ଅନୁଗୁଳ

ଶ୍ରମିକ ବାର୍ତ୍ତା ପକ୍ଷରୁ ‘ଅଂସଗଠିତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର

ତାଳଚେର, ୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶ୍ୱ ଶ୍ରମିକ ଦିବସ ଅବସରରେ ପାକ୍ଷିକ ସମ୍ବାଦପତ୍ର ‘ଶ୍ରମିକ ବାର୍ତ୍ତା’ ପକ୍ଷରୁ ‘ଅଂସଗଠିତ ଶ୍ରମିକଙ୍କ ନିମନ୍ତେ ସାମାଜିକ ସୁରକ୍ଷା’ ଶୀର୍ଷକ ଏକ ଆଲୋଚନାଚକ୍ର ମଙ୍ଗଳବାର ଦିନ ତାଳଚେର ପଂଚାୟତ ସମିତି ସଭାଘରଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲ୍ଲା ନିର୍ମାଣ ମଜଦୁର ସଭା ସୈାଜନ୍ୟରେ ତଥା ‘ଶ୍ରମିକ ବାର୍ତ୍ତା’ର ସମ୍ପାଦକ ଅରେନ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଯୋଗ ଦେଇ ଏହାକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବୀମା ଯୋଜନା ଭଳି ଯୁଗାନ୍ତକାରୀ ତଥା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଶ୍ରମିକ ବାର୍ତ୍ତାର ସମ୍ପାଦକ ଶ୍ରୀ ପାଣି ନିଜର ବକ୍ତବ୍ୟରେ ଶ୍ରମିକମାନେ ସଚେତନ ହେଲେ ନିଜର ହକ୍ ପାଇପାରିବେ ବୋଲି କହିଥିଲେ। ଭାରତର ମୋଟ ଶ୍ରମଜୀବୀଙ୍କ ମଧ୍ୟରୁ ୯୩ ପ୍ରତିଶତ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏଣୁ ସେମାନଙ୍କର ସାମାଜିକ ସୁରକ୍ଷା ନିହାତି ଜରୁରୀ ବୋଲି କହିବାସହ ଏହାର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥିଭାବେ ଭୂଷଣ ଷ୍ଟିଲ ଶ୍ରମିକ ସଭାର କାର୍ଯ୍ୟକାରୀ ସଭାପତି ଗଣେଶ୍ୱର ବିଶ୍ୱାଳ ନିର୍ମାଣ ଶ୍ରମିକ ଆଇନରେ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକର ଅବତାରଣା କରିଥିଲେ। ‘ଶ୍ରମିକ ବାର୍ତ୍ତା’ର ଅନୁଗୋଳ ଜିଲ୍ଲା ପ୍ରତିନିଧି କିଶୋର ଚନ୍ଦ୍ର ରଥ ଏହି ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଶ୍ରୀକାନ୍ତ ପାଣି, ପ୍ରଶାନ୍ତ ସାହୁ, ପର୍ଶୁରାମ ସାହୁ, ବିରେନ ପଟ୍ଟନାୟକ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ଯୋଗ ଦେଇଥିଲେ। ଶେଷରେ ଶ୍ରମିକ ନେତା ପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top