ଶିକ୍ଷକଙ୍କ ନିର୍ଯ୍ୟାତନା ସହିନପାରି ଆବାସିକ ବିଦ୍ୟାଳୟରୁ ଲୁଚି ଜଙ୍ଗଲରେ ରାତି କାଟିଲେ ୪ ଛାତ୍ରୀ

ବୌଦ୍ଧ, ୧୧ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ପଂଚାୟତର ସମାପାଜୁ ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରୁ ଗ୍ରାମବାସୀମାନେ ୪ ଜଣ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ ସକାଳୁ ସମାପାଜୁ ଗ୍ରାମର ଚନ୍ଦ୍ରମଣି ସାହୁ ଓ ଅନ୍ୟ ଗ୍ରାମବାସୀମାନେ ଜଙ୍ଗଲ ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିବା ସମୟରେ ନାଳ କଡରେ ବସି କାନ୍ଦୁଥିବା ଅବସ୍ଥାରେ ୪ ଜଣ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହାତରେ ଗୋଟିଏ ଲେଖାଏଁ ବାଲଟି, ମଗ ସହିତ ଗୋଟିଏ ଲେଖାଏଁ ବ୍ୟାଗ ଭିତରେ ବହିପତ୍ର ଧରି ଛାତ୍ରୀମାନେ ଜଙ୍ଗଲ ଭିତରେ ଏକୁଟିଆ ଦୀର୍ଘ ରାସ୍ତା ଜଙ୍ଗଲ ଭିତରେ ଚାଲି ଚାଲି ଆସିବାପରେ ସମାପାଜୁ ଗ୍ରାମ ନିକଟରେ ପହଂଚିଥିଲେ। ସକାଳୁ ଗ୍ରାମବାସୀମାନେ ଛାତ୍ରୀମାନଙ୍କୁ ସେଠାରୁ ଉଦ୍ଧାର କରି ପଚରା ଉଚୁରା କରିବାପରେ ସେମାନେ କନ୍ଧମାଳ ଜିଲା ବିଲାବାଡି ସେବାଶ୍ରମରେ ପଢୁଥିବା ଓ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟଛାତ୍ରୀମାନେ ତାଙ୍କୁ ନିର୍ଯ୍ୟାତନା ଦେବାରୁ ଲୁଚି ପଳାଇ ଆସିଥିବା ପ୍ରକାଶ କରିଥିଲେ। ସେବାଶ୍ରମରୁ ଲୁଚି ଚାଲିଆସିବା ପରେ ଜଙ୍ଗଲ ରାସ୍ତା ଦେଇ ସେମାନେ ବୌଦ୍ଧଜିଲା ଟିକରପଡା ପଂଚାୟତର ମେନିଆପାଜୁ ଓ ଭୁର୍କିପଡାକୁ ଫେରୁଥିବାବେଳେ ଅନ୍ଧାରରେ ରାସ୍ତା ଭୁଲିଯାଇଥିଲେ ଓ ସମାପାଜୁ ନିକଟସ୍ଥ ନାଳଖଣ୍ଡିରେ ରାତି କଟାଇଥିଲେ। ରାତି ସାରା ଜଙ୍ଗଲ ମଧ୍ୟରେ କାଟିଥିବା ଛାତ୍ରୀମାନଙ୍କୁ ଘରକୁ ନେଇ ଚନ୍ଦ୍ରମଣି ଗ୍ରାମବାସୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ଓ ଛାତ୍ରୀମାନଙ୍କୁ ଖାଇବାକୁ ଦେଇ ଗ୍ରାମରେ ରହିବାକୁ କହିଥିଲେ। ପରେ ଗ୍ରାମବାସୀମାନେ ଛାତ୍ରୀମାନଙ୍କ ପରିବାର ବର୍ଗକୁ ଖବର ଦେଇଥିଲେ। ଉଦ୍ଧାର ହୋଇଥିବା ଛାତ୍ରୀମାନେ ହେଲେ ୫ମ ଶ୍ରେଣୀ ର ସୁନିତା ମଲିକ, ଗୀତାଞ୍ଜଳି ମଲିକ, ପ୍ରଶାନ୍ତି କହଁର ଓ ୬ଷ୍ଠ ଶ୍ରେଣୀର ଚୁମକି ମଲିକ। ବିଦ୍ୟାଳୟର ଜୈନେକ ଶିକ୍ଷକ ଆଶ୍ରମରେ ଲୁଗାପଟା ସଫା କରାଇବା, ବାସନ ମାଜିବା ଭଳି କାମ କରାଇବା ସହିତ କାମ ନକଲେ ମାଡ ମରାଯାଉଥିବା ଭଳି ଅଭିଯୋଗ ଛାତ୍ରୀମାନେ ସେମାନଙ୍କ ପରିବାର ଲୋକଙ୍କ ପାଖରେ କରିଛନ୍ତି। ଉକ୍ତ ଶିକ୍ଷକଙ୍କ ସହିତ କିଛି ବରିଷ୍ଠ ଛାତ୍ରୀ ମଧ୍ୟ ସେମାନଙ୍କୁ ଗାଳି ଗୁଲଜ କରିବା ସହିତ ସେମାନଙ୍କ ବାକ୍ସ, ବାଲଟି ଓ ଚପଲ ଫିଙ୍ଗି ଦେଇଥିବା ଛାତ୍ରୀମାନେ କାନ୍ଦି କାନ୍ଦି ପ୍ରକାଶ କରିବା ସହିତ ସେମାନେ ଅତ୍ୟାଚାର ସହି ନପାରି ସନ୍ଧ୍ୟା ସମୟରୁ ସେବାଶ୍ରମରୁ ଖସିଆସି ଜଙ୍ଗଲ ଦେଇ ଘରକୁ ଫେରୁଥିଲେ ବୋଲି ଗ୍ରାମବାସୀ ଓ ପରିବାରଲୋକଙ୍କୁ ଜଣାଇଥିଲେ। ଏପରିକି ଜଙ୍ଗଲରେ ସେମାନେ ଭାଲୁ, ବାରହା ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟଭିତ ହୋଇ ନାଳ ନିକଟରେ ରହିଯାଇଥିବା ପ୍ରକାଶ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଅଭିବାବକ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିଲାବାଡି ସେବାଶ୍ରମରେ ଛାତ୍ରୀମାନଙ୍କ ପ୍ରତି କରାଯାଉଥିବା ନିର୍ଯ୍ୟାତନା କଥା ଉଜାଗର ହୋଇଛି। ଘଟଣା ସଂପର୍କରେ ସୂଚନା ପାଇ ବୌଦ୍ଧଜିଲାପାଳ ମଧୁସୁଦନ ମିଶ୍ର ଶିଶୁ ସୂରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କୁ ତୁରନ୍ତ ଛାତ୍ରୀମାନଙ୍କୁ ଉଦ୍ଧାର କରି ସେମାନଙ୍କ ସମସ୍ତ ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଯଦି ଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କୁ ବୌଦ୍ଧଜିଲାର କୌଣସି ସେବାଶ୍ରମ ବିଦ୍ୟାଳୟରେ ପଢାଇବାକୁ ଚାହୁଁଥାନ୍ତି ସ୍ଥାନ ଖାଲିଥିବା ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଇବାକୁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ଖବର ପାଇ କନ୍ଧମାଳ ସମାଜ ମଂଗଳ ଅଧିକାରୀ କାରୁ ସୋରେନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବୌଦ୍ଧ ଜିଲା ଶିଶୁ ସୁରକ୍ଷା ସମିତି ର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି। ଛାତ୍ରୀମାନଙ୍କୁ ପ୍ରଥମେ ଜିଲା ଶିଶୁ ସୂରକ୍ଷା ସମିତିକୁ ଅଣାଯିବା ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ଓ ସେମାନେ ଯେଉଁ ବିଦ୍ୟାଳୟରେ ପଢିବାକୁ ଆଗ୍ରହୀ ଥିବେ ସେଠାରେ ତାଙ୍କ ନାମ ଲେଖାଇବାର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୂରକ୍ଷା ଅଧିକାରୀ ଶ୍ରୀପ୍ରଧାନ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *