ଶୀତଳଷଷ୍ଠୀ ପାଇଁ ଥାଳ ଚଢ଼ିଲା : ପାର୍ବତୀଙ୍କ ପିତାମାତା ସ୍ଥିରୀକୃତ

ସମ୍ବଲପୁର, ୨୯/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)ଗତ ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ଅବସରରେ ମୁଠି ମରାଯାଇ ଚାଷ କାର୍ଯ୍ୟ ପାଇଁ ଅନୁକୂଳ କରାଯାଇଥିବା ବେଳେ ସମ୍ବଲପୁରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ଥାଳ ଚଢ଼ିଛି। ସହରର ବିଭିନ୍ନ ଶିବାଳୟରେ ବିଶେଷ ପୂଜାର୍ଚ୍ଚନା ପରେ ଶୀତଳ ଷଷ୍ଠୀ ଯାତ୍ରା ନିମନ୍ତେ ଚାନ୍ଦା ଆଦାୟର ଶୁଭାରମ୍ଭ କରାଯାଇଛି। ଶିବାଳୟ ସନ୍ନିକଟ ଅଞ୍ଚଳରେ ଥାଳ ବୁଲାଯିବା ସମୟରେ ନିକଟ ଅଞ୍ଚଳ ବାସିନ୍ଦା ପୂଣ୍ୟ ସକାଶେ ଖୁସିରେ ସେଇ ଥାଳରେ ଅର୍ଥ ପ୍ରଦାନ କରିଥାନ୍ତି। ଆଜି ଦିନରେ ଷଷ୍ଠୀର ଶିବ-ପାର୍ବତୀ ବିବାହ ପାଇଁ କନ୍ୟା ପିତାମାତା ନିର୍ଣ୍ଣୟ ମଧ୍ୟ କରାଯାଏ। ମାନବ ଦମ୍ପତି ଦେବୀ ପାର୍ବତୀଙ୍କ ପିତାମାତା ସାଜି ଦେବଦେବ ମହାଦେବଙ୍କ ସହିତ ପାର୍ବତୀଙ୍କ ବିବାହ କରାଇ କନ୍ୟାଦାନ ଦେଇଥାନ୍ତି। ଶୀତଳଷଷ୍ଠୀର ଲୌକିକ ପରମ୍ପରାରେ ମାନବ ଦେବ ବିବାହର ଅପୂର୍ବ ସଂଯୋଗର କେବଳ ସାକ୍ଷୀ ହୁଏ ନାହିଁ, ଦେବୀ ପାର୍ବତୀଙ୍କୁ କନ୍ୟା ରୂପେ ଘରକୁ ବରିଆଣି କନ୍ୟାଦାନର ପରମ ସୌଭାଗ୍ୟ ଲାଭ କରିଥାନ୍ତି। ଏଥିପାଇଁ ଶୀତଳଷଷ୍ଠୀ ବିବାହ କରାଇବା ନିମନ୍ତେ ଲୋକଙ୍କ ମଧ୍ୟରେ ଆଗ୍ରହ ଲାଗି ରହିଥାଏ। କନ୍ୟା ବିବାହରେ ଯେଭଳି ଅଳଙ୍କାର, ଆସବାବପତ୍ର ଏବଂ ଅନ୍ୟାନ୍ୟ ଉପହାର ଝିଅକୁ ବିଦାୟ ସମୟରେ ଦିଆଯାଇଥାଏ, ବିବାହ ବେଳେ ଯେଭଳି ଜ୍ଞାତିକୁଟୁମ୍ବଙ୍କୁ ନବବସ୍ତ୍ର ପ୍ରଦାନ ପୂର୍ବକ ଆପ୍ୟାୟିତ କରାଯାାଇଥାଏ, ଅତିଥି ଅଭ୍ୟାଗତଙ୍କ ପାଇଁ ଭୋଜିର ଆୟୋଜନ ହୁଏ ଦେବ ବିବାହରେ ମଧ୍ୟ ସେଭଳି ସମ୍ପୂର୍ଣ୍ଣ ଲୋକାଚାର ପାଳନ କରାଯାଏ। ସୂତରାଂ ଏହା ବ୍ୟୟବହୁଳ ଅଟେ। ତଥାପି ଲୋକେ ଏଥିପାଇଁ ଆଗଭର ହୋଇଥାନ୍ତି। ଆଗ୍ରହୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ଆଜି ଦିନରେ ଚୟନ କରାଯାଇଥାଏ। ଜାତି ଏବଂ ଆର୍ଥିକ ଅବସ୍ଥାକୁ ବିଚାରକୁ ନ ନେଇ ଚୟନ ହୁଏ।
କନ୍ୟା ପିତାମାତା ଚୟନ କ୍ରମେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ ହାଟପଡ଼ା ନିବାସୀ ନୀଳମଣି ବିଦ୍ୟାଧର ଏବଂ ତାଙ୍କ ପତ୍ନୀ ଲାବଣ୍ୟ ବିଦ୍ୟାଧର କନ୍ୟା ପିତାମାତା ମନୋନୀତ ହୋଇଛନ୍ତି। ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବାଙ୍କ ପାଇଁ ଦେହେରୀପାଲି ନିବାସୀ ପଞ୍ଚାନନ ସାହୁ ଏବଂ ମିନାକ୍ଷୀ ସାହୁ କନ୍ୟା ପିତାମାତା ହେବେ। ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ପାଇଁ ସେହି ମୁଦିପଡ଼ା ନିବାସୀ ପ୍ରଦୀପ୍ତ ସୁଶାରୀ ଏବଂ କୁନୁପ୍ରିୟା ସୁଶାରୀ, ବାଲିବନ୍ଧା ସୋମନାଥ ବାବାଙ୍କ ପାଇଁ କୁଞ୍ଜେଲପଡ଼ା ନିବାସୀ ହିତେଶ ରଞ୍ଜନ ବହିଦାର ଏବଂ ପୁଷ୍ପିତା ବହିଦାର ତଥା ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ପାଇଁ ସ୍ୱାମୀଦାଶ ସାହୁ ଓ ବିଜୟଲକ୍ଷ୍ମୀ ସାହୁ କନ୍ୟା ପିତାମାତା ହେବେ। ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ମନ୍ଦିରରେ ଆଜି ଜଳଶାୟୀ କରାଯାଇଥିଲା।
ପତରପେଣ୍ଡି ବା ନିର୍ବନ୍ଧ, ଗୁଆଗୁଁଡ଼ା ବା ଗୁଆ ଦେଇ ବିବାହ ସକାଶେ ଦେବାଦେବୀଙ୍କୁ ନିମନ୍ତ୍ରଣ ଏବଂ ଗଣ୍ଠାଲ ଫିଟା ଅର୍ଥାତ୍ ଗତବର୍ଷର ପିତାମାତାଙ୍କ ଦ୍ୱାରା ଶିବ-ପାର୍ବତୀଙ୍କ ଗଣ୍ଠି ଫିଟାଇବା ଭଳି ପରମ୍ପରା ପରେ ମଇ ୨୯ ତାରିଖ ରାତିରେ ବରାନୁଗମନ ଏବଂ ବିବାହ, ୩୦ ତାରିଖ ରାତିରେ ନଗର ପରିକ୍ରମା ଯାତ୍ରାର ପ୍ରାରମ୍ଭ ହୋଇ ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଶିବ-ପାର୍ବତୀ ନିଜ ନିଜ ମନ୍ଦିରରେ ପ୍ରବେଶ କରିବେ।

Leave a Reply

Your email address will not be published. Required fields are marked *