ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଶୈବ ପୀଠରେ ବଳି ପଡିବା ପରମ୍ପରା କେବଳ କଳାହାଣ୍ଡିରେ ହିଁ ଦେଖିବାକୁ ମିଳେ । ଆଦିବାସୀ ବହୁଳ କଳାହାଣ୍ଡିରେ ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ଶିବ ଓ ଶକ୍ତିଙ୍କ ଏକ ସଙ୍ଗେ ଆରାଧନା କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ନିକଟସ୍ଥ ତେଲ ନଦୀ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ପବୋତ୍ର ମହାଶିବରାତ୍ରୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ଶହ ଶହ ସଂଖ୍ୟାରେ ମାନସିକ ବୋଦା ପଶୁବଳି ଦିଆଯାଇଛି । ରକ୍ତରଞ୍ଜିତ ହୋଇପଡିଛି ଧବଳେଶ୍ୱର ଶୈବ ପୀଠ । ଶୈବ ପୀଠରେ ମାତା ଜଗତଜନନୀ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତ ହୋଇଥାନ୍ତି । ଶିବରାତ୍ରୀ ପରଦିନ ଅମାବାସ୍ୟା ମଧ୍ୟରାତ୍ରରୁ ମାଁ ଭୈରବୀ ତାଲ ଭଅଁରା ଗ୍ରାମରେ ଥିବା ମୂଖ୍ୟ ପୂଜକ ଘରୁ ବାହାରି ଭୋର ସମୟରେ ଶୈବ ପୀଠ ପ୍ରଭୂ ଧବଳେଶ୍ୱର ପୀଠରେ ପହଂଚିଥିଲେ । ଆଦିବାସୀ ବିଶ୍ୱାସ ଅନୁସାରେ ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ୱର ମନ୍ଦିରରୁ ଚଣ୍ଡୀ କାଳୀସି ରୂପରେ ସବାର ହେବା ପରେ ତାଙ୍କୁ କାନ୍ଧରେ ବୋହି ଦେବ ମୁହାଣ ପର୍ଯ୍ୟନ୍ତ ଅଣାଯାଇଥିଲା । ଦେବ ମୁହାଣରେ ପ୍ରଥମେ କଳାହାଣ୍ଡି ମହାରାଜାଙ୍କ ଦ୍ୱାରା ପଠାଯାଇଥିବା ବୋଦା ପଶୁକୁ ବଳି ଦିଆଯାଇଥିଲା । ପ୍ରଥା ଅନୁଯାୟୀ କଳାହାଣ୍ଡି,ବଳାଙ୍ଗୀର,ବୌଦ୍ଧ ଓ ଫୁଲବାଣିର ଅଠର ମାଝୀ ଷୋହଳ ପ୍ରଧାନୀ ଆଦିବାସୀଙ୍କ ଠାରୁ ଅରୁଆ ଚାଉଳ,ଫୁଲ,ସିନ୍ଦୁର ଏବଂ ଟାଙ୍ଗିଆ ଆସିବା ପରେ ସିଦେ୍ଧଶ୍ୱରୀ ପୀଠରେ ପୂଜା କରାଯାଇଥିଲା । ସେହିଭଲି ଗୁର୍ଜୀଭଟାରୁ ଆସିଥିବା ନିଶାଣରେ ଦେବୀ ବସିବା ପରେ କଂଚା ଦୋଳିରେ ଦେବୀ ଦୋଳି ଖେଳିବା ପରେ ସିଦେ୍ଧଶ୍ୱରୀଙ୍କ ଚଣ୍ଡୀଙ୍କ ପାଖରେ ମାନସିକ କରିଥିବା ଭକ୍ତମାନେ ଆଣିଥିବା ବୋଦାକୁ ବଳି ଦିଆଯାଇଥିଲା । ଏହି ବର୍ଷ ଏଭଲି ମାନିସକ ବୋଦା ପ୍ରାୟ ପାଂଚ ଶହରୁ ଉଦ୍ଧ୍ୱର୍ ବଳି ଦିଆଯାଇଥିବା ଜଣାପଡିଛି । ଏହି ପୀଠରେ ଶିବ ଓ ଶକ୍ତି ଏକାଠି ପୂଜିତ ହେଉଥିବାରୁ ଯାହା ମାନସିକ କଲେ ତାହା ନିଶ୍ଚୟ ଫଳବତୀ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ପୀଠରେ ସପ୍ତ ମାତୃକା ପୂଜା କରାଯାଉଛି । ଐତିହାସିକ ମତରେ ଏହି ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା କୁହାଯାଏ । ଏହି ପୀଠ ଉଭୟ ତେଲନଦୀ ଓ ଉତେଇ ନଦୀର ସଙ୍ଗମ ସ୍ଥଳରେ ଏବଂ କଳାହାଣ୍ଡି, ବଲାଙ୍ଗୀର,ବୌଦ୍ଧ ଜିଲ୍ଲାର ସଙ୍ଗମ ସ୍ଥଳ ହୋଇଥିବାରୁ ସର୍ବୋପରି ଏହି ପୀଠରେ ଶିବ ତଥା ଶକ୍ତି ଙ୍କର ଏକାଠି ଉପାସନା କରାଯାଉଥିବାରୁ ଏବଂ ସମସ୍ତ ଭକ୍ତଙ୍କ ମନୋବାଂଛା ପୂରଣ ହେଉଥିବାରୁ ଏହି ପୀଠରେ ଆଖପାଖ ଜିଲ୍ଲା ସମେତ ପଡୋଶୀ ରାଜ୍ୟର ଭକ୍ତଙ୍କ ସମାଗମ ହୋଇଥାଏ । ଏହି ପୀଠରେ କାହି କେଉଁ ଅନାଦି କାଳରୁ ବଳି ପ୍ରଥା ଚଳି ଆସୁଥିବା ଶୁଣାଯାଏ । ଶିବ ଓ ଶକ୍ତଙ୍କର ମହା ମିଳନ ସ୍ଥଳ ଏବଂ ପ୍ରଚୀନ ପରମ୍ପରା ଅନୁସାରେ ଏଠାରେ ବଳି ପ୍ରଥା ସମେତ ଦୈନନ୍ଦିନ ପୂଜା କରାଯାଇଥାଏ ବୋଲି ବର୍ତମାନର ପୂଜକ ଙ୍କ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *