ଓଡ଼ିଶା

ଶିକ୍ଷକ ଅଭାବ ଯୋଗୁ ରାଉରକେଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଦିଲିପ ରାୟ

ଭୁବନେଶ୍ୱର, ୮ା୯(ଓଡ଼ିଆ ପୁଅ): ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ସମେତ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ଅବଧି ସରି ଯାଇଥିଲେ ମଧ୍ୟ ୧୧ ବର୍ଷ ଧରି ତାହାର ନବୀକରଣ ହୋଇପାରିନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସ୍ୱୀକାରୋକ୍ତି ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।

ଏହି ଶିକ୍ଷାନୁଷ୍ଠାନର ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ସହିତ ଉକ୍ତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ଏଠାରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଲାଗି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଉକ୍ତ ଡିଗ୍ରୀ କଲେଜକୁ ୨୦୦୨ ମସିହାରେ ସ୍ୱୟଂଶାସିତ ମର୍ଯ୍ୟାଦା ମିଳିଥିବା ବେଳେ ତାହାର ଅବଧି ୨୦୦୭ ମସିହାରୁ ସରିଯାଇଛି। ଏ ସଂକ୍ରାନ୍ତରେ ୟୁଜିସି ସହ ଯୋଗାଯୋଗ ଚାଲିଛି ଏବଂ ନ୍ୟାକ୍ ଟିମ୍ର ପରିଦର୍ଶନ ପରେ ସ୍ୱୟଂଶାସିତ ମର୍ଯ୍ୟାଦାର ନବୀକରଣ ହେବ।

ଉକ୍ତ କଲେଜରେ ନିୟମିତ ଅଧ୍ୟକ୍ଷ ପଦବୀଟି ମଧ୍ୟ ଖାଲିପଡ଼ିଛି। ଏଥିପାଇଁ ଥିବା ୬୦ଟି ଶିକ୍ଷକ ପଦବୀ ମଧ୍ୟରୁ ମାତ୍ର ୨୩ ଜଣ ଥିବା ବେଳେ ୩୭ଟି ପଦବୀ ଖାଲି। ଏହି କଲେଜ ଲାଗି ଗଣିତ ପଢ଼ାଇବା ପାଇଁ ତିନୋଟି ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବା ବେଳେ ଜଣେ ହେଲେ ଅଧ୍ୟାପକ ନାହାନ୍ତି। ସେହିପରି ଏଠାରେ ମନସ୍ତତ୍ତ୍ୱ, ସମାଜ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ମଧ୍ୟ କେହି ଅଧ୍ୟାପକ ନାହାନ୍ତି। ବିଜ୍ଞାନ ପାଠ୍ୟକ୍ରମ ଲାଗି ୨୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୫ଟି ବିଭାଗରେ ୧୪ଟି ପଦବୀ ଖାଲିପଡ଼ିଛି। ଏହି କଲେଜ ଲାଗି ଇଂରାଜୀ ବିଷୟର ୬ଟି ଓ ଓଡ଼ିଆ ବିଷୟ ପାଇଁ ୪ଟି ଅଧ୍ୟାପକ ପଦବୀ ଥିବା ବେଳେ ସେଥିରୁ ଯଥାକ୍ରମେ ୫ଟି ଓ ୨ଟି ପଦବୀ ଖାଲି। ଏହାଛଡ଼ା ପ୍ରାୟତଃ ସବୁ ବିଷୟରେ ଏଠାରେ ଅଧ୍ୟାପକ ପଦବୀ ଖାଲିଅଛି। ଉକ୍ତ କଲେଜ ଲାଗି ୭୫ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ବି ୪୫ଟି ଖାଲି ରହିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

ରାଉରକେଲା ସ୍ୱୟଂଶାସିତ କଲେଜ ସମେତ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ପ୍ରାୟ ସମସ୍ତ ସରକାରୀ ଓ ସାହାଯ୍ୟପ୍ରାପ୍ତ କଲେଜଗୁଡ଼ିକରେ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି ଏବଂ ଏହି କଲେଜଗୁଡ଼ିକରେ ବ୍ୟାପକ ସଂଖ୍ୟକ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ସରକାର ପୂରଣ କରୁନଥିବାରୁ ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ତୁରନ୍ତ ରାଉରକେଲା ସମେତ ଜିଲ୍ଲାର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକ ପୂରଣ କରିବା ପାଇଁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top