ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଦେବାଳୟ ଚଳଚଞ୍ଚଳ

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ)- ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା। ଏହି ତିଥିରେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହି ଉପଲକ୍ଷେ ଆଜି ସମସ୍ତ ମନ୍ଦିର ଓ ମଠ ମାନଙ୍କରେ ସ୍ୱତନ୍ତ୍ର ପୂଜା ବିଧି କରାଯାଇଥିବା ବେଳେ ଘରମାନଙ୍କରେ ମଧ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆଜି ମଧ୍ୟ ବଳରାମଙ୍କ ଜନ୍ମୋତ୍ସବ ଥିବାରୁ ଲୋକେ ବିଶେଷ କରି ଚାଷୀମାନେ ଗାଈଗୋରୁଙ୍କୁ ବେଶକରି ପ୍ରଣିପାତ ଜଣାଇଛନ୍ତି। ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କ ଠାରୁ ଭାଇମାନେ ରାକ୍ଷୀ ପିନ୍ଧିବାର ପରମ୍ପରା ମଧ୍ୟ ଅନୁଶରଣ କରାଯାଇଛି। ଶ୍ରାବଣ ମାସର ସୋମବାର ମାନଙ୍କରେ ଜଳାଭିଷେକ ହୋଇଥିବା ବେଳେ ଆଜି ପୂର୍ଣ୍ଣିମା ତିଥିରେ ଶିବାଳୟମାନଙ୍କରେ ଏଥିପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ସ୍ଥାନୀୟ ବାଲିବନ୍ଧା ଘାଟରୁ ମହାନଦୀର ଜଳ ନେଇ କାବଡ଼ଧାରୀମାନେ ଶିବାଳୟମାନଙ୍କରେ ଜଳାଭିଷେକ କରିଛନ୍ତି। ଝାଡ଼ୁଆପଡ଼ାର ଶ୍ରୀଶ୍ରୀ ବ୍ରହ୍ମପୁରା, ନିତାଇ ଗୌରାଙ୍ଗ ମଠ ସହିତ ଅନ୍ୟାନ୍ୟ ମନ୍ଦିର ଓ ମଠମାନଙ୍କରେ ରାଧାକୃଷ୍ଣଙ୍କ ଯୁଗଳ ବିଗ୍ରହକୁ ଝୁଲଣରେ ଦେଖିବା ପାଇଁ ଭକ୍ତମାନେ ସମବେତ ହୋଇଥିଲେ। ଏହି ଅବସରରେ ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ଏଥର ମଧ୍ୟ ସଂଚାର କଳା ପ୍ରଦର୍ଶନ ପାଇଁ ସମ୍ବଲପୁର ସହିତ ବିଭିନ୍ନ ଜିଲ୍ଲାର କଳାକାରମାନେ ଅଂଶଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *