ଶିଶୁ ବିକାଶ ବିଭାଗ କରୁଛି କଣ? ନିଷ୍ପେଶିତ ହେଉଛନ୍ତି ନିଷ୍ପାପ ଶିଶୁ

ଯାଜପୁର-୧୦/୬ (ଓଡିଆ ପୁଅ/ଏ.ରାଉତ) ସରକାରଙ୍କ ଯୋଜନା ମାଳମାଳ। ମା’ ଗର୍ଭରେ ସନ୍ତାନ ରହିବା ଦିନଠାରୁ ମୃତ୍ୟୁ ପରେ ଶ୍ମଶାନ ପର୍ଯ୍ୟନ୍ତ ଲମ୍ବିଛି ଯୋଜନା। ଯେଉଁ ଯୋଜନାକୁ ନେଇ ବ୍ୟାପକ ପ୍ରଚାର। ହେଲେ ଏହି ଯୋଜନାର ସଫଳ ରୁପାୟନ କିଭଳି ହେଉଛି ଓ ଏହି ଯୋଜନାରେ ହିତାଧିକାରୀମାନେ କିଭଳି ଅର୍ନ୍ତଭୂକ୍ତ ହେଉଛନ୍ତି ତାକୁ ଦେଖୁଛି କିଏ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କୁ ବିକସିତ କରିବାକୁ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ତା ବାଟରେ ବାଟକାଢି ଆଗକୁ ଚାଲିଥିଲାବେଳେ ଏହି ଯୋଜନା ଯାହା ପାଇଁ ସେମାନେ ଏହି ଯୋଜନାରୁ ବହୁ ଦୂରରେ ରହି ଯାଉଛନ୍ତି। ଯାହାର ଫଳ ଭୋଗୁଛନ୍ତି ଦେଶର ଭବିଷ୍ୟତ ନିଷ୍ପାପ ଶିଶୁ। ଯୋଜନା ବାଟବଣା ହେଉଥିବାରୁ ପ୍ରତି ମୁହୁର୍ତରେ ନିଷ୍ପେଶିତ ହେଉଛନ୍ତି ଏହି ନିଷ୍ପାପ ମାନେ।

ମା’ ଗର୍ଭରେ ରହିବା ବେଳଠାରୁ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ସରକାର ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଉଥିଲାବେଳେ ଜନ୍ମ ପରେ ମଧ୍ୟ ଶିଶୁର ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଦେଉଛନ୍ତି ପୁଷ୍ଟିକର ଖାଦ୍ୟ। ହେଲେ ଏହି ପୁଷ୍ଟିକର ଖାଦ୍ୟ କେତେ ନିଷ୍ପାପ ଶିଶୁଙ୍କ ପେଟକୁ ଯାଉଛି ତାର ହିସାବ କାଗଜପତ୍ରରେ ବଢିଚାଲିଥିଲାବେଳେ ଏହି ହିସାବର ସତ୍ୟତା କେତେ ତାହା ଜଳଜଳ ଦେଖାଯାଉଛି ବିଭିନ୍ନ ଘଟଣା କ୍ରମରେ।

ଯୋଜନାର ସଫଳତା ପାଉନଥିବା ଏହି ଶିଶୁମାନଙ୍କ ମଧ୍ୟରେ ଅଛନ୍ତି ଶ୍ରମିକ ପରିବାରର ଶିଶୁମାନେ। ଏହି ପରିବାରର ବାପା ମା’ ମାନେ ଶ୍ରମିକ ହୋଇଥିଲାବେଳେ ଦିନ ଆରମ୍ଭରୁ ରାତି ପର୍ଯ୍ୟନ୍ତ ନିଜ କାମକୁ ନେଇ ବ୍ୟସ୍ତ ରୁହନ୍ତି। ଏହି ସମୟରେ ସେମାନଙ୍କ ସହିତ କର୍ମକ୍ଷେତ୍ରକୁ ଛୁଟି ଯାଆନ୍ତି ଏହି ଶିଶୁ ମାନେ। ଏବେ ନିର୍ମାଣର ସମୟ ଚାଲିଥିବାରୁ ଯାଜପୁର ଜିଲାର ବହୁ ସ୍ଥାନରେ କୋଠାବାଡି ନିର୍ମାଣ କାମ ଚାଲିଛି। ଫଳରେ ଏହି ସବୁ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଛନ୍ତି ବ୍ୟାପକ ଶ୍ରମିକ। ପ୍ରତିଦିନ ପଡୋଶି ଭଦ୍ରକ ଜିଲାରୁ ଶତାଧିକ ଶ୍ରମିକ ଏହି ଜିଲାକୁ ଆସୁଛନ୍ତି। ଏହି ଶ୍ରମିକମାନେ ବିଭିନ୍ନ ଛୋଟ ଡାଲା ଗାଡିରେ ଆସି ପହଂଚନ୍ତି ଜିଲାରେ। ଏହି ଗାଡିରେ ଥାଏ ଢଳେଇ ପାଇଁ ମିକ୍ସଚର ମେସିନ, ପାଣି ଡ୍ରମ, ବେଲଚା ଓ କଡେଇ। ଏହି ସବୁ ସାମଗ୍ରି ସହିତ ମହିଳାମାନେ ତାଙ୍କ ଏକବର୍ଷର ଶିଶୁଙ୍କ ଠାରୁ ଆରମ୍ଭ କରି ୫ ବର୍ଷର ଶିଶୁମାନଙ୍କୁ ନେଇ ଆସନ୍ତି। କାମରେ ଯୋଗଦେବା ପୂର୍ବରୁ ଏହି ନିଷ୍ପାପ ମାନଙ୍କୁ ଗଛମୂଳ କିମ୍ବା କାହା ପିଣ୍ଡାରେ ଛାଡିଦେଇ କାମରେ ଯୋଗ ଦିଅନ୍ତି। କିଛି ପିଲା ଡହଡହ ଖରାରେ ଅଖା କିମ୍ବା ତଳେ ଗଡୁଥିଲାବେଳେ କିଛିପିଲା ବାଲି ଉପରେ ଗଡୁଥିବା ଦେଖିବାକୁ ମିଳେ। ଭୋକ ହେଲେ ମା’ ମାନେ ସାଂଗରେ ଆଣିଥିବା ପଖାଳକୁ ଖଟା କିମ୍ବା ଆଳୁ ଚକଟା ସହିତ ସେହି ଅଳିଆ ଆବର୍ଜନା ଭିତରେ ଖାଇ ଦେଇ ଖେଳରେ ମାତି ଯାଆନ୍ତି।

ବିଡମ୍ବନାର ବିଷୟ ଛୋଟ କଅଁଳ ଛୁଆଟି ମା’ ପାଖରୁ କ୍ଷୀର ଟିକିଏ ପାଇଁ କଇଁକଇଁ ହୋଇ କାନ୍ଦିଲା ବେଳେ ବିଚରା ମା’ଟି ତାକୁ କ୍ଷୀର ଟିକିଏ ଦେବାକୁ ମଧ୍ୟ ସକ୍ଷମ ହୋଇ ନଥାଏ। ବେଳେବେଳେ ନିଷ୍ପାପ ଶିଶୁ ଚିହିରା ଛାଡି କ୍ଷୀର ନପାଇ ଶୋଇ ପଡୁଥିଲାବେଳେ ଜଦି କେତେବେଳେ ତାକୁ କାମଛାଡି କ୍ଷୀର ଟିକିଏ ଦିଏ ତ ବିଚରା ମା’ ଟିକୁ ଦଲାଲର ନାଲିଆଖିର ସମ୍ମୁଖିନ ହେବାକୁ ପଡେ।

ଖରାବେଳେ ମାଲିକ ଜଳଖିଆ ଦେଲେ ମା’ ବାପାଙ୍କ ସହିତ ଏହି ପିଲାମାନେ ଖାଇ ବସନ୍ତି ସେହି ଧୁଳି ଧୁସରିତ ଅବସ୍ଥାରେ। କାମ ସରିଲାପରେ ସେହି ଗାଡିରେ ଲଦାଲଦି ହୋଇ ଅତ୍ୟନ୍ତ ବିପଦ ସଂକୂଳ ଅବସ୍ଥାରେ ଫେରି ଯାଆନ୍ତି ନିଜନିଜ ଘରକୁ। ବାପା ମା’ ପଇସା ପାଆନ୍ତି, ଦଲାଲ ଏମାନଙ୍କୁ ଯୋଗାଡ କରି ନିଜ ପଇସା ପାଏ; ହେଲେ ଦିନ ଯାକ ଅବହେଳିତ ରହି ଯାଆନ୍ତି ଏହି ନିଷ୍ପାପ ଶିଶୁମାନେ। ଏହା ସହିତ ବିପଦକୁ ସବୁ ବେଳେ ବରଣ କରିଚାଲୁଛନ୍ତି ଏହି ନିଷ୍ପାପ ମାନେ।

ପରିବହନରେ ବିପଦ, ଖାଇବାରେ ବିପଦ, ସତେ ଯେମିତି ବିପଦ ଏମାନଙ୍କ ସହଚର ହୋଇଯାଇଛି। ଏଠାରେ ପ୍ରଶ୍ନ ଉଠେ ଏହି ଅବହେଳିତ ମାନଙ୍କୁ ଉଭୟ ଜିଲାର ଶିଶୁ ବିକାଶ ବିଭାଗର ବଡ ବାବୁମାନେ ରାସ୍ତା ଘାଟରେ ଦେଖୁଥିଲାବେଳେ ଏମାନଙ୍କ ଉପରେ କାହିଁକି ନଜର ପଡେନାହିଁ। ବିପର୍ଯସ୍ତ ପରିବହନ ବ୍ୟବସ୍ଥା ଭିତରେ ଗତାଗତ କରୁଥିଲାବେଳେ ପରିବହନ ବିଭାଗ ନିରବ କାହିଁକି। କାହିଁକି ଭିଭିନ୍ନ ଯୋଜନାରୁ ଏହି ନିଷ୍ପାପ ଶିଶୁମାନେ ବଂଚିତ ହେଉଛନ୍ତି। ଏହି ନିଷ୍ପାପ ନିଷ୍ପେଶିତ ମାନଙ୍କୁ କେବେ ମିଳିବ ନ୍ୟାୟ। ମହିଳା ଶିଶୁ ବିକାଶ ବିଭାଗ ଏମାନଙ୍କୁ ନ୍ୟାୟ ଦେବାକୁ ନିରବ କାହିଁକି। କ’ଣ ସେମାନେ ଗରିବ ଶ୍ରମିକ ମାନଙ୍କ ସନ୍ତାନ ବୋଲି?

Leave a Reply

Your email address will not be published. Required fields are marked *