ଜିଲ୍ଲା ପରିକ୍ରମା

ଶିଳ୍ପ ନାହିଁ, ବନ୍ଦର ହେଲାନି, ବିକାଶ ଠପ୍ ବାସୁଦେବପୁରକୁ ସବ୍ଡିଭିଜନ୍ ଦାବି ଜୋର ଧରିଲା

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ; ଭଦ୍ରକ ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ। ଏଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଜିତି ଡ. ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରକ୍ତତୀର୍ଥ ଇରମର ଏହି ମାଟି ଆଜି ବି ସଂଗ୍ରାମର ଗାଥା ଗାଉଛି। ଏହି ମାଟିରେ ୨୯ ଜଣ ସଂଗ୍ରାମୀ ଭାରତର ସ୍ୱାଧୀନତା ବିଟିସ୍ ଗୁଳିରେ ପ୍ରାଣବଳୀ ଦେଇଥିଲେ। ମାତ୍ର ବୀର ସଂଗ୍ରାମୀଙ୍କ ଏହି ମାଟି ଆଜି ଅବହେଳିତ। ବାସୁଦେବପୁରରେ ବିକାଶ ଯେଉଁଠି ପହଞ୍ଚିବା କଥା, ସେଠି ପହଞ୍ଚି ପାରିନାହିଁ। ଏହିଭଳି ଅନେକ ଅଭିଯୋଗ ଓ କ୍ଷୋଭ ରହିଛି ବାସୁଦେବପୁର ବାସୀଙ୍କର। ତେଣୁ ବାସୁଦେବପୁରକୁ ଏକ ନୂତନ ସବ୍ଡିଭିଜନ୍ରେ ପରିଣତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି। ବାସୁଦେବପୁର ବ୍ଲକ୍ ଓ ପୌରାଞ୍ଚଳର ଅବସ୍ଥା ଭଲ ନାହିଁ। ପୌରାଞ୍ଚଳରେ ବସ୍ଷ୍ଟାଣ୍ଡ ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଏଠାରେ ଏଯାଏ ଗୋଟିଏ ସ୍ଥାୟୀ ବସ୍ଷ୍ଟାଣ୍ଡ ନିର୍ମାଣ ହୋଇପାରିନାହିଁ। ଯାତ୍ରୀବାହୀ ବସ୍ଗୁଡିକ ରାସ୍ତାକଡରେ ଠିଆ ହୋଇ ରହୁଥିବାବେଳେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଏଠାରେ ଶିଳ୍ପ ସଂସ୍ଥାଟିଏ ନାହିଁ। ଯେଉଁଥିପାଇଁ ଅଂଚଳର ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ପଳାଇ ଯାଉଛନ୍ତି। ଚୂଡାମଣି ବନ୍ଦର ପାଇଁ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ତାହା ସେମିତି ଫାଇଲ୍ ଭିତରେ ଅଟକି ରହିଛି। ଧାମରା ଠାରେ ଡିପିସିଏଲ୍ ବନ୍ଦର ପ୍ରତିଷ୍ଠା କରାଗଲା। ମାତ୍ର ଜାମୁଝାଡିର ବାସୁଦେବପୁର ଦେଇ ଧାମରାକୁ ସଂଯୋଗ କରିଥିବା ରାସ୍ତାର ପ୍ରଶସ୍ତିକରଣ ମଧ୍ୟ ଠିକ୍ ଭାବେ କରାଯାଉନାହିଁ। ଏହି ରାସ୍ତାଟି ଡିଆରଡିଓର ରାସ୍ତା ହୋଇଥିଲେ ମଧ୍ୟ ଏଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉନାହିଁ। ସହୀଦ ପୀଠ ଇରମ ମାଟିକୁ ଆଜିପର୍ଯ୍ୟନ୍ତ ଉପଯୁକ୍ତ ମର୍ଯ୍ୟାଦା ମିଳିପାରୁନାହିଁ। ଇରମ ସାରା ଓଡ଼ିଶା ଏପରିକି ଦେଶର ଏକ ଗୌରବମୟ ସ୍ଥାନ। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ଇରମର ବିକାଶ ପାଇଁ ଯେତିକି ଆନ୍ତରିକତା ପ୍ରକାଶ କରାଯିବା କଥା ତାହା କରିନାହାଁନ୍ତି। ଫଳରେ ଇରମ ଏବେ ବି ସେମିତି ଅବହେଳିତ ହୋଇ ରହିଛି। ଇରମର ବିକାଶ ଓ ଏହାକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀ ବୈଲୋଚନ ଜେନା ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ତାଙ୍କ ଦାବି ପ୍ରତି କାହାରି ନଜର ନାହିଁ। ସର୍ବୋପରି ବାସୁଦେବପୁରକୁ ଏକ ସବ୍ଡିଭିଜନର ମାନ୍ୟତା ପାଇଁ ବହୁଦିନରୁ ଲୋକ ଦାବି କରୁଛନ୍ତି। ମାତ୍ର ଏହି ଦାବି ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଭଦ୍ରକ ଏକ ସବ୍ଡିଭିଜନ୍ରୁ ୧୯୯୩ ମସିହାରେ ସ୍ୱତନ୍ତ୍ର ଜିଲାର ମାନ୍ୟତା ପାଇଲା। ହେଲେ ବାସୁଦେବପୁର ସେମିତି ଅବହେଳିତ ହୋଇ ରହିଲା। ଏ ସହରର କଳେବର ଯେଉଁ ହାରରେ ବୃଦ୍ଧି ହେବ କଥା ତାହା ହେଲା ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସାଧାରଣ ଲୋକଙ୍କ କହିବା କଥା ହେଲା, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଓଡ଼ିଶାର ତିନି ଜଣ ମୁଖ୍ୟମନ୍ତ୍ରୀ ତିଆରି କରିଛି। ହେଲେ ବାସୁଦେବପୁରର ବିକାଶ ପାଇଁ କେହି ସ୍ୱର ଉଠାଇ ନାହାଁନ୍ତି। ବାସୁଦେବପୁରର କିଛି ନହେଲା ନାହିଁ, ଚୂଡାମଣି ବନ୍ଦର କାର୍ଯ୍ୟକାରୀ କରିବା ସହ ବାସୁଦେବପୁରକୁ ଏକ ସ୍ୱତନ୍ତ୍ର ସବ୍ଡିଭିଜନ୍ର ମାନ୍ୟତା ଦିଆଯାଉ ବୋଲି ଏବେ ଦାବି ଜୋର ଧରିଛି। ଏଇ ଦାବି ପାଇଁ ଆନ୍ଦୋଳନ ଦାନା ବାନ୍ଧୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଶାଣିତ ହେବ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top