କେନ୍ଦୁଝର

ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ କର୍ମଶାଳାରେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଆହ୍ୱନ ଦେଲେ-ଜିଲ୍ଲାପାଳ

କେନ୍ଦୁଝର, ୮/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଆହ୍ୱାନ ଜଣାଇଛନ୍ତି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସହଯୋଗରେ ଦରବାର ହଲ୍ ଠାରେ ଆୟୋଜିତ “ଶିଶୁ ଶ୍ରମିକ ନିରାକରଣରେ ଷ୍ଟେକ୍ହୋଲଡର୍ଙ୍କ ଭୂମିକା” ଶୀର୍ଷକ କର୍ମଶାଳାରେ ଉଦବୋଧନ ଦେଇ ଜିଲ୍ଲାପାଳ ଏହି ଆହ୍ୱାନ ଦେବା ସହ ଏଥିନିମନ୍ତେ ସକ୍ରିୟ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଉଦବୋଧନ ଛଳରେ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକ, ଅସହାୟ, ନିଃସହାୟ, ଅବହେଳିତ ଓ ଅସୁରକ୍ଷିତ ଶିଶୁମାନଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା, ଶିକ୍ଷା ଏବଂ ଥଇଥାନ ନିମନ୍ତେ ସରକାର ନିୟମ ପ୍ରଣୟନ କରିଛନ୍ତି ଏବଂ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଶିଶୁ ଶ୍ରମିକ ତଥା ଅବହେଳିତ ଶିଶୁମାନଙ୍କ ସମ୍ପର୍କରେ ସର୍ଭେ କରାଯାଇଛି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କର ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଛି। କେବଳ ସରକାରଙ୍କ ଉଦ୍ୟମ ରହିଲେ ହେବ ନାହିଁ ଏଦିଗରେ ଜନସାଧାରଣଙ୍କର ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଏତଦ୍ବ୍ୟତୀତ ଶିଶୁ ସୁରକ୍ଷା ଆଇନ ଓ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ ଆରୋପ କରିଥିୁଲେ। ବ୍ୟକ୍ତିଗତ ଘରୋଇ କାର୍ଯ୍ୟ, ଖଣି ଖାଦାନ, କଳକାରଖାନା, ହୋଟେଲ, ଢାବା, ଗ୍ୟାରେଜ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶିଶୁମାନଙ୍କୁ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଏପରିକି ଘରେ ମଧ୍ୟ ପିତାମାତା ଓ ଅଭିଭାବକମାନେ ଶିଶୁମାନଙ୍କୁ ଶ୍ରମଦାନ ଭଳି କାର୍ଯ୍ୟରେ ନିୟୋଜିତ କରିବା ମଧ୍ୟ ଅପରାଧ। ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୨୦ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏଦିଗରେ ସମ୍ପୃକ୍ତ ବିଭାଗୀୟ କର୍ମକର୍ତା ଆଇନ ଅନୁଯାୟୀ କଡ଼ାକଡ଼ି ଭାବେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ କହିଥିଲେ ଯେ ଶିଶୁ ଶ୍ରମିକ ନିରାକରଣ ପାଇଁ ଶିଶୁମାନଙ୍କର ପାରିପାର୍ଶିକ ଅବସ୍ଥ୍ାର ସୁଧାର ଆଣିବା ସହିତ ଉଦ୍ଧାର କରାଯାଉଥିବା ଶିଶୁଶ୍ରମିକମାନଙ୍କୁ କିପରି ଥଇଥାନ କରାଯିବ ସେମାନଙ୍କର ଶିକ୍ଷା, ଦକ୍ଷତା ବିକାଶ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ସେ ସମ୍ପର୍କରେ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି.କେ ପରିଡ଼ା ଶିଶୁ ଶ୍ରମିକ ଆଇନ ନିରାକରଣ ସମ୍ପର୍କିତ ଆଇନ ଗତ ଦିଗ ଉପରେ ଆଲୋକପାତ କରି ଯେଉଁଠାରେ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଛି ନିକଟସ୍ଥ ଥାନାରେ ଖବର ଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ ଏବଂ ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ଅଗବତ କରାଇଥିଲେ। ଏତଦ୍ବ୍ୟତୀତ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇଡିଏ ତଥା ଶିଶୁ କଲ୍ୟାଣ କମିଟି ସଦସ୍ୟା ସେବତୀ ସିଂ, ବରିଷ୍ଠ ନାଗରିକ ଧୀରେନ୍ଦ୍ର ରାଉତ, ଶିଶୁ କଲ୍ୟାଣ ସମିତି ସଦସ୍ୟ ସନ୍ଦୀପ ପଟ୍ଟନାୟକ, ସ୍ୱେଚ୍ଛାସେବୀ ସଙ୍ଗଠନ ଓସ୍ୱାର ସମ୍ପାଦିକା ଜ୍ୟୋତ୍ସ୍ନା ଦାସ, ବଣିକ ସଂଘ ସଭାପତି କୈଳାସ ଚନ୍ଦ୍ର ପଣ୍ଡା, ଚାଇଲ୍ଡ ଲାଇନ୍ର କର୍ମକର୍ତା ନରେନ୍ଦ୍ର କୁମାର ପରିଡ଼ା, ସ୍ୱେଚ୍ଛାସେବୀ ସଙ୍ଗଠନ କିର୍ତ୍ତୀର କର୍ମକର୍ତା ଭବେଶ କୁମାର କର ପ୍ରମୁଖ ଏହି କର୍ମଶାଳାରେ ବକ୍ତବ୍ୟ ପ୍ରଦାନ କରି ଜିଲ୍ଲାକୁ କିପରି ଶିଶୁ ଶ୍ରମିକ ମୁକ୍ତ କରାଯିବ ସେ ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top