ଜିଲ୍ଲା ପରିକ୍ରମା

ଶିବରାତ୍ରୀ ପାଇ ଶୈବ ପୀଠ ଗୁଡିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦୀପଦାନ ଗନ୍ଧରାଢୀରେ ହର ଓ ହରିଙ୍କୁ ଦୀପ ଦାନ

ବୌଦ୍ଧ,୧୫ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱଲା)::ଐତିହାସିକ ବୌଦ୍ଧ ସହରର ଶୈବପୀଠ ଗୁଡିକରେ ମହାଶିବ ରାତ୍ରୀ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗନ୍ଧରାଢୀର ପ୍ରସିଦ୍ଧ ହରିହର ମନ୍ଦିରରେ ଦିନ ତମାମ୍ ଭକ୍ତଙ୍କ ଗହଳି ଲାଗିରହିଥିଲା । ଏହି ମନ୍ଦିର ବିଶେଷତ୍ୱ ହେଲା ଯେ, ସପ୍ତମ ଶତାବ୍ଦିରେ ଭଞ ରାଜାମାନଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର ଦ୍ୱୟ ଗୋଟିଏ ବେଦୀ ଉପରେ ଅବସ୍ଥିତ । ହରିଙ୍କ ମନ୍ଦିରରେ ଭଗବାନ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଥିବାବେଳେ ହରଙ୍କ ମନ୍ଦିରରେ ସିଦେ୍ଧଶ୍ୱର ରୂପରେ ଭଗବାନ ଶିବ ପୂଜା ପାଉଛନ୍ତି । ମହାଶିବ ରାତ୍ରୀ ଅବସରରେ ଚାରିଆଡେ କେବଳ ଶୈବାଳୟ ଗୁଡିକରେ ମହାଦୀପ ଦାନ କରାଯାଉଥିବାବେଳେ ଏଠାରେ ଉଭୟ ହରି ଓ ହରଙ୍କୁ ମହାଦୀପ ଦାନ କରାଯାଇଥାଏ । ତେଣୁ ଏହି ବିରଳ ପରମ୍ପରାକୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ଅନ୍ୟତମ ଐତିହାସିକ ତଥା ନବମ ଶତାବ୍ଦିରେ ସୋମବଂଶୀମାନଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିର ବେଢାରେ ଚାରୋଟି ମନ୍ଦିରରେ ଶକ୍ତି ରୂପରେ ଭଗବାନ ଶିବ ପୂଜା ପାଉଛନ୍ତି । ତନ୍ତ୍ରପୀଠ କୁହାଯାଉଥିବା ଏହି ପୀଠରେ ଅଷ୍ଟକୋଣୀ ଭାବରେ ଲାଲି ଡାଳିମ୍ବ ପଥରରେ ତିଆରି ମନ୍ଦିର ଗୁଡିକ ଗବେଷକ ତଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହି ପ୍ରସିଦ୍ଧ ଶୈବପୀଠରେ ମହାଶିବ ରାତ୍ରୀ ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିବା ବେଳେ ଭକ୍ତମାନଙ୍କ ପକ୍ଷରୁ ୧୦୦୮ ଦୀପ ଜଳାଇ ଜାଗର ଯାତ୍ରା ପାଳନ କରାଯାଇଛି । ଏହାବ୍ୟତୀତ ସହରର ଚନ୍ଦ୍ରଚୂଡ ମନ୍ଦିର,ମାତଙ୍ଗେଶ୍ୱର ମନ୍ଦିର, କରଡିର ଚମ୍ବେଶ୍ୱର ମନ୍ଦିର, ମହାନଦୀ କୁଳରେ ଥିବା ରାମଗଡର ବାବା ଚନ୍ଦ୍ରଶେଖର , ବୁରୁବୁଡାର ବାବା ଗୁପ୍ତେଶ୍ୱର , ସରସରାର ବାବା ବୈଦ୍ୟନାଥ ଆଦି ଶୈବପୀଠ ଗୁଡିକରେ ମଧ୍ୟ ଦିନ ତମାମ୍ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗି ରହିଥିବା ସହ ଜିଲାର ସମସ୍ତ ଶୈବ ପୀଠ ଗୁଡିକରେ ଜାଗର ଯାତ୍ରା ପାଳିତ ହୋଇଛି । ମହାଶିବ ରାତ୍ରୀ ଅବସରରେ ଭକ୍ତମାନଙ୍କ ରାତି ଉଜାଗର ପାଇଁ ଶୈବପୀଠ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ କେଉଁଠି ରାତି ତମାମ୍ ଭଜନ ସମାରୋହ ତ ଆଉ କେଉଁଠି ନାମ ସଂକିର୍ତ୍ତନ ଆୟୋଜନ କରାଯାଇଛି । ଭକ୍ତଙ୍କ ଗହଳିକୁ ଦେଖି ପୋଲିସ ପକ୍ଷରୁ ଶୈବପୀଠ ଗୁଡିକରେ ବ୍ୟାପକ ସୂରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top