ଶିକ୍ଷା ବିଭାଗର ସମୀକ୍ଷା ବୈଠକ

ଦେବଗଡ଼, ୨୯-୦୮(ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଗତ ୨୩ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଜିଲ୍ଲା କାର୍ଯ୍ୟାଳୟଠାରେ ଶିକ୍ଷା ବିଭାଗର ଏକ ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକର ସୂଚନାନୁଯାୟୀ ଆସନ୍ତା ୨ମାସ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟଗୁଡିକୁ ପରିଦର୍ଶନ କରି ସମସ୍ତ ବିଷୟ ଉପରେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିଆରସିସିମାନେ ନିଜ ଅଧୀନରେ ଥିବା ବିଦ୍ୟାଳୟଗୁଡିକୁ ମାସକରେ ଅନ୍ତତଃ ପକ୍ଷେ ୨ଥର ପରିଦର୍ଶନ କରିବାକୁ କହିଛନ୍ତି। ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ କର୍ମଠ ଶିକ୍ଷକମାନଙ୍କୁ ଚୟନ କରି ଉପଯୁକ୍ତ ଶିକ୍ଷାଦାନର ବିଭିନ୍ନ ମୈାଳିକ ଦିଗ ଉପରେ ପ୍ରଶିକ୍ଷଣ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସହିଭଳି ଛାତ୍ରମାନଙ୍କର ଲେଖିବା ଏବଂ କହିବା ଶୈଳିରେ ସୁଧାର ଆଣିବାକୁ ଶିକ୍ଷକମାନେ ଅଧିକ ପ୍ରଯତ୍ନ କରିବା ସଂଗେ ସଂଗେ ପୂର୍ବପାଠର ଆଲୋଚନା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମଧ୍ୟାହ୍ନଭୋଜନର ସୁପରିଚାଳନା ନିମନ୍ତେ ବିଦ୍ୟାଳୟଗୁଡିକରେ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ଚାଉଳ ପହଁଚାଇବା ପାଇଁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାରିଖ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ନିଷ୍ପତି ନେବେ। ମଧ୍ୟାହ୍ନଭୋଜନର ସୁପରିଚାଳନା ପାଇଁ ବିଦ୍ୟାଳୟରେ ପ୍ରତ୍ୟେକ ଦିନ ଜଣେ ଜଣେ ଶିକ୍ଷକ ଏହାର ତତ୍ୱାବଧାନରେ ରହିବେ ଏବଂ ଶୃଙ୍ଖଳା ଓ ହାତଧୂଆ ଉପରେ ବିଶେଷ ଭାବରେ ସେ ଧ୍ୟାନଦେବେ। ବିଦ୍ୟାଳୟ କୋଠାଗୁଡିକର ଆବଶ୍ୟକୀୟ ମରାମତି ଓ ଅସଂପୂର୍ଣ୍ଣ ଥିବା କୋଠାଗୁଡିକର ନିର୍ମାଣକାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣ୍ଠି ସହିତ ଏକ ତାଲିକା ଏକମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନର ଶିକ୍ଷକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *