ଶିକ୍ଷକଙ୍କ ଦ୍ୱାରା ୫ ଛାତ୍ରଛାତ୍ରୀ ଦଣ୍ଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି

ବୌଦ୍ଧ, ୦୫ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବରେ ଘୋଷଣା କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ବୌଦ୍ଧଜିଲା ଗୁନ୍ଦୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଦଣ୍ଡିତ ହୋଇ ୫ ଜଣ ଛାତ୍ରଛାତ୍ରୀ ବାଉୁଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିଶୋର ମହାଲିକ ଅପରାହ୍ନ ୩ ଘଂଟା ସମୟରେ ବିଦ୍ୟାଳୟରେ ତାଲା ପକାଇ ଚାଲିଯାଉଥିବା ସମୟରେ ଜଣେ ଛାତ୍ର ଆଂଚଳିକ ଭାଷାରେ ମାଷ୍ଟର ପଲେଇଲା ବୋଲି ନିଜର ଜଣେ ସହପାଠୀ କୁ କହିଥିଲା। ଏହି କଥା ପ୍ରଧାନଶିକ୍ଷଙ୍କ କାନରେ ପଡିବାରୁ ସେ ଉତ୍ୟକ୍ତ ହୋଇ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ। କିଛି ଛାତ୍ରଛାତ୍ରୀଙ୍କୁ ୧୫୦ ଥର ବସ ଉଠ କରାଇଥିଲେ। ଫଳରେ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆଦିତ୍ୟ ମହାକୁଳ, ପିତାମ୍ବର ଥାଟି ଏବଂ ଛାତ୍ରୀ ନିଦ୍ରାବତୀ ସିଂହ, ବନୀତା କର୍ଣ୍ଣ ଓ ମମତା ସିଂହ ବସ ଉଠ ହେବାବେଳେ ଗୁରୁତର ଭାବରେ ହାଲିଆ ହୋଇ ପଡିଯାଇଥିଲେ। ଏ ସଂପର୍କରେ ସୂଚନା ପାଇ ପରିବାର ଲୋକ ସେମାନଙ୍କ ପିଲାମାନଙ୍କୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବନିତା କର୍ଣ୍ଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡା, ଅନ୍ତର୍ଯ୍ୟାମୀ ବେହେରା ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଗୁନ୍ଦୁଳିଆ ଅଂଚଳରେ ଗା୍ରମବାସୀ ଓ ଅଭିଭାବକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଅଛି। ଘଟଣା ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବାରୁ ତାଙ୍କର ପ୍ରତିକ୍ରିୟା ନେବା ସମ୍ଭବ ହୋଇନଥିଲା।

Leave a Reply

Your email address will not be published. Required fields are marked *