Home ଓଡ଼ିଶା ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର

ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର

167

ଭୁବନେଶ୍ୱର ୧୪-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ନିଜ ତୁଣ୍ଡ ଉପରେ ନିୟଂତ୍ରଣ ରହିଲା ନାହିଁ। ଶେଷରେ ଦଳରୁ ବିଦା ହେଲେ ଦାମୋଦର ରାଉତ୍। ପୂର୍ବରୁ ମଧ୍ୟ ଏଭଳି ଆଚରଣ ପାଇଁ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପୁଣି ଘଟଣା ଚକ୍ରରେ ସେ ଦଳରେ ସାମିଲ ହୋଇ ଥିଲେ ଏବଂ ୨୦୧୪ ନିର୍ବାଚନ ଜିତି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ମନ୍ତ୍ରୀ ହେବାର କିଛି ବର୍ଷ ପରେ ସେ ପୁଣି ତାଙ୍କର ପୁରୁଣା ପ୍ରକୃତିକୁ ଦୋହରାଇଥିଲେ। ସରକାରକୁ କ୍ଷତି ପହଁଚାଇଲା ଭଳି ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦେଇ ଥିଲେ। ତେଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ମନ୍ତ୍ରୀମଣ୍ଡଳରୁ ବିଦା କରିଥିଲେ। ତା ପରେ ସେ ଦଳ ଭିତରେ ଏକ ପ୍ରକାର କଣଠୋସା ହୋଇ ରହି ଯାଇଥିଲେ। ତେଣୁ ଅଣ ନିଶ୍ୱାସୀ ହୋଇ ପଡିଥିବା ଦାମ ନିଜର ରାଜନୈତିକ ସ୍ଥିତି ନେଇ ଏକ ପ୍ରକାର ବିଚଳିତ ହୋଇ ପଡିଥିଲେ।

ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ରହିଛି ଦାମ ବାବୁଙ୍କର। ତେଣୁ ଗତ କିଛି ଦିନ ହେଲା ସେ ଖବର ପାଇ ଯାଇଥିଲେ ଯେ, ସଚିବାଳୟର ତୃତୀୟ ମହଲା ତାଙ୍କ ବିରୁଦ୍ଧରେ କିଛି ଗୋଟାଏ ବୃହତ ଷଡଯଂତ୍ର କରୁଛି। ତାଙ୍କ ପୁଅକୁ ବିଜୁ ଜନତା ଦଳର ସାଧାରଣ ସଂପାଦକ କରାଇବା ଓ ଝିଅଙ୍କୁ ଭୁବନେଶ୍ୱର ମେୟର କରାଇବା ପାଇଁ ପ୍ରତିଶୃତି ଦେବା, ଏ ସମସ୍ତ ଘଟଣାରୁ ଦାମ ବାବୁ ଅନୁମାନ କରି ସାରିଥିଲେ ଯେ, ତାଙ୍କ ପତ୍ତା ସାଫ୍ ହେବାକୁ ଯାଉଛି। ତେଣୁ ସେ ବିଜୁ ଜନତା ଦଳ, ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିଷଦ୍ଗାର କରିବା ଆରମ୍ଭ କରି ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ପର୍ଦ୍ଦାଫାଶ କରିବାରେ ଲାଗି ପଡିଲେ। ସେ ଭାବିଥିଲେ ଏଥିରେ ଭୟଭୀତ ହୋଇ ଯାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି କରି ବୁଝାଇବେ। ମାତ୍ର ଫଳ ହେଲା ଓଲଟା। ନେଡି ଗୁଡ କହୁଣୀକୁ ବୋହି ଯିବା ପରେ ଦାମ ଚେତିଲେ। ତେଣୁ ନିଳମ୍ବନ ପୂର୍ବ ଦିନ ହଠାତ୍ ସ୍ୱର ବଦଳାଇ ନବୀନ ବାବୁଙ୍କୁ ପ୍ରଶଂସାରେ ପୋତି ପକାଇଲେ। ମାତ୍ର ବହୁତ ଡେରି ହୋଇ ଯାଇଥିଲା। ଅର୍ଜ୍ଜୁନଙ୍କ ଗାଣ୍ଡିବରୁ ତୀର ବାହାରି ସାରିଥିଲା ଏବଂ ଶୀର ଛେଦନ ହେଲା।

ଦାମ ରାଉତ୍ ଦଳରୁ ବିଦା ହେଲା ପରେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯାଇ ଦାମ ବାବୁଙ୍କ ଘରେ ପହଁଚିଲେ। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ବିବୃତି ଦେଲେ ଦାମ ବାବୁ କଂଗ୍ରେସକୁ ଆସିଲେ ଆମେ ସ୍ୱାଗତ କରିବୁ। ତେଣୁ ଗୋଟିଏ ନୂତନ ରାଜନୈତିକ ସମୀକରଣର ସମ୍ଭାବନା ଦୃଷ୍ଟି ଗୋଚର ହେଉଛି ବୋଲି ମିଡିଆ ଆକଳନ କଲା। ମାତ୍ର ଏକା ପ୍ରକୃତରେ କେତେ ଦୂର ସମ୍ବବ ତାହା ଏକ ବିରାଟ ପ୍ରଶ୍ନବାଚୀ। ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରୁ ଗଲା ପରେ ଏବେ କେଉଁ ଦଳରେ ପଶିବେ ବାଟ ପାଉ ନାହାଁନ୍ତି। ଭାରତୀୟ ଜନତା ପାର୍ଟୀ ତାଙ୍କୁ ଆଉ ଧରା ଛଆଁ ଦେଉ ନାହିଁ। ତେଣୁ ସେ ଏବେ ତାଙ୍କ ନିଜ ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହୀନ। ଏକ ନୂତନ ରାଜନୈତିକ ଦଳ ଗଢିବା ନେଇ ତାଙ୍କ ନିକଟତମ ସୂତ୍ରରୁ ଅଭାସ ମିଳିଥିଲା। ସେଥିରେ ମଧ୍ୟ ଭଟ୍ଟା ପଡିଲାଣି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଏକ ପ୍ରକାର ଘରେ ବସିଛନ୍ତି କହିଲେ ଚଳେ। ବିଜେପି ବିଧାୟକ ଦିଲ୍ଲୀପ ରାୟ ଥିଲା ନଥିଲା ପରି ଦଳରେ ଅଛନ୍ତି। ତେଣୁ ଏହି ନେତାମାନଙ୍କର ରାଜନୈତିକ ଭବିଷ୍ୟତ ଏବେ ପୂରା ଅନ୍ଧାରରେ। ଏ ସମସ୍ତ ପରିତ୍ୟକ୍ତ ନେତୃବୃନ୍ଦ କିଛି ଚାହିଁଲେ ବି ଓଡିଶାରେ ରାଜନୈତିକ ହଟଚମଟ କଲା ଭଳି କ୍ଷମତା ଏମାନଙ୍କର ନାହିଁ। ସହଜେ ବୟସ ବାଧକ। ତା ବ୍ୟତୀତ କୌଣସି ନୂତନ ରାଜନୈତିକ ସଂଗଠନ ପ୍ରସ୍ତୁତ କରିବାକୁ ହେଲେ ପ୍ରଚୁର ଅଥଁ ଦରକାର। ଖର୍ଚ୍ଚ କରିବ କିଏ ? ଏହି ନେତାମାନେ ରାଜନୀତି ମାଧ୍ୟମରେ ଯାହା କମେଇଛନ୍ତି ତାହାକୁ ଖର୍ଚ୍ଚ କରିବା ଏମାନଙ୍କ ପକ୍ଷରେ ମୁସ୍କିଲ। ଏ ପରି ସ୍ଥିତିରେ ଏମାନଙ୍କ ପାଖରେ ଗୋଟିଏ ବିକଳ୍ପ ଅଛି, ତାହା ହେଉଛି କଂଗ୍ରେସ। ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ ଓଡିଶାରେ କିଛି ଉନ୍ନତି କରିଛି। ତେଣୁ ଏହି ନିମ୍ନ ପଥଗାମୀ ନେତାଙ୍କୁ ଦଳରେ ପୂରାଇଲେ ରାଜ୍ୟବାସୀ କଂଗ୍ରେସ ପ୍ରତି ଆସ୍ଥା ହରାଇବେ। ନିରଞ୍ଜନ ସେ ଭୁଲ କରିବେ ନାହିଁ ବୋଲି ଆଶା। ସାଧାରଣ ନିର୍ବାଚନ ଆଉ ଅଳ୍ପ କେତୋଟି ମାସ ବାକି ରହିଲା। ଏହି ସ୍ୱଳ୍ପ ସମୟ ଭିତରେ କୌଣସି ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହୋଇ ନବୀନ ପଟ୍ଟନାୟକଙ୍କୁ ସାମନା କରିବା ଅସମ୍ଭବ। ତେଣୁ ସଠିକ୍ ସମୟରେ ଦାମଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେଡି ସୁପ୍ରିମୋ ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.