ଶିଶୁ ଶ୍ରମିକ ନିଯୁକ୍ତି ଦେଲେ ୫୦ହଜାର ଜରିମାନା : ୫ବର୍ଷ ମଧ୍ୟରେ ୧୦୮ଜଣ ଶିଶୁ ଶ୍ରମିକ ଉଦ୍ଧାର

ପୁରୀ:୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ୧୪ବର୍ଷରୁ କମ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ଦେବା ଆଇନତଃ ଅପରାଧ। ଏଥିପାଇଁ ନିଯୁକ୍ତିଦାତାଙ୍କୁ ୫୦ହଜାର ଟଙ୍କା ଜରିମାନା ସମେତ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଜିଲ୍ଲାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ଉ କରି ଶିଶୁ ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଶୁକ୍ରବାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ଉଦ୍ଧବ ଚନ୍ଦ୍ର ମାଝୀ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ସଭାପତି ଜ୍ୟୋର୍ତିମୟ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥା ବନ୍ଦ ପାଇଁ ବ୍ୟାପକ ଜନ ସଚେତନତା ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିପାଇଁ ସମସ୍ତଙ୍କର ମାନସିକତାର ପରିବର୍ତ୍ତନ ଆସିବା ଆବଶ୍ୟକ। ଶିଶୁ ଶ୍ରମିକ ଭାବେ ବ୍ୟବହାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାଝୀ କହିଲେ ଯେ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଥଇଥାନ ଦିଗ ପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ। ଶ୍ରମ, ଶିଶୁ ସୁରକ୍ଷା ଏବଂ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ୫ବର୍ଷ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଥିଲେ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜନ କରାଯାଇଥିଲା। ଶ୍ରମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ କର୍ମଶାଳା ସମ୍ପର୍କରେ ପ୍ରକାଶ କରିଥିଲେ। ସେ କହିଲେ ବେଆଇନ ଭାବେ ଶିଶୁ ଶ୍ରମିକ ରଖିଥିବା ୫୪ଜଣଙ୍କ ବିରୁଦ୍ଧରେ କୋର୍ଟରେ ଫୌଜଦାରୀ ମୋକଦ୍ଦମା ରୁଜ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଳ, ଡିଏସ୍ ପି ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା କମଳା କାନ୍ତ ପାଢ଼ୀ, ଜିଲ୍ଲା ନିର୍ମାଣ ଶ୍ରମିକର ୟୁନିଅନ ଜଗନ୍ନାଥ ଦେଓ ପ୍ରମୁଖ କର୍ମଶାଳାରେ ଯୋଗଦାନ କରିଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *