ଶ୍ରମ ଶକ୍ତିର ଆଦର ନାହିଁ

ରାୟଗଡା, ୧୩।୪ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଶ୍ରମ ବହୁତବଡ ପୁଞ୍ଜି। ଶ୍ରମିକଙ୍କ ବିନା ବିକାଶ ଅସମ୍ଭବ। ତେବେ ରାୟଗଡା ଭଳି ଶ୍ରମିକ ବହୁଳ ଜିଲାରେ ଶ୍ରମ ଶକ୍ତିର ଆଦର ନାହିଁ। ଯୋଜନା ରହିଛି। କିନ୍ତୁ ଆନ୍ତରିକତା ନାହିଁ। କ୍ଷେତ୍ରରେ ଯୋଜନାର ସଫଳ ରୂପାୟନ ହୋଇପରୁନାହିଁ। ପରିଣାମ ସ୍ୱରୁପ ଏହି ଜିଲାର ଶ୍ରମଶକ୍ତି ବାହାର ରାଜ୍ୟରେ ବ୍ୟବହାର କରି ସୁଫଳ ପାଇପାରୁଥିବାବେଳେ ଏହି ଜିଲାବାସୀ କେବଳ ଜଳକା ହୋଇ ରହିଯାଇଛନ୍ତି।

୭୦ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାର ୫୦ଭାଗ ଲୋକେ ଶ୍ରମକୁ ଜୀବିକା କରି ଜିଇଁଥାନ୍ତି। ଦିନ ମଜୁରିଆଙ୍କ ଠାରୁ ଆରମ୍ଭକରି କୃଷିକ୍ଷେତ୍ର, କଳକାରଖାନା ଆଦି ବିଭିନ୍ନ କର୍ମସଂସ୍ଥାନ ମାନଙ୍କରେ କାମ କରି ଲୋକେ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇଥାନ୍ତି। ତେବେ ଶ୍ରମକୁ ଜୀବିକା କରି ବସବାସ କରୁଥିବା ଶ୍ରମିକଙ୍କୁ ଏହି ଜିଲାରେ କମ ବାହାର ରାଜ୍ୟରେ ଆଦର ଖୁବ ଅଧିକ ରହିଥିବା ପର୍ଯ୍ୟାୟକ୍ରମେ ଜଣାପଡିଛି। କମଠ ହୋଇଥିବାରୁ ମୁଖ୍ୟତ ରାୟଗଡା ଜିଲାର ଶ୍ରମିକଙ୍କ ଚାହିଦା ବାହାର ରାଜ୍ୟରେ ଖୁବବେଶୀ। ଗତ ୩ମାସ ମଧ୍ୟରେ ଜିଲାପାଳଙ୍କୁ ନେଇ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଖୁବ ତତ୍ପରତା ବିଭାଗ ଦେଖାଉଥିବାବେଳେ ପରବର୍ତ୍ତୀ ସମୟରେ ସୁପ୍ତ ହୋଇଯାଉଛି। ତେବେ ଉପଯୁକ୍ତ ତାଲିମ ଓ କର୍ମକ୍ଷେତ୍ରରେ ସେମାନଙ୍କର ବିକାଶର ଚିନ୍ତା ଆଶାନୁରୁପକ ରୂପାୟନ ହୋଇପାରୁନଥିବାରୁ ଶ୍ରମଶକ୍ତି ଧିରେଧିରେ ଜିଲାପ୍ରତି ଆସ୍ଥା ତୁଟାଇବାରେ ଲାଗିଛି।

୨୦୧୧ ଜନଗଣନା ଅନୁଯାଇ ଜିଲାର ଜନସଂଖ୍ୟା ୯ଲକ୍ଷ ୬୭ହଜାର ୯୧୧ କୁହାଯାଉଛି। କିନ୍ତୁ ବିଡମ୍ବନାର କଥାଯେ, କେବଳ ୭୦ହଜାର ନିର୍ମାଣ ଶ୍ରମିକଙ୍କୁ ଏଯାବତ ଚିହ୍ନଟ କରାଯାଇପାରିଛି। ବାକି ଶ୍ରମଜୀବିଙ୍କ ନିକଟକୁ ବିଭାଗ ଯିବାରେ ସମର୍ଥ ହୋଇପାରିନଥିବା ଜିଲା ଶ୍ରମ ଅଧିକାରୀ କହନ୍ତି। ଯୋଜନା ମୁତାବକ ସାଇକଲ ଠାରୁ ଆରମ୍ଭକରି ବିଭିନ୍ନ ସହାୟତା ପ୍ରଦାନ କରଯାଉଛି ସତ କିନ୍ତୁ କ୍ଷେତ୍ରରେ ନିଜ କର୍ମର ଦକ୍ଷତା ବୃଦ୍ଧିପାଇଁ ଉପଯୁକ୍ତ ତାଲିମ ପ୍ରଦାନ ହୋଇପରୁନଥିବାରୁ ପରିବର୍ତ୍ତିତ ଚଳଣୀକୁ ସେମାନେ ଆପଣାଇପାରୁନାହାନ୍ତି। ନିର୍ମାଣ କ୍ଷେତ୍ରରେ ଲୋକଙ୍କ ରୁଚି ବଦଳୀଯାଇଛି। କିନ୍ତୁ ଲୋକଙ୍କ ଆବଶ୍ୟକତାକୁ ଏଠାକାର ଶ୍ରମିକମାନେ ମେଣ୍ଟାଇ ପାରୁନଥିବା ଜଣେ କାଠ କାରିଗର ବି.ନାଗେଶ୍ୱର କହନ୍ତି। ତେଣୁ ରାୟଗଡା ସହର ସମେତ ସମଗ୍ର ଜିଲାକୁ କୂଶଳୀ କାରୀଗରର ଦ୍ୱାହିଦେଇ ବାହାର ରାଜ୍ୟ ମୁଖ୍ୟତ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ କାରୀଗରଙ୍କୁ ଆଣି ଏଠାକାର କାରୀଗରଙ୍କୁ ଦିନ ମଜୁରିଆର ହିସାବରେ ବ୍ୟବହାର କରୁଛନ୍ତି। ପରିଣାମ ସ୍ୱରୁପ ଆବଶ୍ୟକ ରୋଜଗାର ହୋଇନପାରୁଥିବା ଯୋଗୁଁ ନିଜ ପରିବାର, ଗାଁ ଓ ଜିଲା ଛାଡି ବହୁଳ ଭାବେ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପରିଲିଖିତ ହୋଇଛି। ଜିଲାର ମାଟିପାଣି ଓ ପବନକୁ ହଜମକରି ଶ୍ରମିକ ରୂପେ ପ୍ରସ୍ତୁତ ହୋଇଥିବା ଜଣେ ମଣିଷ ବାହାର ରାଜ୍ୟରେ ନିଜର ଶକ୍ତିର ବିନେଯୋଗ କରୁଛନ୍ତି। ଅପରପକ୍ଷରେ ସରକାରୀ ସହାୟତା ଉପରେ ଲାଳାୟତ ହୋଇ ମଞ୍ଚ ନିକଟକୁ ଧାଇଁ ଆସି ପଞ୍ଚିକରଣ କରୁଥିବା ନିର୍ମାଣ ଶ୍ରମିକଙ୍କୁ ବାଦଦେଲେ ଶ୍ରମକୁ ଜିବୀକାକରି ବଞ୍ଚୁଥିବା ଅନ୍ୟାନ୍ୟ କ୍ଷେତ୍ରରେ କାମକରୁଥିବା ଶ୍ରମିକଙ୍କ ଗଣନା ହୋଇପାରିନାହିଁ। ସରକାର ବିଭିନ୍ନ ଯୋଜନା ବାବଦକୁ ସହାୟତା ପହଞ୍ଚାଇବାପାଇଁ ଖୁବ ତତ୍ପର ହୋଇଉଠିଥିବାବେଳେ ବିଭାଗର ଆନ୍ତରିକାତା ଅଭାବରୁ ଏହି ପ୍ରକ୍ରୀୟା ସ୍ଥାଣୁ ହୋଇଯାଇଛି। ଗାଁ ମୁଣ୍ଡରେ କାମ ଯୋଗାଇଦେବାପାଇଁ ଏମଜିଏନଆରଇଜିଏ ଯୋଜନାର ପରିକଳ୍ପନା କରାଯାଇଛି। ୭ଦିନରେ ଥରେ ମଜୁରୀ ମିଳପାରିବା ବୋଲି ନାରା ଦିଆଯାଉଛି। ଗୋଟିଏ କାଶୀପୁର ବ୍ଲକରେ ଶ୍ରମିକଙ୍କ କେତେଯେ ମଜୁରି ଆତ୍ମସାତ ହୋଇଥିବାବେଳେ ବର୍ତ୍ତମାନ ମଣିଷ ନୁହେଁ ବିଭିନ୍ନ ସ୍ଥାନରେ ମ୍ୟାସିନ ଦ୍ୱାରା କାମ ଶେଷକରି ଶ୍ରମିକଙ୍କ ପେଟକୁ ଲାତ ମରାଯଉଛି ବୋଲି କାଶୀପୁର ବ୍ଲକର ସୁଦର୍ଶନ ଝୋଡିଆ କହିଛନ୍ତି। ନକଲି ପାସବହି ଏବଂ ଜାଲ ଦସ୍ତଖତ କରି ଯୋଜନାକୁ ବିକୃତରୂପେ ଦିଆଯାଉଛି। ତେଣୁ ଏହି ରାୟଗଡା ଜିଲାରୁ ସବୁଦିନ ବାହାର ରାଜ୍ୟକୁ ଦାଦନର ସୁଅ ଛୁଟିବାରେ ଲାଗିଛି। ଧରପଗଡ ବେଳେ କେତେକଙ୍କୁ ରେଳ ଷ୍ଟେସନରୁ ଉଦ୍ଧାର କରଯାଉଥିବାବେଳେ ପରବର୍ତ୍ତୀ ସମୟରେ ସେମାନେ ପୁଣି ଚାଲିଯାଉଥିବା ଦାଦନ ଖଟି ଫେରିଥିବା କାଶୀପୁର ଅଞ୍ଚଳର ଜଣେ ବ୍ୟକ୍ତି ଲଇଖନ ମାଝି ଓ ସଲମି ମାଝି କହିଛନ୍ତି। ସବୁଠାରୁ ବିଡମ୍ବନାର କଥା ଜିଲାରେ ମୂଲଲାଗି ଜିଇଁଆସୁଥିବା ଶିଶୁ ଶ୍ରମିକଙ୍କ ଚିହ୍ନଟ ହୋଇପରିନାହିଁ। ମୁଖ୍ୟତ ସହରାଞ୍ଚଳ ହେଉବା ଗ୍ରାମାଞ୍ଚଳ ହେଉ ଘରେ ଘରେ କେତେଯେ ଶିଶୁ କାମ କରୁଛନ୍ତି ତାହାର କଳାନା ମଧ୍ୟ ହୋଇପାରିନାହିଁ। ଫଳସ୍ୱରୁପ ଛାତ୍ରାବାସରେ ରଖି ଶିକ୍ଷାଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବା ଯୋଜନାର ସଫଳ ରୂପାୟନ ହୋଇପରୁନାହିଁ। ସେହିପରି ଜିଲାରେ ପରୋକ୍ଷା ବା ପ୍ରତକ୍ଷ ହେଉ କୃଷିକୁ ବୃତ୍ତିକରି ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ଅଧିକ। ସେମାନଙ୍କ ପ୍ରତିମଧ୍ୟ ସମ୍ମାନ ନାହିଁ। ସେମାନଙ୍କ ବିକାଶ କେବଳ ଅର୍ଥଶ୍ରାଦ୍ଧକରି ଉପଯୋଗିତା ପ୍ରମାଣପତ୍ର ପ୍ରଦାନକୁ ବାଦଦେଲେ କୌଣସି ଯୋଜନା ବା ଅତ୍ୟାଧୁନିକ କୃଷି ବିଷୟରେ ସୂଚନା ଦେବାଭଳି କାର୍ଯ୍ୟକ୍ରମ ଏହି ଜିଲାରେ ହୁଏନାହିଁ। ନିକଟରେ କୃଷକ ସମ୍ପର୍କ ମେଳା ନାମରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ସେଠାରେ କୃଷକଙ୍କ ସଂଖ୍ୟା ଖୁବ ନଗନ୍ୟ ବୋଲି ଜଣେ ଚାଷୀ ଜଗନ୍ନାଥ ଦୋରା କହିଛନ୍ତି। ଚାଷୀ କମ୍‌ମଧ୍ୟସ୍ଥିଙ୍କୁ ନେଇ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିବାବେଳେ ଏହା କେତେଦୂର ଚାଷୀଙ୍କ ଉପକାରରେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ବିଭିନ୍ନ ଯୋଜନା ମୁତାବକ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଇଛି ବୋଲି ଜିଲା ଶ୍ରମ ଅଧିକାରୀ ପିକେ ଭୋଇ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୭୦ହଜାର ଶମିକଙ୍କ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ସରିଥିବା ସେ କହିଛନ୍ତି। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପୂର୍ବରୁ ବିଭାଗକୁ କହି ଯିବାପାଇଁ ପରାମର୍ଶ ଦିଆଯାଉଛି। ଯଦ୍ୱାରା ଆନୁସଙ୍ଗିକ ସୁବିଧା ଉପଲବ୍ଧ ହୋଇପରିବା। ତେବେ ଅତିଶିଘ୍ର ଶ୍ରମିକ ଚିହ୍ନଟ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *