ଜିଲ୍ଲା ପରିକ୍ରମା

ଶିଶୁ କନ୍ୟାର ସୁରକ୍ଷା ସାମାଜିକ ଓ ସାମଗ୍ରିକ ସୁରକ୍ଷା

ରାଉରକେଲା ୧୬/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଆନୁକୁଲ୍ୟରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ସୌଜନ୍ୟରୁ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ଶିଶୁ କନ୍ୟା ସୁରକ୍ଷା ସମ୍ପର୍କୀତ ସାମାଜିକ, ଅର୍ଥନୈତିକ, ପରିବେଶ ଓ ପାରିପାର୍ଶ୍ୱିକ ଶିଖର ଶୈକ୍ଷିକ ସୋପାନ ପରିକ୍ରମା ଓ ବିଚାର ବିମର୍ଶ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଶିକ୍ଷା ବିଭାଗର ପ୍ରାଧ୍ୟାପିକା ତଥା ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ସଂଯୋଜିକା ଶୁଭ୍ରା ନାୟକଙ୍କ ନେତୃତ୍ୱରେ ଜଲଦା ‘ସି’ ବ୍ଲକରେ ଶିଶୁ କନ୍ୟା ସୁରକ୍ଷା ସମ୍ପର୍କୀତ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଶିଶୁ କନ୍ୟା ସୁରକ୍ଷା ଦ୍ୱାରା ସାମାଜିକ, ଅର୍ଥନୈତିକ ପରିବେଶର ବୈଷମ୍ୟକୁ ସୁସଂଘତ ଓ ସନ୍ତୁଳିତ କରାଯିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ପର୍ଯ୍ୟାପ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା। ଶତାଧିକ ଶିକ୍ଷକ ପ୍ରଶିକ୍ଷାର୍ଥୀ, ସଂଯୋଜିକା ଓ ଶିକ୍ଷକ, ଶିକ୍ଷିକା ତଥା ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କୃଷି ଓ କୃଷ୍ଟି ଭିତିକ ଓଡ଼ିଶାର ଗଣପର୍ବ ରଜ ମେଘ ଓ ମାଟିର ମହାମିଳନର ମହାର୍ଘ ପର୍ବ ଭାବେ ପରିଗଣିତ ହେଉଥିଲାବେଳେ, ରଜସ୍ୱଳା ଧରିତ୍ରୀର ପୂଜନୁସେôାବ ସହିତ ଓଡ଼ିଆ ସଂସ୍କୃତିରେ କୁଆଁରୀ କନ୍ୟା ମାନଙ୍କର ଶ୍ରଦ୍ଧା ଓ ସମ୍ମାନ ରଜ ପର୍ବର ଅନ୍ୟ ଏକ ପ୍ରମୁଖ ବିଶେଷତ୍ୱ। ରଜ ସଂକ୍ରାନ୍ତିରେ ଶିଶୁ କନ୍ୟା ସୁରକ୍ଷା ସମ୍ପର୍କୀତ ପରିବେଶ, ସାମାଜିକ, ଅର୍ଥନୈତିକ ବିଚାରବିମର୍ଶ ଓ କ୍ଷେତ୍ର ପରିକ୍ରମା କରାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ସଂପୃକ୍ତ ଆଲୋଚନାରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ଭୁୟସୀ ପ୍ରଶଂସା କରିଥିଲେ। ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ସଂଯୋଜିକା ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଚାରବିମର୍ଶ କର୍ମଶାଳାର ମୁଖ୍ୟ ଅତିଥି ଭାବେ ଡା. ରାହାସ ବିହାରୀ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ କବି ଓ ରାଜନେତା ଶଙ୍କର୍ଷଣ ପରିଡ଼ା, ସମ୍ମାନିତ ଅତିଥି ଭାବେ ଡ. ମଂଜୁଶର୍ମା ମହାପାତ୍ର, ଡ. ଜ୍ୟୋସ୍ନାରାଣୀ ତ୍ରିପାଠୀ, ଶିକ୍ଷାବିତ ଅନ୍ନଦା ପ୍ରସାଦ ମହାପାତ୍ର, ସଚ୍ଚିଦାନନ୍ଦ ସ୍ୱାଇଁ, ପ୍ରାଧ୍ୟାପିକା ଗୀତିକା ପଟେଲ, ସମାଜସେବୀ ଅରୁଣ କୁମାର ପରିଡ଼ା, ଶିକ୍ଷା ଓ ସଂସ୍କୃତି ସଙ୍ଗଠିକା ସଚଳା ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅସୁରକ୍ଷିତ କନ୍ୟା ଶୈଶବ ଏବଂ ଶିଶୁପୁତ୍ର ଓ ଶିଶୁ କନ୍ୟାର ଅସନ୍ତୁଳିତ ତଥା ସମାନୁପାତିକ ବୈଷମ୍ୟ ଏକ ସ୍ପର୍ଶକାତର ସମ୍ବେଦନଶୀଳ ବିଷୟ ହୋଇଥିବା ବେଳେ ଶିଶୁ କନ୍ୟା ଭୃଣ ହତ୍ୟା, ଅତ୍ୟାଚାର, ଧର୍ଷଣ, ହତ୍ୟାକାଣ୍ଡ ଭଳି ଜଘନ୍ୟ ଘଟଣାମାନ ପ୍ରତିନିୟତ ସମାଜ ବ୍ୟବସ୍ଥାର ମେରୁଦଦଣ୍ଡକୁ ଭାଙ୍ଗିରୁଜି ଚୂରମାର କଲାଭଳି ମନେ ହେଉଛି। ଆମର ମହାଭାରତୀୟ, ମହାମାନବୀୟ, ମହାଜାଗତିକ ପରମ୍ପରାରେ ମହିଳା ମାନଙ୍କୁ ମାତୃଶକ୍ତି ଭାବେ ଉପାସନା କରିବାର ମହାର୍ଘ୍ୟ ପରମ୍ପରା ଜାରିଥିଲା ବେଳେ ଆମେ ଆମର ପ୍ରଥା, ପରମ୍ପରା, ଐତିହ୍ୟ ଓ ସଂସ୍କୃତି ଠାରୁ କ୍ରମଶଃ ବିଚ୍ୟୁତ ହୋଇ ପଡୁଛୁ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ମା’ ମାନେ ଦେଶ ଓ ଜାତି ନିର୍ମାଣର ସମର୍ଥ ସୂତ୍ରଧର। ସବୁ ଭଲ ମଣିଷ ବଡ଼ ମଣିଷର ମହାନିର୍ମାଣ ପଛରେ ଥାଏ ଜଣେ ମା’। ସାମ୍ପ୍ରତିକ ସମୟରେ ସେହି ମା’ ମାନଙ୍କର ଆଧାରଶିଳା ଶିଶୁ କନ୍ୟା ମାନଙ୍କର ସୁରକ୍ଷା ପାଇଁ ସଭାରେ ସମ୍ମଳିତ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ପ୍ରଶିକ୍ଷାର୍ଥୀ ଦୀପଶିଖା ଟପ୍ନୋ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top