ଶିଶୁଙ୍କୁ ଘାରିଛି ପେଟର ଚିନ୍ତା, ଅଳିଆ ଏମାନଙ୍କ ଭାଗ୍ୟ ବିଧାତା!

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆଗେଇ ଚାଲିଛି। ସମଗ୍ର ଦେଶକୁ ସଫାସୁତରା ରଖିବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାନ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ହାତକୁ ନିଆଯାଇ ଏହା ପାଇଁ ପ୍ରୟାସ ଜାରି ରହିଛି। ଶିଶୁ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଅପରପକ୍ଷରେ କିଛି ଶିଶୁ ପେଟ ଚାଖଣ୍ଡକ ପାଇଁ ପରିବାର ସାଙ୍ଗରେ ଅଳିଆ ଆବର୍ଜନା ସଂଗ୍ରହ କରି ପେଟ ପାଇଁ ଦୁଇ ମୁଠା ଦାନା ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଯାହାକି ଦାରିଦ୍ର୍ୟ ଭିତରେ ଦାରୁଣତାକୁ ସ୍ପଷ୍ଟ ରୂପେ ପ୍ରକାଶ କରୁଛି। ଏହି ଶିଶୁ ମାନେ ଅଳିଆ ଭିତରେ ଖୋଜୁଛନ୍ତି ନିଜ ନିଜର ଭାଗ୍ୟ। ସରକାର ପକ୍ଷରୁ କରାଯାଇଥିବା ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ସତେ ଯେପରି ବାଟବଣା ହୋଇ ପଡ଼ିଛି। ରାଉରକେଲାର ବିଭିନ୍ନ ସ୍ଥାନରେ ପ୍ରତିଦିନ ଅଳିଆ ଆବର୍ଜନା ଜମି ରହିଥିବା ଦେଖିବାକୁ ମିଳୁଛି। ଏହି ଅଳିଆ ଆବର୍ଜନା ଗୁଡିକ ଯଦିଓ ପ୍ରଶାସନ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯାଇ ସଫାସୁତରା କରାଯାଉଛି। ତଥାପି ଅନେକ ଜାଗାରେ ଅଳିଆ ପଡ଼ି ରହୁଛି। ରାତି ପାହି ସକାଳ ହେଲେ, ନିଜ ପରିବାର ସହିତ ୧୦ରୁ ୧୨ ବର୍ଷର ଶିଶୁ ମାନଙ୍କୁ ଅଳିଆ ଗଦା ନିକଟରେ ଦେଖିବାକୁ ମିଳେ। ହାତରେ ବହି ବସ୍ତାନୀ ବଦଳରେ ରହିଥାଏ ଅନାବନା ଜରି ବ୍ୟାଗ। ଏହି ବ୍ୟାଗକୁ କାନ୍ଧରେ ପକାଇ ଅନ୍ୟ ଏକ ହାତରେ ଅଳିଆ ଭିତରୁ ସଂଗ୍ରହ କରିବାରେ ଲାଗିଥାନ୍ତି ଖାଲିଥିବା ପ୍ଲାଷ୍ଟିକ ପାରି ବୋତଲ, ବିଭିନ୍ନ ଜରି, ଟିଣ ପରି ବର୍ଜ୍ୟବସ୍ତୁ। ସାଙ୍ଗରେ ତାଙ୍କର ପରିବାର ଥିବାରୁ ତାଙ୍କୁ ଏସବୁ କାର୍ଯ୍ୟ କରିବାକୁ ସାହାସ ଜୁଟାଏ। ଅଂଚଳର କେବଳ ମୁଖ୍ୟ ରାସ୍ତା ନୁହେଁ ବରଂ ଗଳିକନ୍ଦିରେ ବୁଲି ଏଭଳି ଶିଶୁ ମାନେ ଅଳିଆ ଗୋଟାଇବା ପ୍ରତିଦିନ ଦେଖିବାକୁ ମିଳିଥାଏ। କିଛି ଶିଶୁ କନ୍ୟା ମଧ୍ୟ ଏପରି କାର୍ଯ୍ୟ କରିବା ଦେଖିବାକୁ ମିଳେ। ଏଭଳି କାର୍ଯ୍ୟ କରିବାକୁ ସେମାନେ ତିଳେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ, କାରଣ ଏମାନଙ୍କୁ ଘାରିଥାଏ ଭୋକିଲା ପେଟର ଚିନ୍ତା। ସମୟ ସମୟରେ ଅଳିଆ ଜରି ନେଇ ଯାଉଥିବା ସମୟରେ କୁକୁର ମାନଙ୍କ ଆକ୍ରମଣର ଶୀକାର ଏଭଳି ଶିଶୁ ମାନଙ୍କୁ ହେବାକୁ ପଡିଥାଏ। ଏହି ଶିଶୁ ମାନେ ସାଧାରରତଃ ସହରତଳି ଅଂଚଳର କିଛି ବସ୍ତି ବସବାସ କରନ୍ତି। ପ୍ରଚଣ୍ଡ ମୁଣ୍ଡଫଟା ଖରା ହେଉକି ମୂଷଳଧାରାର ବର୍ଷା, ସବୁ ସମୟରେ କାର୍ଯ୍ୟରତ ଥାଆନ୍ତି ଏହି ଶିଶୁ ମାନେ। ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଶିକ୍ଷା ଯୋଜନା, ମଧ୍ୟାହ୍ନ ଭୋଜନ ଆଦି ଏମାନଙ୍କ ପାଖରୁ ଯୋଜନ ଦୂରରେ। ଅଳିଆରୁ ସଂଗ୍ରହ କରିଥିବା ବର୍ଜ୍ୟବସ୍ତୁକୁ ବିକ୍ରି କରି ଯାହା ଦୁଇ ପଇସା ମିଳେ, ଏଥିରେ ଘରର ଚୁଳି ଜଳେ। ଏମାନଙ୍କ ପାଇଁ ନା ଅଛି କିଛି ନୂଆବର୍ଷ ଅବା ହୋଲି, ଦୀପାବଳୀ। ଅଳିଆ ଆବର୍ଜନା ଏଭଳି ଶିଶୁ ମାନଙ୍କ ଭାଗ୍ୟ ବିଧାତା! ପ୍ରତିଦିନ ରାତିରେ କ୍ଲାନ୍ତ ଶରୀରକୁ ନେଇ ଶୋଇପଡ଼ନ୍ତି ଏମାନେ। ଅପେକ୍ଷାରେ ଥାଆନ୍ତି ପୁଣି ଏକ ସକାଳର।

Leave a Reply

Your email address will not be published. Required fields are marked *