ଶିରାରେ ଦେବା ବଦଳରେ ମାଂସପେଶୀରେ ଦିଆଗଲା ଇଂଜେକସନ୍ ଅନିଶ୍ଚିତତାରେ ତାପସଙ୍କ ଭବିଷ୍ୟତ

ଭଦ୍ରକ, ୨୬ା୧୦ (ଓଡ଼ିଆପୁଅ / ପ୍ରମୋଦ ରାୟ) : ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜୀବନ ସହ ସଂଗ୍ରାମ କରୁଥିବା ତାପସକୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆଜି ଭଦ୍ରକ ବ୍ଲକ ବାଣତିଆ ପଞ୍ଚାୟତ ର ଶତାଧିକ ଜନସାଧାରଣ ଜିଲ୍ଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି କାରଣରୁ ତାପସର ମା’ ପାଗଳୀ ଅବସ୍ଥାକୁ ଆସିଯାଇଥିବାବେଳେ, ନ୍ୟାୟ ନମିଳିଲେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି କରିବେବୋଲି ଚେତାବନୀ ଦେଇଥିବା ବିଷୟ ଆଜି ବିକ୍ଷୋଭ କାଳରେ ପଞ୍ଚାୟତବାସୀ ଗଣମାଧ୍ୟକୁ କହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ପଡୋଶୀ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ କଳସପୁର ଗ୍ରାମର ନଟବର ନାୟକଙ୍କ ପୁତ୍ର ତାପସ ଏବେ ନିଜ ପିତାଙ୍କ ଅନୁପସ୍ଥିତି ଯୋଗୁଁ ପିଲାଦିନରୁ ନିଜ ମାମୁଁ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆରେ ରହି ପାଠ ପଢିଆସୁଅଛି। ତାପସଙ୍କ ପିତା ନଟବର ଦୀର୍ଘ ୧୯ ବର୍ଷ ପୂର୍ବେ ବାଙ୍ଗାଲୋର ଯାଇ ଆଉ ଘରକୁ ଫେରିନଥିଲେ। ଯେଉଁଥିପାଇଁ ମା’ ମଂଜୁଲତା ୫ ବର୍ଷରୁ ତାପସକୁ ନେଇ ନିଜ ପିତ୍ରାଳୟରେ ମୁଣ୍ଡ ଗୁଂଜିଛନ୍ତି। ଅର୍ଥାଭାବରୁ ମଂଜୁଲତା ଆଶାକର୍ମୀ ଭାବେ ଯେଉଁ କିଛି ଅର୍ଥ ରୋଜଗାର କରନ୍ତି, ସେଥିରେ ତାପସ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢିଆସୁଅଛି। ଗତ ୨୨ ତାରିଖ ଦିନ ତାପସ ଝାଡା ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କର ମାମୁଁ ବାଦଲ କୁମାର ସାହୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଇଥିଲେ। ହେଲେ ଚିକିତ୍ସାଧିନ ସମୟରେ ହାତର ଶିରାରେ ନେବା ଇଂଜେକସନ ମାଂସପେଶୀରେ ଦିଆଯିବାରୁ ତାପସଙ୍କ ହାତ ହଠାତ ଫୁଲିଯାଇଥିଲା। ତେଣୁ ଡ଼ାକ୍ତର ତାକୁ କଟକ ସ୍ଥାନାନ୍ତର କରିଥିଲେ। ହେଲେ ଅଧିକ ଚିକିତ୍ସା ସୁବିଧା ନିମିତ୍ତ ସେମାନେ ତାପସକୁ ଏକ ଘରୋଇ ହସପିଟାଲକୁ ନେଇଥିଲେ। ସେଠାରେ ଡ଼ାକ୍ତରମାନେ ହାତର ଅବସ୍ଥା ଦେଖି ଉଦବେଗ ପ୍ର୍ରକାଶ କରିବା ସହ ତାଙ୍କ ବାମ ହାତର ମାଂସପେଶୀକୁ କାଟି ପ୍ଲାଷ୍ଟିକ ସର୍ଜରୀ କରିବାକୁ ବାଧ୍ୟ ହୋଇଥିଲେ। ତେଣୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତବ୍ୟରତ ଡ଼ାକ୍ତର ଓ ନର୍ସଙ୍କ ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରି ଶତାଧିକ ପଞ୍ଚାୟତବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସିଡ଼ିଏମଓଙ୍କୁ ଘେରାଉ କରିଥିଲେ। ଖବର ପାଇ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ହେବାକୁ ସିଡ଼ିଏମଓଙ୍କୁ ପରାମର୍ଶ ଦେବା ସହ ଆବଶ୍ୟକ ଚିକିତ୍ସା ଖର୍ଚ୍ଚ ତୁରନ୍ତ ଯୋଗାଇ ଦେବାକୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିସ୍ଥିତିକୁ ଲକ୍ଷ୍ୟ କରି ସିଡ଼ିଏମଓ ଡ଼ାକ୍ତର ଗୀତାଞ୍ଜଳୀ ପଟ୍ଟନାୟକ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବେ ବୋଲି କହିଥିଲେ। କିନ୍ତୁ ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ମେଡ଼ିକାଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏହାର ପ୍ରତିବାଦରେ ଶତାଧିକ ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ସ୍ମାରକପତ୍ର ଦେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରାଉ କରିଥିଲେ। ତେବେ ଡ଼େପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ଟାଉନ ଥାନାଦôକାରୀ ମନୋଜ ରାଉତଙ୍କ ଉପସ୍ଥିତ୍ିରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ାକ୍ତର ଜିତେନ୍ଦ୍ର କୁମାର ରାୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଂଜୁର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ତାପସଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ତାପସର ଚିକିତ୍ସାଗତ ସଂପୂର୍ଣ୍ଣ କ୍ଷତିପୂରଣ ଦିଆନଗଲେ ଗ୍ରାମବାସୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *