ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜଙ୍କ ପୁସ୍ତକ ଉନ୍ମୋଚିତ

ପୁରୀ:୧୯/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଦୁଇଟି ପୁସ୍ତକ ‘ଭକ୍ତକବି ମଧୁସୂଦନ ରାଓ’ ଓ ‘ନନରକପୁରୀରେ ନବେଦିନ’ କବି କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗାଦାନ କରି ବର୍ଷିୟାନ ଶିଶୁସାହିତ୍ୟିକ ଡ. ନରେନ୍ଦ୍ର ପ୍ରସାଦ ଦାସ ଓଡିଆ ସାହିତ୍ୟକୁ ଭକ୍ତକବି ମଧୁସୂଦନ ରାଓଙ୍କ ଅବଦାନ ସର୍ମ୍ପକରେ ଆଲୋଚନା କରିଥିଲେ। ଏଥି ସହିତ ଶିଶୁ ସାହିତ୍ୟରେ ବିକାଶ ଦ୍ୱାରା ଓଡିଆ ଭାଷା ସାହିତ୍ୟର ଉନ୍ନତି ସମ୍ଭବ ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ମଙ୍ଗରାଜଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଡ. କୈଳାସ ଚନ୍ଦ୍ର ଟିକାୟତରାୟ ଭକ୍ତକବି ମଧୁସୂଦନ ରାଓଙ୍କୁ ସମସ୍ତେ ଭଲ ଭାବେ ବୁଝି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ ତଥା ବର୍ତ୍ତମାନର ସଦସ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବାଲ ସାହିତ୍ୟ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି ଏହି ଉତ୍ସବରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଶ୍ରୀଯୁକ୍ତ ମଙ୍ଗରାଜଙ୍କର ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାନାବାୟା ଶିଶୁ ପତ୍ରିକାର ପ୍ରତିଷ୍ଠାତା ଲକ୍ଷ୍ମଣ ବେହେରା ଓ କଣାସ ଉଚ୍ଚ ବିଦ୍ୟାଳର୍ୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପତି ବର୍ତ୍ତମାନ ସମୟରେ ପୁସ୍ତକର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଭଗବତୀ ବିଦ୍ୟାନିକେତନର ଛାତ୍ରଛାତ୍ରୀ ଶେଷଶ୍ରାବଣୀ ସାହୁ, ରାଜନନ୍ଦିନୀ ଦାଶ, ପ୍ରଜ୍ଞାସ୍ମିତା ରାଉତ, ଶ୍ରୁତିଶିଖା ଦାସ, ହରପ୍ରିୟା ମହାପାତ୍ର ଓ ସ୍ୱାତୀ ଗୁରୁ ‘ତୁହି ମା ଜନମଭୂମି’ ଗାନ କରିଥିଲେ। ମୁଖ୍ୟଅତିଥି ନରେନ୍ଦ୍ର ପ୍ରସାଦ ଦାସ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷଶ୍ରାବଣୀ ସାହୁ ଓ ରାଜନନ୍ଦିନୀ ଦାଶ ପୁସ୍ତକର ଗୋଟିଏ ଲେଖାଁଏ ଅନୁଚ୍ଛେଦ ପାଠ କରିଥିଲେ। ପୁସ୍ତକ ଦ୍ୱୟକୁ ସମୀକ୍ଷା କରିଥିଲେ ବିଶିଷ୍ଟ ଶିଶୁସାହିତ୍ୟିକ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ। ଏହି ଉତ୍ସବରେ ପ୍ରଭାତ ଚନ୍ଦ୍ର ରଥ, ଡଃ. ହେମନ୍ତ କୁମାର ଛୋଟରାୟ, ଦୁର୍ଗାବତୀ ପ୍ରଧାନ, ସତ୍ୟନାରାୟଣ ମିଶ୍ର, କୁଞ୍ଜବିହାରୀ ସାହୁ, ରଶ୍ମିରଞ୍ଜନ ସାହୁ, ଶରତ ମହାପାତ୍ର, ଶିବପ୍ରସାଦ ସାହୁ, ମୃତ୍ୟୁଞ୍ଜୟ ଦକ୍ଷିଣରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *