ଶ୍ରୀକୃଷ୍ଣଙ୍କ ଜନ୍ମବୃତ୍ତାନ୍ତ

– ଦେବପ୍ରସାଦ ମିଶ୍ର

ପରମ କୃଷ୍ଣଭକ୍ତ ଦିବ୍ୟଜ୍ଞାନପ୍ରାପ୍ତ ଭକ୍ତିର ଅବତାର ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ଶ୍ରମଦ୍ ଭାଗବତର ପଞ୍ଚମ ସ୍କନ୍ଧ ଗୋପଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମର ବର୍ଣ୍ଣନା କରିବାକୁ ଯାଇ ଲେଖିଲେ-

“ଦିଶଇ ଶଂଖ ଚକ୍ର ତେଜ ମର୍କତ ସ୍ତମ୍ଭ ଚତୁର୍ଭୁଜ॥
ଗଦା କମଳ ଶଂଖ ଚକ୍ର ଅଧର ଓଷ୍ଠ ରଙ୍ଗ ନେତ୍ର॥
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ ରତ୍ନ ପାଦୁକା ବେନି ପ୍ରାୟେ॥
ଅପୂର୍ବ ରୂପ ଯୋଗେଶ୍ୱର ଦେବ ମାନବେ ଅଗୋଚର॥
ଦେବକୀ ପ୍ରସବିଣ ସୂତ ଶ୍ରମେ ହୋଇଲା ମୁରୁଛିତ॥
ପଛେ ଯେ ବସୁଦେବ ଥିଲା କୃଷ୍ଣ ରୂପକୁ ଅନାଇଲା॥
ଧୀରେ ଚାହିଁଲା ବସୁଦେବ ଦେଖିଲା ଅନାଦି ମାଧବ॥
କ୍ଷଣେ ରହିଲା ସ୍ଥିର ହୋଇ କୃଷ୍ଣଙ୍କୁ ଦେଖି ବିଚାରଇ॥
ପୁଣି ହରିଲେ ହରି ଜ୍ଞାନ ଚକିତେ ବିଚାରଇ ମନ॥

ଞ୍ଚଞ୍ଚଞ୍ଚ

ଶୀତଳ ବହଇ ପବନ ଦେବକୀ ପାଇଲା ଚେତନ॥
ଚକ୍ଷୁ ଫେଡ଼ିଣ ଚାହେଁ ଧୀର ଯେହ୍ନେ ଉଦୟ ନିଶାକର॥
ଚାହିଁଲା ପୁତ୍ରର ବଦନ ଚକିତେ ହୁଏ ଛନ୍ନ ଛନ୍ନ॥
ଅପୂର୍ବ କାହୁଁ ଏ ଅଇଲା ଜଗତେ କାହିଁ ନ ଦେଖିଲା॥
ଏ ତ ପୁରୁଷଙ୍କ ଉତ୍ତମ କି ଅବା ପ୍ରଭୁ ଭଗବାନ॥
ଆନନ୍ଦମୂକ ଜ୍ଞାନମୟ ଦେଖି ପାଇଲା ଦେବୀ ଭୟ॥
ବିକଳେ ବେନି କର ଯୋଡ଼ି ହା କୃଷ୍ଣ ବୋଲି ପାଦେ ପଡ଼ି॥
ଚଞ୍ଚଳ ମନ କରି ସ୍ଥିର ଦେବକୀ କହଇ ଉତ୍ତର॥
ଭୋ ନାଥ ନିସ୍ତରିଲି ମୁହିଁ ତୋହର ଆଦି ଅନ୍ତ ନାହିଁ॥
ମନ ବଚନେ ହେଁ ନ ପାଇ ପ୍ରସନ୍ନ ହୁଅ ନାଥ ତୁହି॥
ଜ୍ୟୋତି ସ୍ୱରୂପ ନିରଞ୍ଜନ ପୁଣ୍ୟ ନିର୍ମଳ ଦିବ୍ୟ ଜ୍ଞାନ॥
ଦେବେ ଗୋଚର ନୋହେ ଯେହୁ ଅଧ୍ୟାତ୍ମ ଦିବ୍ୟ ମହାବାହୁ॥

