ଓଡ଼ିଶା

ଶିକ୍ଷା ବିଭାଗର ଅଜବ ବ୍ୟବସ୍ଥା: ପିଲାଙ୍କୁ ମିଳୁନି ବହି, ବାହାରେ ଫିଙ୍ଗା ଯାଉଛି

କଳାହାଣ୍ଡି ୨୨-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗତ ଗୁରବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବା ପାଇଁ ଆସିଥିବା ମାଗଣା ବହିପତ୍ର ଦିନ ସାରା ସ୍କୁଲ ବାହାରେ ପଡିଥିଲା। ଏହି ବହି ସବୁକୁ କେହି ଶିକ୍ଷକ ଉଠାଇ ନଥିଲେ। ଫଳରେ ଗାଈ ଗୋରୁ ସେସବୁକୁ ଖାଇଯିବା ସହ ମାଡି ଦଳି ନଷ୍ଟ କରି ଦେଇଥିଲା। ଏହି ଖବର ପ୍ରଘଟ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ରାତି ଆଠଟାରେ ସ୍କୁଲକୁ ଆସି ବହିପତ୍ର ସବୁ ସଂଗ୍ରହ କରି ରଖିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ। ସେହିଭଲି ଗତ ୧୯ତାରିଖ ଦିନ ମଧ୍ୟ ଏହି ସ୍କୁଲକୁ ଏକ ଟ୍ରାକ୍ଟର ଯୋଗେ ବହିସବୁ ଆସିଥିଲା। ସ୍କୁଲରେ କୌଣସି ଶିକ୍ଷକ ସେତେବେଳେ ନଥିବାରୁ ଟ୍ରାକ୍ଟର ଡ୍ରାଇଭର ସ୍କୁଲ ବାହାରେ ଥିବା ଅଳିଆ ଗଦା ପାଖରେ ବହିସବୁକୁ ଅନଲୋଡ କରିଦେଇ ଚାଲିଯାଇଥିବା ଜଣାପଡିଛି। ଆସନ୍ତା ଏପ୍ରିଲ ମାସରେ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପାଠ୍ୟକ୍ରମ ନିମନ୍ତେ ବହି ସବୁ ଯୋଗାଇ ଦିଆଯିବା ପାଇଁ ଏହି ବହି ସବୁ ଆସିଥିବା ପ୍ରକାଶ। ବର୍ତମାନ ଏଠି ଫିଙ୍ଗା ଯାଇଥିବା ବହି ସବୁ ୨୦୧୭ ମସିହାର ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ କାହିଁକି ବଂଟନ କରାଗଲା ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଥୁଆମୂଲ ରାମପୁର ବିଇଓ ସୁଧିର ରଥଙ୍କୁ ପଚାରିବାରୁ ସେ ଜାଣିନଥିବା କହିଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top