ଜିଲ୍ଲା ପରିକ୍ରମା

ଶୋଚନୀୟ ୫୩ ନମ୍ବର ଜାତୀୟ ରାଜପଥ ;ତୁରନ୍ତ ମରାମତି ଦାବିରେ ଜାତୀୟ ରାଜପଥ ଅଧିକାରୀଙ୍କୁ ଘେରିଲା ସଚେତନ ନାଗରିକ ମଂଚ

ଯାଜପୁର-୧୦/୬(ଓଡିଆ ପୁଅ/ଏ.ରାଉତ) ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ତାଳଚେର ଭୟା ଡୁବୁରୀ-ସୁକିନ୍ଦା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହା ସହିତ ଏହି ଜାତୀୟ ରାଜପଥରେ ଥିବା ବ୍ରାହ୍ମଣୀ ସେତୁର ଅବସ୍ଥା ମଧ୍ୟ ଆଜକୁ ଦୀର୍ଘଦିନ ହେଲା ଅତି ଶୋଚନୀୟ ହୋଇପଡି ଗମନାଗମନରେ ବାଧା ସୃଷ୍ଟି କରିବା ସହିତ ଦୁର୍ଘଟଣା ପ୍ରବଣ ହୋଇ ପଡିଛି। ଯାହା ଫଳରେ ପ୍ରାୟ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଏହି ରାସ୍ତାରେ ଦୁର୍ଘଟଣା ଫଳରେ କାହାର ପରିବାର ଉଜୁଡି ଯାଉଛି ତ କିଏ ଆଜୀବନ ଭିନ୍ନକ୍ଷମ ହୋଇ ପଡିରହୁଛି। ଏ ବିଷୟରେ ବାରମ୍ବାର ବିଭିନ୍ନ ମହଲରୁ ଅଭିଯୋଗ ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଆଦୈା କର୍ଣ୍ଣପାତ କରୁନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲାବେଳେ ଗତ ୩ ମାସ ତଳେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡାଇଙ୍କ ନେତୃତ୍ୱରେ ଗଠିତ ହୋଇଥିବା ‘ସଚେତନ ନାଗରିକ ମଂଚ’ ପକ୍ଷରୁ ଏହି ରାସ୍ତାର ବ୍ରାହ୍ମଣୀ ପୋଲ ନିକଟରେ ଏହି ଜାତୀୟ ରାଜପଥକୁ ଅବରୋଧ କରାଯାଇ ରାସ୍ତା ମରାମତି ପାଇଁ ଦାବି ଉପସ୍ଥାପିତ କରାଯାଇଥିଲା। ଘଟଣା ସ୍ଥଳରେ ଜାତୀୟ ରାଜପଥ ଅଧିକାରୀଙ୍କ ପ୍ରତିନିଧିଙ୍କ ସହିତ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ପ୍ରମୁଖ ପହଂଚି ଆସନ୍ତା ୨ ମାସ ମଧ୍ୟରେ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ। ବିଡମ୍ବନାର ବିଷୟ ପ୍ରତିଶୃତିକୁ ୩ ମାସ ବିତିଥିଲେ ମଧ୍ୟ ମରାମତି କାର୍ଯ୍ୟ ଅଧା ମଧ୍ୟ ସଂପୂର୍ଣ୍ଣ ହେଲା ନାହିଁ। ଫଳରେ ଏହି ରାସ୍ତା ଦେଇ ଭାରିଯାନ ଗତାଗତ କରିବା କଷ୍ଟସାଧ୍ୟ ହୋଇଯାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ତାଳଚେର, ଦୈତାରୀ ଓ କଳିଙ୍ଗ ନଗରରୁ ବହୁ ଭାରୀଯାନ ଭାଇଜାଗ ଓ ପରାଦ୍ୱୀପ ଗତାଗତ କରୁଛି। ରାସ୍ତା ଓ ପୋଲର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାକୁ ନେଇ ଗତ ଶୁକ୍ରବାର ଦିନ ନାଗରିକ ମଂଚ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ଡ. ପ୍ରଫୁଲ୍ଲ ଘଡାଇଙ୍କ ନେତୃତ୍ୱରେ ଏହି ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ତଥା ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜ ଘଡାଇଙ୍କ ସହିତ ବଡଚଣା, ସୁକିନ୍ଦା, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶତାଧିକ ଯୁବକଙ୍କ ସହିତ ବିଭିନ୍ନ ଟ୍ରକ ମାଲିକ ସଂଘର କର୍ମକର୍ତା ଓ ବିଭିନ୍ନ ସମୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କିଛି ପରିବାରର ବିଧବା ମହିଳା ଓ ଭିନ୍ନକ୍ଷମ ସାମିଲ ହୋଇଥିଲେ। ଆଲୋଚନା ସମୟରେ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଥିବା ବ୍ରାହ୍ମଣୀ ପୋଲର ତୁରନ୍ତ ମରାମତି ସହିତ ରାସ୍ତାକୁ ଚାରିଥାକିଆ କରିବା ସହିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଆରମ୍ଭ କରିବାକୁ ଦାବି ହୋଇଥିଲା। ଏହା ସହିତ ଗାଡି ଚଳାଚଳ ସମୟରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ କାର୍ଯ୍ୟ କାହିଁକି ଆରମ୍ଭ ହୋଇନାହିଁ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ଅଂଚଳିକ ଅଧିକାରୀଙ୍କ ସହିତ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ। ଆଲୋଚନା ସମୟରେ ଅଧିକାରୀମାନେ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ମିଳିନଥିବାରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବା ପ୍ରକାଶ କରିଥିଲେ। ଅଧିକାରୀମାନେ ବ୍ରାହ୍ମଣୀ ସେତୁର ସଂପୂର୍ଣ୍ଣ ମରାମତି ଅଗଷ୍ଟ ମାସ ସୁଦ୍ଧା ସରିବ ବୋଲି ପ୍ରତିଶୃତି ଦେଇଥିଲେ। ଅପରପକ୍ଷେ ଯଦି ଅଗଷ୍ଟ ମାସ ସୁଦ୍ଧା ପୋଲର ମରାମତି କାର୍ଯ୍ୟ ନସରେ ତେବେ ଅଗଷ୍ଟ ମାସ ୧୫ ତାରିଖ ପରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଏହି ବିସୟରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡାଇ କୁହନ୍ତି ୫୩ ନମ୍ବର ଜାତୀୟ ରାଜପଥ ୩ଟି ଜିଲାର ଜୀବନ ରେଖା। ଏହି ରାସ୍ତାରରେ ବିପୁଳ ଖଣିଜ ପଦାର୍ଥ ସହିତ ବିଭିନ୍ନ ଶିଳ୍ପାଚଂଳର ମାଲ ପରିବହନ ହେଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ରାଜସ୍ୱ ପାଉଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିର୍ମାଣ କରିବାକୁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯାହା କରିବା ଉଚିତ ନୁହେଁ। ମୁଁ ବ୍ୟକ୍ତିଗତ ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଏ ବିଷୟରେ ପତ୍ର ମାଧ୍ୟମରେ ଅବଗତ କଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି।ବିଧାୟକ ବଡଚଣା ତଥା ଶାସକଦଳ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ କୁହନ୍ତି ଏହି ରାସ୍ତାର ମରାମତି ପାଇଁ କ୍ରମାଗତ ଭାବେ ଦାବି ହୋଇ ଆସୁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ରାସ୍ତାର ମରାମତି ହେଉନଥିବାରୁ ଗ୍ରାମ୍ୟ ରାସ୍ତାରୁ ବି ଶୋଚନୀୟ ହୋଇ ପଡିଛି। ରକ୍ଷଣାବେକ୍ଷଣ ଅଭାବରୁ ବ୍ରାହ୍ମଣୀ ସେତୁ ମଧ୍ୟ କେତେବେଳେ ଭୁସୁଡି ପଡିବ। ବିଭାଗ ଏ ବିଷୟରେ ତୁରନ୍ତ ପଦକ୍ଷେପ ନନେଲେ ଆନଦୋଳନକୁ ତୀବ୍ର କରାଯିବ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜ ଘଡାଇ କୁହନ୍ତି ଅବହେଳା କାରଣରୁ ୫୩ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡିଛି। ମରାମତି ଅଭାବରୁ ଏହି ରାସ୍ତାରେ ଥିବା ବ୍ରାହ୍ମଣୀ ସେତୁ ମଧ୍ୟ ଶୋଚନୀୟ ଅବସ୍ଥାକୁ ଚାଲିଯାଇଛି। ବହୁ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟିବା ସହିତ ଧନଜୀବନ ହାନୀ ହେଉଛି। ଏହି ରାସ୍ତା ଦେଇ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଗତାଗତ କରୁଥିବାରୁ ରାସ୍ତାର ଅବସ୍ଥା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଜନସାଧାରଣଙ୍କ ଦାବିପ୍ରତି କେନ୍ଦ୍ର ସରକାର ଆଖି ବୁଜିଦେବା ଏ ଅଂଚଳ ପ୍ରତି ଅଭିସାପ ଭଳି ହୋଇଛି। ତୁରନ୍ତ ଏ ବିଷୟରେ କେନ୍ଦ୍ର ସରକାର ପଦକ୍ଷେପ ନନେଲେ ଜନ ଆନ୍ଦୋଳନକୁ ତୀବ୍ର କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top