ଶ୍ରୀକୃଷ୍ଣଙ୍କ ଜନ୍ମବୃତ୍ତାନ୍ତ ଯେପରି ବିସ୍ମୟକର, ସେହିପରି ଚମକ୍ରାର। ଶ୍ରୀକୃଷ୍ଣଙ୍କ ବଂଶାବଳୀ ମଧ୍ୟ ସେହିପରି ବିଚିତ୍ର ଓ ବିସ୍ମୟକର। ଯଦୁବଂଶର ପ୍ରସିଦ୍ଧ ନରପତି ବସୁଦେବଙ୍କ ପତ୍ନୀ ଦେବକୀଙ୍କ ଅଷ୍ଟମ ଗର୍ଭଜାତ ପୁତ୍ର ଶ୍ରୀକୃଷ୍ଣ ଓ ତାଙ୍କର ବୈମାତ୍ରେୟ ଭ୍ରାତା ବଳରାମ ଉଭୟ ଏକତ୍ର ଭଗବାନ ବିଷ୍ଣୁଙ୍କ ଊନବିଂଶ ଅବତାର ବୋଲି ଶ୍ରୀମଦ୍ ଭାଗବତରେ ଉଲ୍ଲିଖିତ ଅଛି। ମାତ୍ର ମତାନ୍ତରରେ କୁହାଯାଇଛି ଯେ, ରାମ (ବଳରାମ) ଓ କୃଷ୍ଣ ଯଥାକ୍ରମେ ଭଗବାନଙ୍କର ଊନବିଂଶ ଓ ବିଂଶ ଅବତାର। ଏହା ଗରୁଡ଼ ପୁରାଣରେ ଉଲ୍ଲିଖିତ ଅଛି। କଳ୍ କୀ ପୁରାଣରେ କୁହାଯାଇଛି, କୃଷ୍ଣ ଓ ବଳରାମ ଯଥାକାଳରେ ବିଷ୍ଣୁଙ୍କ ସପ୍ତମ ଓ ଅଷ୍ଟମ ଅବତାର ଓ ଏହା ତାତ୍ପର୍ଯ୍ୟପୂର୍ଣ୍ଣ। ଗର୍ଗ ସଂହିତାରେ କୁହାଯାଇଛି ଯେ ଭଗବାନ କୃଷ୍ଣଙ୍କର ଛଅ ପ୍ରକାରର ଅବତାର ହୋଇଥିଲା। ପ୍ରଥମ ମରୀଚି ପ୍ରଭୃତି ଋଷିଗଣ ଭଗବାନଙ୍କ ଅଂଶାଶାବତାର।ବ୍ରହ୍ମାଦି ଦେବଗଣ ହେଉଛନ୍ତି ଅଂଶାବତାର। କପିଳ, କୁର୍ମ ପ୍ରଭୃତି ବଳାବତାର। ପରଶୁରାମ ଆବେଶାବତାର। ନୃସିଂହ, ଦାଶରଥି, ରାମ, ନର ନାରାୟଣ ଏମାନେ ପୂର୍ଣ୍ଣାବତାର। ଶ୍ରୀକୃଷ୍ଣ ସ୍ୱଂୟ ପରିପୂର୍ଣ୍ଣାବତାର।

ଶ୍ରୀକୃଷ୍ଣ ଭାଦ୍ରବ ମାସ କୃଷ୍ଣାଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ର ଯୁକ୍ତ ଝଟିକା ପୂର୍ଣ୍ଣ ରାତ୍ରରେ ଜନ୍ମ ଗ୍ରହଣ କରିଥିଲେ। କଥିତ ଅଛି, ବସୁଦେବ ଯେତେବେଳେ ଦେବକୀଙ୍କୁ ବିବାହ କରି ନିଜଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ସେତେବେଳେ ଦେବକୀଙ୍କ ଖୁଲ୍ଲତାତ ପୁତ୍ର କଂସ ସେମାନଙ୍କ ରଥର ସାରଥି ହୋଇ ରଥ ଚାଳନା କରୁଥିଲେ। ସେହି ସମୟରେ ଏକ ଆକାଶବାଣୀ ହେଲା- “ରେ କଂସ ! ତୁ ଯାହାକୁ ରଥରେ ବହନ କରି ନେଇ ଚାଲିଛୁ, ତାହାର ଅଷ୍ଟମ ଗର୍ଭର ସନ୍ତାନ ତୋତେ ବିନାଶ କରିବ।” ଏହି ଦୈବବାଣୀ ଶୁଣି କଂସ ସଙ୍ଗେ ସଙ୍ଗେ ଦେବକୀଙ୍କୁ ବଧ କରିବା ପାଇଁ ତାଙ୍କର କେଶାକର୍ଷଣ କଲା। ବସୁଦେବ ଏହି ଆକସ୍ମିକ ବିପଦରେ କିଂକତ୍ତବ୍ୟବିମୂଢ଼ ହୋଇ କଂସକୁ କହିଲେ- “ଏହି ଦୈବବାଣୀ ଅନୁସାରେ ଦେବକୀର ଗର୍ଭଜାତ ସନ୍ତାନ ତୁମର ଅନିଷ୍ଟ କରିବ। ମାତ୍ର ସ୍ୱୟଂ ଦେବକୀ ତୁମର କିଛି ଅନିଷ୍ଟ କରିବାର ତ ଆଶଙ୍କା ନାହିଁ। ତେବେ ତୁମେ ଦେବକୀର ପ୍ରାଣ ସଂହାର କରିବ କାହିଁକି ? ତତ୍ ପରିବର୍ତ୍ତେ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ଦେବକୀଙ୍କ ଗର୍ଭଜାତ ସମସ୍ତ ସନ୍ତାନଙ୍କୁ ମୁଁ ତୁମ ହସ୍ତରେ ସମର୍ପଣ କରିବି।”

କଂସ ବସୁଦେବ ଠାରୁ ଏ ପ୍ରକାର ପ୍ରତିଶ୍ରୁତି ପାଇ ବସୁଦେବ ଓ ଦେବକୀଙ୍କୁ ତାଙ୍କ ଘରେ ଛାଡ଼ିଦେଇ ନିଜ ଘରକୁ ଫେରି ଆସିଲା। କିଛି କାଳ ପରେ ଦେବକୀ “କୀର୍ତ୍ତିମାନ’ ନାମରେ ପ୍ରଥମେ ଏକ ପୁତ୍ର ପ୍ରସବ କଲେ। ପୂର୍ବ ପ୍ରତିଶ୍ରୁତି ଅନୁସାରେ ବସୁଦେବ ସେହି ପୁତ୍ରକୁ କଂସ ହାତରେ ସମର୍ପଣ କରି ଦେଲେ। କଂସ ଏ ସନ୍ତାନର କୌଣସି ଅନିଷ୍ଟ ନ କରି ବସୁଦେବଙ୍କ ହସ୍ତରେ ପତ୍ୟାର୍ପଣ ପୂର୍ବକ କହିଲେ- “ଏ ସନ୍ତାନଠାରୁ ମୋର କୌଣସି ଅନିଷ୍ଟର ଆଶଙ୍କା ନାହିଁ। ଦେବକୀଙ୍କର ଅଷ୍ଟମ ଗର୍ଭଜାତ ସନ୍ତାନ ହିଁ ମୋର ବିନାଶର କାରଣ ହେବ।”

ଏଥିମଧ୍ୟରେ ନାରଦ ଆସି ଉପସ୍ଥିତ ହୋଇ କଂସକୁ କହିଲେ, “ତୁମକୁ ବଧ କରିବା ପାଇଁ ସ୍ୱୟଂ ବିଷ୍ଣୁ ଦେବକୀ ଗର୍ଭରେ ଜନ୍ମଗ୍ରହଣ କରିବେ। କଂସ ଏ କଥା ଶୁଣିଲା ମାତ୍ରେ ବସୁଦେବ ଓ ଦେବକୀଙ୍କୁ ଧରିଆଣି ଶୃଙ୍ଖଳବଦ୍ଧ କରି ବନ୍ଦୀ କରି ରଖିଲେ। ଦେବକୀଙ୍କ ଗର୍ଭଜାତ ସାତୋଟି ସନ୍ତାଙ୍କର ଶେଷାବସ୍ଥାନ ପରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜାତ ହେଲେ। ତାଙ୍କୁ କଂସ ବଦ୍ଧ କରିବା ଜାଣି ବସୁଦେବ ଝଟିକା ପୂର୍ଣ୍ଣ ରାତ୍ରିର ଅର୍ଦ୍ଧଭାଗରେ ଶିଶୁକୁ ଧରି ଯମୁନା ନଦୀର ଅପର ପାଶ୍ୱର୍ରେ ବ୍ରଜପୁରରେ ଉପସ୍ଥିତ ହେଲେ। ସେତେବେଳେ ସେହି ରାତ୍ରିରେ ନନ୍ଦରାଜାଙ୍କ ପତ୍ନୀ ଯଶୋଦା ଗୋଟିଏ କନ୍ୟା ପ୍ରସବ କରିଥିଲେ। ବସୁଦେବ ନିଜ ପୁତ୍ରକୁ ଯଶୋଦାଙ୍କ କୋଳରେ ସମର୍ପଣ କରି ତାଙ୍କ କୋଳରୁ କନ୍ୟାଟିକୁ ଆଣି ସେହିଭଳି ଯମୁନା ନଦୀ ପାର ହୋଇ ଦେବକୀଙ୍କ କୋଳରେ ରଖିଦେଲେ। ଯଥାକାଳରେ କଂସ ଦେବକୀର ଅଷ୍ଟମ ଗର୍ଭଜାତ ଶିଶୁ ଜନ୍ମର ସମ୍ବାଦ ପାଇ କାରାଗୃହରେ ଉପସ୍ଥିତ ହେଲା ଏବଂ ତୁରନ୍ତ ସେହି କନ୍ୟାକୁ ବଧ କରିବା ପାଇଁ ଉଦ୍ୟତ ହେଲା। ଦେବକୀ ଅତି କାତର ଭାବରେ ଭାଇ କଂସ ପାଖରେ କନ୍ୟାର ପ୍ରାଣଭିକ୍ଷା କଲେ। କିନ୍ତୁ କଂସ ତିଳେମାତ୍ର କର୍ଣ୍ଣପାତ ନ କରି ସେହି ଶିଶୁକନ୍ୟାକୁ ବଳପୂର୍ବକ ଟେକି ନେଇ ପଥର ଉପରେ କଚାଡ଼ି ଦେଲା। ହଠାତ୍ ସେ ଶିଶୁକନ୍ୟା ହସ୍ତ ସ୍ଖଳିତ ହୋଇ ଭୂତଳରେ ନ ପଡ଼ି ଆକାଶମାର୍ଗରେ ଉପରକୁ ଉଠିଗଲା। ଆକାଶମାର୍ଗରୁ ସେହି ଶିଶୁକଂସକୁ ସମ୍ବୋଧନ କରି କହିଲା- “ତୋ’ର ବିନାଶକାରୀ ଅନ୍ୟତ୍ର ଜନ୍ମଗ୍ରହଣ କରି ସାରିଲାଣି। ଅତଏବ ନିଦେ୍ର୍ଦାଶ ଶିଶୁମାନଙ୍କୁ ଆଉ ହତ୍ୟା କରନାହିଁ।” ଏହି କଥା କହି ଶୂନ୍ୟପଥରେ ସେ ଶିଶୁ ଅଦୃଶ୍ୟ ହୋଇଗଲା।

କଂସ ପ୍ରଭୃତି ଅସୁରଗଣଙ୍କ ଅତ୍ୟାଚାରରୁ ପୃଥିବୀକୁ ରକ୍ଷା କରିବା ପାଇଁ ଦେବଗଣଙ୍କ ଅଂଶ ସକଳ ପୃଥିବୀରେ ଜନ୍ମଗ୍ରହଣ କଲେ। ନାରଦ ମର୍ତ୍ତ୍ୟଲୋକକୁ ଆସି କଂସକୁ ସତର୍କ କରାଇ କହିଲେ, “ତୁମ ଅତ୍ୟାଚାରର ଫଳ ରୂପେ ଦେବକୀର ଅଷ୍ଟମ ଗର୍ଭଜାତ ସନ୍ତାନ ତୁମକୁ ନାଶ କରିବ। ଦେବକୀଙ୍କ ବହୁ ସନ୍ତାନ ନିଧନ ପରେ ତାଙ୍କ ସପ୍ତମ ଗର୍ଭସଞ୍ଚାର ହେବାରେ ଯୋଗମାୟା ସେହି ଗର୍ଭରୁ ଆକର୍ଷଣ ପୂର୍ବକ ସପ୍ତମ ସନ୍ତାନକୁ ରୋହିଣୀ ଗର୍ଭରେ ସ୍ଥାପନ କଲେ। ଯଥାସମୟରେ ରୋହିଣୀ ବଳରାମଙ୍କୁ ପ୍ରସବ କଲେ। ଏଣେ ଚାରିଆଡ଼େ ପ୍ରଚାର ହେଲା ଯେ, ଦେବକୀଙ୍କ ସପ୍ତମ ଗର୍ଭ ନଷ୍ଟ ହୋଇ ଯାଇଛି। କଥିତ ଅଛି, ପୃଥିବୀ ଦୈତ୍ୟମାନଙ୍କ ଅତ୍ୟାଚାରରେ ପୀଡ଼ିତା ହୋଇ ପ୍ରତିକାର ପାଇଁ ପ୍ରାର୍ଥନା କରିବାକୁ ଯାଇ ବ୍ରହ୍ମାଙ୍କର ଶରଣାପନ୍ନ ୍ନହେଲେ। ବ୍ରହ୍ମା ସେତେବେଳେ ଅନ୍ୟାନ୍ୟ ଦେବଗଣଙ୍କ ସହିତ ପରାମର୍ଶ କରି ସେମାନଙ୍କୁ ନେଇ ଶ୍ରୀହରିଙ୍କ ସନ୍ନିଧାନରେ ଉପସ୍ଥିତ ହେଲେ ଏବଂ ଦୈତ୍ୟଭାର ନିପୀଡ଼ିତା ବସୁନ୍ଧରାଙ୍କ ଦୁଃଖ ବର୍ଣ୍ଣନା କରି ତାଙ୍କୁ ତା’ର ପ୍ରତିକାର ପାଇଁ ଉପାୟ କରନ୍ତୁ ବୋଲି ପ୍ରାର୍ଥନା କଲେ। ସ୍ୱୟଂ ଭଗବାନ ସେତେବେଳେ ନିଜର କୃଷ୍ଣ ଓ ଶୁକ୍ଳ ବର୍ଣ୍ଣର ଦୁଇକେରା କେଶ ଉତ୍ପାଟନ କରି ଦେବତାମାନଙ୍କୁ କହିଲେ- “ମୋର ଏଇ ଦୁଇ କେଶଗୁଚ୍ଛ ଭୂ-ଭାର ହରଣ ପାଇଁ ପୃଥିବୀରେ ଅବତାର ରୂପେ ଅବତୀର୍ଣ୍ଣ ହେବେ।” ତା’ ସଙ୍ଗେ ସଙ୍ଗେ ସେ ଦେବତାମାନଙ୍କୁ କହିଲେ- “ଆପଣମାନେ ମଧ୍ୟ ନିଜ ନିଜ ଅଂଶରେ ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୈତ୍ୟଗଣଙ୍କ ସହିତ ଯୁଦ୍ଧ କରି ସେମାନଙ୍କ ନିଧନ ସାଧନ କରନ୍ତୁ।”ଶ୍ରୀହରି ଆହୁରି ମଧ୍ୟ କହିଲେ କି ବସୁଦେବ ପତ୍ନୀ ଦେବକୀ ଗର୍ଭରେ ତାଙ୍କର ଏହି କୃଷ୍ଣ କେଶ ଜନ୍ମଗ୍ରହଣ କରି କଂସ ରୂପେ ଜାତ କାଳନେମୀ ଦାନବକୁ ବଧ କରିବେ। ପୃଥିବୀରେ ଧର୍ମ ବିନଷ୍ଟ ହେବା ଦେଖି ସ୍ୱୟଂ ବିଷ୍ଣୁ ଧର୍ମର ସଂସ୍ଥାପନ ଓ ଅସୁରମାନଙ୍କ ବିନାଶ ପାଇଁ ଶ୍ରୀକୃଷ୍ଣ ରୂପେ ପୃଥିବୀରେ ଅବତୀର୍ଣ୍ଣ ହେଲେ।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବୃତ୍ତାନ୍ତର ବହୁ କୌତୁହଳପୂର୍ଣ୍ଣ କାହାଣୀ ଶ୍ରୀମଦ୍ ଭାଗବତ ଓ ଅନ୍ୟାନ୍ୟ ପୁରାଣମାନଙ୍କରେ ବର୍ଣ୍ଣନ ହୋଇ ରହିଛି। ମହାଭାରତର କୁରୁକ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉଦ୍ ବୋଧନ “ଶ୍ରୀମଦ୍ ଭଗବତ୍ ଗୀତା’ ଆକାରରେ ଲିପିବଦ୍ଧ ହୋଇଛି। ଶ୍ରୀକୃଷ୍ଣଙ୍କ ବାଳଲୀଳାର ମଧୁର କାହାଣୀ ଯେପରି ବିଚିତ୍ର, ସେହିପରି ଶିକ୍ଷାପ୍ରଦ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରରେ ସେଇଥିପାଇଁ କହିଥିଲେ-

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ
ଅଭୁ୍ୟତ୍ ଥାନମ୍ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍
ପରିତ୍ରାଣାୟ ସାଧୁନାମ୍ ବିନାଶାୟ ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।”

ତେଣୁ ଏହି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଏହି ପୌରାଣିକ ଉପାଖ୍ୟାନ ପୃଥିବୀ ଓ ନିଜ ଦେଶର ଶାସକ ଓ ଶାସିତ ଉଭୟଙ୍କୁ ଉଦ୍ ବୋଧିତ, ପ୍ରଣୋଦିତ ଓ ସତର୍କିତ କରୁ, ନଚେତ୍ “ସର୍ବେ ହୋଇଣ ଏକମୁଖ, ବୋଲିବା ନାରାୟଣ ରଖ।”

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *