ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ

ଖୋର୍ଦ୍ଧା ୪ ଜାନୁଆରୀ (ଓଡିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତର ହରିପୁର ଉଗ୍ରତାରା ନୋଡ଼ାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କୁ ବିଲ ଭିତରୁ ଅତି ନିର୍ମମ ଭାବେ ହତ୍ୟା କରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ବିଲରୁ ତାଙ୍କର କ୍ଷତାକ୍ତ ଶବ ମିଳିଛି।ଠେଙ୍ଗାରେ କେହି ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକ୍ଷୟିତ୍ରୀଙ୍କ ନାମ ଅଞ୍ଜଳି ଦେହୁର ଓ ତାଙ୍କ ଘର ବେଗୁନିଆ ଅଞ୍ଚଳରେ ବୋଲି ଜଣା ପଡିଛି।ସେ ଶିକ୍ଷା ସହାୟିକା ରୂପେ ନିଯୁକ୍ତି ପାଇ ଏଠାରେ କାର୍ଯ୍ୟ କରୁଥିଲେ। ସ୍କୁଲଠାରୁ ପ୍ରାୟ ଦୁଇ କି.ମି ଦୂର ବଡ଼ପୋଖରିଆ ଗ୍ରାମର ଆଦିବାସୀ ସାହିରେ ସେ ଭଡା ଘରେ ରହୁଥିଲେ। ସେହି ଗ୍ରାମରେ ମଧ୍ୟ ଅନ୍ୟ ଜଣେ ଶିକ୍ଷୟିତ୍ରୀ ରହୁଥିଲେ। ଦୁହେଁ ଏକା ସାଙ୍ଗରେ ବଡ଼ ପୋଖରିୟାକୁ ବିଲ ରାସ୍ତାରେ ଯା ଆସ କରନ୍ତି।ଗୁରୁବାର କିନ୍ତୁ ଅଞ୍ଜଳି ଏକୁଟିଆ ଫେରୁଥିଲେ ବେଳେ କୌଣସି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଭୀଷଣ ଭାବେ ଆଘାତ ଦେଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ବାଲୁଗାଁ ଏସ.ଡି.ପି.ଓ ସୁବାସଚନ୍ଦ୍ର ପଣ୍ଡା .ଟାଙ୍ଗି ଥାନାଧିକାରୀ ପ୍ରମୁଖ ପହଂଚି ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *