ଶିକ୍ଷୟିତ୍ରୀ ଅପହରଣ ମାମଲାରେ ଶତାଧିକ ମହିଳା ଏସପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତକାଲି ସ୍କୁଲକୁ ଛାତ୍ରଛାତ୍ରୀଙ୍କ ସହିତ ସ୍କୁଲ ଭ୍ୟାନରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ଭ୍ୟାନ ଡ୍ରାଇଭର ଅପହରଣ କରିନେବା ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ଦାବି ନେଇ ଆଜି ଶତାଧିକ ମହିଳା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତିହିଡି ଥାନା ବିଲଣା ନୟାପାଟଣା ଗ୍ରାମର ଶାନ୍ତିଲତା ଦାସ ଗ୍ରାମାଞ୍ଚଳ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ ତାଙ୍କ ଝିଅ ସବୁଦିନ ପରି ସ୍କୁଲକୁ ସ୍କୁଲ ଭ୍ୟାନରେ ଛାତ୍ରଛାତ୍ରୀଙ୍କ ସହିତ ଆସିଥିଲେ । ମାତ୍ର ଭ୍ୟାନର ଡ୍ରାଇଭର ଆନନ୍ଦପୁର ଲକ୍ଷ୍ମୀମନ୍ଦିର ନିକଟରେ ସ୍କୁଲ ପିଲାଙ୍କୁ ଛାଡି ଶକ୍ଷୟିତ୍ରୀଙ୍କୁ ସହଯୋଗୀଙ୍କ ସହ ଅପହରଣ କରି ନେଇ କଟକ ଯାଇ ସେଠାରୁ ଟ୍ରେନ ଯୋଗେ ବାହାରକୁ ଚାଲି ଯାଇଛନ୍ତି । ଗ୍ରାମାଞ୍ଚଳ ଥାନାରେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ଅପହରଣକାରୀ ଡ୍ରାଇଭର ପିଣ୍ଟୁଙ୍କୁ  ଠାବ କରି ଅପହୃତା ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିନାହିଁ । ଅଭିଯୁକ୍ତଙ୍କୁ ଗିରଫ ଓ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ଦାବିରେ ଆଜି ତିହିଡି ବ୍ଳକ ଅଧ୍ୟକ୍ଷା ବିଦୁ୍ୟତ୍ଲତା ନାୟକ, ନାରୀନେତ୍ରୀ ଆଇନଜୀବି କମଳିନୀ ନାୟକଙ୍କ ନେତୃତ୍ୱରେ ବହୁ ମହିଳା ଏସ୍ପି ଅଫିସରେ ପହଞ୍ଚିଥିଲେ । ମାତ୍ର ଏସପି ଏହି ସମୟରେ କାର୍ଯ୍ୟାଳୟରେ ନ ଥିବାରୁ ମହିଳାଙ୍କ ପ୍ରତିନିଧି ଭାବେ ବ୍ଳକ ଅଧ୍ୟକ୍ଷା ଓ ଅନ୍ୟ ୩ଜଣ ଯାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ଦୟାନିଧି ଦାସଙ୍କୁ ଭେଟି ଅଭିଯୋଗ କରିଥିଲେ । ଆଇଆଇସି ଅପହରଣରେ  ସହଯୋଗ କରିଥିବା ରବିନ୍ଦ୍ର ଓ ଚନ୍ଦନକୁ ଥାନାରେ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ଉଭୟଙ୍କୁ ଠାବ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *