ad
ଓଡ଼ିଶା

ଶିକ୍ଷା ନାମରେ ଶୋଷଣ : ବିନା ଏନ୍ଓସିରେ ଚାଲିଛି ଶତାଧିକ ଘରୋଇ ସ୍କୁଲ : ୩୬୬ ରୁ ୧୭୨ ଟିକୁ ଏନ୍ଓସି ମିଳିଛି

Image credit Google Search

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବିନା ଏନ୍ଓସିରେ ଚାଲିଛି ଶତାଧିକ ଘରୋଇ ସ୍କୁଲ। ଶିକ୍ଷା ନାମରେ ଗରିବ ଏବଂ ମଧ୍ୟବିତ ବର୍ଗର ଛାତ୍ର ଏବଂ ଅଭିଭାବକମାନଙ୍କୁ ଶୋଷଣ ଚାଲିଛି। ପାଠପଢା ସହିତ ପୋଷାକ, ପାଠ୍ୟୋପକରଣ ଯୋଗାଣରେ ମଧ୍ୟ ଏକା ଅବସ୍ଥା। ପିଲାଙ୍କ ଭବିଷ୍ୟତ ଗଢିବା ଆଳରେ ଚାଲିଛି ଶିକ୍ଷାର ବ୍ୟବସାୟୀକରଣ। ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଚାଲିଛି ମାରାତ୍ମକ ଖେଳ। ଭଦ୍ରକ ଜିଲାରେ ଏବେ ସରକାରୀ ଭାବେ ୧୭୨ ଟି ଏଲିମେଣ୍ଟାରୀ ସ୍କୁଲଙ୍କୁ ଦିଆଯାଇଛି ୫ ବର୍ଷିଆ ଏନ୍ଓସି। ଏହାରି ଆଢୁଆଳରେ ଚାଲିଛି ଜିଲାରେ ଶିକ୍ଷାର ବ୍ୟବସାୟୀକରଣ। ଏନ୍ଓସି ଦିଆଯିବାର ଅବଧି ପରେ ମଧ୍ୟ ଏନ୍ଓସିର ନବୀକରଣ ନକରି ଅଥବା ସରକାରଙ୍କ ଶିକ୍ଷା ବିଭାଗ ଠାରୁ ପୁନଃ ଏନ୍ଓସି ନନେଇ ଜିଲାରେ ଚାଲିଛି ଶତାଧିକ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ଘରୋଇ ସ୍କୁଲ। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଗତ ୨୦୧୮-୧୯ ଶିକ୍ଷାବର୍ଷ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ ଜିଲାରେ ୧୯୯ ଗୋଟି ଘରୋଇ ସ୍କୁଲ ଏନ୍ଓସି ପାଇଁ ଆବେଦନ କରିଥିବାବେଳେ ସେଥିରୁ ଡିପିଆଇଙ୍କ ଜରିଆରେ ମାତ୍ର ୧୭୨ ଗୋଟି ସ୍କୁଲକୁ ସରକାରଙ୍କ ପକ୍ଷରୁ ଏନ୍ଓସି ଦିଆଯାଇଛି। ଏହି ସୂଚନା ଅନୁଯାୟୀ ଜିଲାରେ ଏବେ ଅନ୍ଲାଇନ୍ ମାଧ୍ୟମରେ ଭଦ୍ରକରେ ସର୍ବାଧିକ ୬୮ ଗୋଟି ସ୍କୁଲ ଏନ୍ଓସି ପାଇଁ ସରକାରଙ୍କୁ ଆବେଦନ କରିଥିବାବେଳେ ବାସୁଦେବପୁର ବ୍ଲକ୍ରେ ୩୬ ଗୋଟି, ଧାମନଗର ବ୍ଲକ୍ରେ ୩୫ ଗୋଟି, ଚାନ୍ଦବାଳି ବ୍ଲକ୍ରେ ୨୭ ଗୋଟି, ଭଣ୍ଡାରିପୋଖରୀ ବ୍ଲକ୍ରେ ୨୪ ଗୋଟି ଏବଂ ବନ୍ତ ବ୍ଲକ୍ରେ ୨୩ ଗୋଟି ସ୍କୁଲ ତିହିଡି ବ୍ଲକ୍ରେ ୯ଟି ଏନ୍ଓସି ପାଇଁ ଆବେଦନ କରିଛନ୍ତି। ସେଥିରୁ ୧୭୨ ଗୋଟି ସ୍କୁଲକୁ ସରକାରଙ୍କ ପକ୍ଷରୁ ଏନ୍ଓସି ଦିଆଯାଇଛି। ଏଥିରେ ୬୬ ଗୋଟି ଇଂରାଜୀ ମାଧ୍ୟମ ସ୍କୁଲ ରହିଥିବାବେଳେ ୧୦୬ ଗୋଟି ଓଡ଼ିଆ ମାଧ୍ୟମ ସ୍କୁଲ ରହିଛି। ସବୁଠାରୁ ବଡକଥା ହେଲା କାଗଜପତ୍ର ତଥ୍ୟ ଅନୁଯାୟୀ ଜିଲାରେ ସରକାରୀ ଭାବେ ଏନ୍ଓସି ପାଇଥିବା ୧୭୨ ଗୋଟି ଘରୋଇ ସ୍କୁଲ ରହିଥିବା କଥା କୁହାଯାଉଥିଲେ ମଧ୍ୟ ଏହାର ଦୁଇଗୁଣ ଘରୋଇ ସ୍କୁଲ ରହିଛି। ଯେଉଁମାନଙ୍କ ପାଖରେ କୌଣସି ସରକାରୀ ସ୍ୱୀକୃତି ନାହିଁ। ସବୁଠାରୁ ବଡ କଥା ହେଲା ସରକାରଙ୍କ ଠାରୁ ଏନ୍ଓସି ପାଇଥିବା ଘରୋଇ ସ୍କୁଲ ଗୁଡିକ ସେମାନଙ୍କ ସିଟ୍ର ସର୍ବାଦବକ ୨୫ ପ୍ରତିଶତ ସିଟ୍ ଆର୍ଥିକ ଅନଗ୍ରସର ଏବଂ ଅନୁନ୍ନତ ବର୍ଗର ପିଲାଙ୍କ ପାଇଁ ସଂରକ୍ଷିତ ରଖି ସେମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରିବାର ନିୟମ ରହିଛି। ଏହି ପିଲାଙ୍କ ବାବଦକୁ ସରକାର ସଂପୃକ୍ତ ସ୍କୁଲଗୁଡିକୁ ବାର୍ଷିକ ଅନୁଦାନ ମଧ୍ୟ ଦେଇଥାନ୍ତି। ଏହି ଧରଣର କୌଣସି ଛାତ୍ରଙ୍କୁ ବିଦ୍ୟାଳୟରେ ପାଠ ନପଢାଇ ବହୁ ସ୍କୁଲ ମିଥ୍ୟା ତଥ୍ୟ ବଳରେ ସରକାରୀ ଅନୁଦାନ ହଡପ କରୁଥିବା ଅଭିଯୋଗ ହୋଇଛି। ନିକଟରେ ଏହି ଧରଣର ଅଭିଯୋଗ ଆସିବା ପରେ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରାଙ୍କ ନଂ ୨୨୩୯୩, ତା ୦୯.୧୦.୧୮ ରିଖରେ ବିଇଓ, ଡିଇଓ ଏବଂ ଡିଇଓ ମାନଙ୍କୁ ଘଟଣାର ତଦନ୍ତ କରି ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ଠାରୁ ଏହି ଆଦେଶ ମିଳିବା ପରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଇଓ ଏବଂ ଡିଇଓମାନଙ୍କୁ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। କଥା ଉଠୁଛି ଏଭଳି ବେଆଇନ୍ ଭାବେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲମାନ ଖୋଲି ଗରିବଙ୍କୁ ଶୋଷଣ କରାଯାଉଥିଲାବେଳେ ସେଭଳି କାର୍ଯ୍ୟାନୁଷ୍ଠାନ ନାହିଁ। ମେଧାବୀ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡୁଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top