କବିତା

ଶୂନ

– ଯୋଗାନନ୍ଦ ସାହୁ

ଚାହାଣି ଅନେକ ଚମକ ଶୂନ
ଉପଧା ଅନେକ ଯମକ ଶୂନ,
ବାଟରେ ଘାଟରେ ନାଟ କରିବାକୁ
ତଥାପି କାହିଁକି ଉଛନ ମନ ! ।।୦।।

ନିଦାଘ ଅନେକ ଫଗୁଣ ଶୂନ
ବାଦଲ ଅନେକ ବରଷା ଶୂନ,
ନୂଆ ମରୁଭୂମି,ନୂଆ ମରୀଚିକା
ହେବାକୁ କାହିଁକି ଉଛନ ମନ ! ।।୧।।

ଘଟଣା ଅନେକ କାରଣ ଶୂନ
କର୍ମ ଅନେକ କାରକ ଶୂନ,
ଦାଣ୍ଡ-ବୋଲଣାକୁ ଡାକି ଆଣି ଘରେ
ପୂଜା କରିବାକୁ ଉଛନ ମନ ! ।।୨।।

ଅସ୍ତ ଅନେକ ଉଦୟ ଶୂନ
ପ୍ରଣୟ ଅନେକ ହୃଦୟ ଶୂନ ,
ନିତି ନୂଆ ନୂଆ ଆକାଶ କୁସୁମ
ତୋଳିବାକୁ କିଆଁ ଉଛନ ମନ ! ।।୩।।

ବିରାଗ ଅନେକ ସରାଗ ଶୂନ
ଈର୍ଷା ଅନେକ ମମତା ଶୂନ,
ଟିକି ଚଢ଼େଇର ଟିକିଏ ପାଣିରେ
ବୁଡି ମରିବାକୁ ଉଛନ ମନ ! ।।୪।।

ଜହର ଅନେକ ପୀୟୂଷ ଶୂନ
ସ୍ୱପ୍ନ ଅନେକ ଆୟୁଷ ଶୂନ,
ନିତି ନୂଆ ଘାଟେ ଯୋଗାନନ୍ଦ ତୋ’ର
ଲୁହ ପିଇବାକୁ ଉଛନ ମନ ! ।।୫।।

 

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top