ଜିଲ୍ଲା ପରିକ୍ରମା

ଶିକ୍ଷିତ ବେକାରୀଙ୍କୁ ଶ୍ରମିକ ପରିଚୟ ପତ୍ର : ତଦନ୍ତ ଦାବି

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ବହୁ ଶିକ୍ଷିତ ବେକାର ଯୁବକଙ୍କ ହାତରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର । କିଛି ନିର୍ଦ୍ଦିଷ୍ଟ ଶ୍ରମିକ ସଂଗଠନ ଏବଂ ଜିଲା ଶ୍ରମ ବିଭାଗର କିଛି ତଥାକଥିତ କର୍ମଚାରୀଙ୍କ ସହଯୋଗରେ ଚାଲିଛି ଏହି ବେଆଇନ୍ ପଂଜିକରଣ । ଗୋଟିଏ ପଟରେ ପ୍ରକୃତ ପକ୍ଷେ ଶ୍ରମିକ ଭାବେ ଦିନ କାଟୁଥିବା ବହୁ ଯୋଗ୍ୟ ଲୋକଙ୍କୁ ଏଥିରୁ ବଂଚିତ କରାଯାଇଥିବାବେଳେ ବହୁ ଅଯୋଗ୍ୟ ଲୋକଙ୍କ ହାତରେ ପଡିରହିଛି ଶ୍ରମିକ ପରିଚୟ ପତ୍ର । ଯାହାକୁ ନେଇ ପଂଜିକରଣରୁ ବାଦ୍ ପଡିଥିବା ଶ୍ରମିକଙ୍କ  ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ଏବେ ପଂଜିକୃତ ଶ୍ରମିକଙ୍କ ସଂଖ୍ୟା ୫୯ ହଜାର ୧୨୨ ରେ ପହଞ୍ଚôଛି । ଏଥିରେ ସଂଗଠିତ କ୍ଷେତ୍ରରେ କାମ କରୁଥିବା ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୫୮ ହଜାର ହୋଇଥିବାବେଳେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ପଂଜିକୃତ ଶ୍ରମିକଙ୍କ ସଂଖ୍ୟା ୧ ହଜାର ୧୨୨ ବୋଲି ଜଣାପଡିଛି । ସେହିଭଳି ପଂଜିକୃତ ଶ୍ରମିକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ ହଜାର ୦୭୫ ଜଣ ଶ୍ରମିକଙ୍କୁ ଶିକ୍ଷା, ବିବାହ, ଯନ୍ତ୍ରପାତି ସହାୟତା, ଗୃହଋଣ ଏବଂ ଅନ୍ୟାନ୍ୟ ସହାୟତା ବାବଦକୁ ସରକାର ୧୬ କୋଟି ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା କଥା  ଜିଲା ଶ୍ରମ ଅଧିକାରିଣୀ ଜନ୍ମିନ ସାହୁ ପ୍ରକାଶ କରିଛନ୍ତି । ଏହି ସୂଚନା ଅନୁଯାୟୀ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଭଦ୍ରକ ଜିଲାରେ ପଂଜିକୃତ ୪ ହଜାର ୮୯୫ ଜଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ବାବଦକୁ ୫ କୋଟି ୬୨ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବା କଥା ସେ କହିଛନ୍ତି । ତେବେ ଭଦ୍ରକ ଜିଲାରେ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରେ ପ୍ରାୟ ୬୦ ହଜାର ଶ୍ରମିକ ପଂଜିକରଣ ହୋଇଥିଲେ ମଧ୍ୟ ସେମାନଙ୍କ ପଂଜିକରଣର ବୈଧତା ନେଇ ପ୍ରଶ୍ନ ଉଠିଛି । କୁହାଯାଇଛି ସରକାରୀ ସହାୟତା ହଡପ କରିବା ସକାଶେ ନିର୍ମାଣ ଶ୍ରମିକଙ୍କ ନାମରେ ବହୁ ପାନ ଦୋକାନୀ, ଚା ଦୋକାନୀ ଏପରିକି ପାଠଶାଠ ପଢି ଚାକିରୀ ନପାଇ ବେକାର ବୁଲୁଥିବା ଯୁବକମାନଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକ ପଂଜିକରଣ ଯୋଜନାରେ ପଂଜିକୃତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତାର ସୁଯୋଗ ନେଇ ଜିଲା ଶ୍ରମ କାର୍ଯ୍ୟାଳୟର କିଛି ତଥାକଥିତ କର୍ମଚାରୀଙ୍କ ପୃଷ୍ଠପୋଷକତାର ଏହି ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top