ ଏହାକୁ ଦୃଢ଼ ଭାବରେ ଦମନ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉ। କାର୍ଯ୍ୟକ୍ରମ ଶେଷରେ ସ୍ମୃତି ସଂସଦର ଟ୍ରଷ୍ଟି ଶିକ୍ଷାବିତ୍ ଡଃ ବୃନ୍ଦାବନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *