ଜିଲ୍ଲା ପରିକ୍ରମା

ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଧାମରା ବନ୍ଦର ଆଗରେ ବିକ୍ଷୋଭ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନ୍ମାନୀ, ଶ୍ରମିକ ଶେଶଷଣ ନୀତି, କଣ୍ଟ୍ରାକ୍ଟରମାନଙ୍କ ମନୋମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଆଜି ଧାମରା ବନ୍ଦର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ବିକ୍ଷୋଭକାରୀ ମୋଟର ସାଇକେଲ ଶୋଭାଯାତ୍ରାରେ ଜାଗୁଳା, ଧାମରା, ଦୋସିଙ୍ଗା ଆଦି ଅଞ୍ଚଳ ପରିକ୍ରମା କରି ବନ୍ଦର ଫାଟକ ନିକଟରେ ପହଞ୍ଚି ଥିଲେ। ସେଠାରେ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସପନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ମନୋଜ ବସନ୍ତରାୟ ଯୋଗ ଦେଇ ଧାମରା ବନ୍ଦରରେ କାର୍ଯ୍ୟ କରୁଥିବା ବ୍ରିଜ୍ ଆଣ୍ଡ ରୁପ୍ କମ୍ପାନୀର ଠିକାଦାର ଶ୍ରମିକମାନଙ୍କ ଦୀର୍ଘ ଦୁଇ ବର୍ଷ ଧରି ବୋନସ୍ ପ୍ରଦାନ ନ କରିବା ନେଇ ଉଦ୍ବେଗ ପ୍ରକଟ କରିଥିଲେ। କଣ୍ଟ୍ରାକ୍ଟର ତା ଅଧିନରେ ନିୟୋଜିତ କରିଥିବା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରୁନାହିଁ, ୱେଜ୍ ସ୍ଲିପ ପ୍ରଦାନ କରୁନାହିଁ, ଶ୍ରମ ଆଇନ ଅନୁଯାୟୀ ଶ୍ରମିକଙ୍କ କାର୍ଯ୍ୟ କରିବାର ସମୟ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମରେ ଲଗାଇବା ଆଦିକୁ ତୀବ୍ର ବିରୋଧ କରିଥିଲେ। ଏଥି ସହିତ ପି.ଏସ୍.ଏମ୍ (ବୋଟ)ରୁ ନିବୃତ ହୋଇଥିବା ୭ଜଣ କର୍ମଚାରୀଙ୍କ ମଧ୍ୟରୁ ୬ଜଣଙ୍କୁ ଅନ୍ୟକ୍ଷେତ୍ରରେ ପୁନଃ ନିଯୁକ୍ତି କରାଯାଇଥିବା ସ୍ଥଳେ ସଂଜୟ ଜେନାଙ୍କର ପୁନଃ ନିଯୁକ୍ତି ଏ ପର୍ଯ୍ୟନ୍ତ ହେଲା ନାହିଁ। ସେମାନଙ୍କର ବକେୟା ଦରମା ମଧ୍ୟ ପ୍ରଦାନ କରାଗଲା ନାହିଁ। ୪୫ ଦିନ ପରେ ମେରାଇନ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବାକୁ ଦିଆ ଯାଇଥିବା ପ୍ରତିଶୃତି ଅଦ୍ୟାବଧି ପୂରଣ ହୋଇନାହିଁ। ମୁଜିବୁର ଅଲ୍ଲି ଖାଁ ନାମକ କଣ୍ଟ୍ରାକ୍ଟରଙ୍କ ପାଖରେ ମୋରିଂରେ କାର୍ଯ୍ୟରତ ଶ୍ରମିକମାନଙ୍କର କାର୍ଯ୍ୟର ସମୟ ୧୨ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କରିବାକୁ କୁହା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେମାନଙ୍କର ୨୦୧୬ ମସିହାରୁ ବାର୍ଷିକ ଇନ୍କ୍ରିମେଣ୍ଟକୁ ପ୍ରଦାନ କରାଯାଇ ନାହିଁ। ଏସ.ଆଇ.ଏସ. କଣ୍ଟ୍ରାକ୍ଟର ପାଖରେ କାର୍ଯ୍ୟରତ ୪ଜଣ ଭାରତୀୟ ମଜଦୁର ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଏସ୍.ଆଇ.ଏସ୍.ର କଣ୍ଟ୍ରାକ୍ଟ ପରିବର୍ତ୍ତନ ପରେ ସେମାନଙ୍କର ଦରମା ବନ୍ଦ କରିବା ଏବଂ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରାଯିବା ନେଇ ଶ୍ରୀ ବସନ୍ତରାୟ ଆପତ୍ତି ଉଠାଇଥିଲେ। ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ପ୍ରଫୁଲ୍ଲ ସେଠୀ, ସରୋଜ ଜେନା, ଦୀପକ ବେହେରା ପ୍ରମୁଖ ଯୋଗ ଦେଇ ଧାମରା ବନ୍ଦର କମ୍ପାନୀ ଏବଂ ଏହା ଅଧିନରେ ଥିବା ଠିକାଦାର କମ୍ପାନୀ ଗୁଡିକର ଶ୍ରମିକ ଶୋଷଣ ନୀତିକୁ ତୀବ୍ର ବିରୋଧ କରିଥିଲେ। କମ୍ପାନୀ ଆଜିର ଆନ୍ଦୋଳନକୁ ଖାତର ନ କଲେ ଆଗାମୀ ଦିନରେ ବନ୍ଦର କମ୍ପାନୀକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top