ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଧନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନୂଆବଜାରସ୍ଥିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳାକାର ସଂଘ କାର୍ଯ୍ୟାଳୟରେ ବହୁ କଳାକାରଙ୍କ ଉପସ୍ଥିତିରେ ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ଧନେଶ୍ୱର ଦାସଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଗୀତିକାର ଭୀମଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଗୀତିକାର ଓ କଣ୍ଠଶିଳ୍ପୀ ରଘୁନାଥ ବାରିକ, ଚିତ୍ରଶିଳ୍ପୀ ପ୍ରେମଶ୍ରୀ ରାଉତ, ସାହିତ୍ୟିକ ନିର୍ମଳ ଚନ୍ଦ୍ର ସ୍ୱାଇଁ, କଣ୍ଠଶିଳ୍ପୀ ଦେବେନ୍ଦ୍ର ପ୍ରସାଦ ପଣ୍ଡା, ସଙ୍ଗୀତ ନିର୍ଦେଶକ ରୁଦ୍ରମାଧବ ବାରିକ, ବାଦ୍ୟଶିଳ୍ପୀ ଦୀପକ ଦାଶ, ନୃତ୍ୟଗୁରୁ ସୁଶ୍ରୀ ସଙ୍ଗୀତା କର, ଡ. ସର୍ବେଶ୍ୱର ସାହୁ, ପ୍ରଶାନ୍ତ ଓଝା, ଉପଦେଷ୍ଟା ନିତ୍ୟାନନ୍ଦ ଦାଶ, ଜ୍ୟୋକ୍ଟରାଣି ନାୟକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇ ଆଦର୍ଶ ଗୁରୁଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସ୍ୱର୍ଗତ ଦାସ ଦୀର୍ଘ ୮୦ ଦଶକରୁ ସଙ୍ଗୀତ ଶିକ୍ଷାଦାନ ଦେଇ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବା ସହ କଳା ଓ ସଂସ୍କୃତିର ମାଟି ଭଦ୍ରକରେ ‘ସ୍ୱରତୀର୍ଥ’ ନାମକ ଏକ ସଙ୍ଗୀତ ଅନୁଷ୍ଠାନ କରି ଶତାଧିକ କଳାକାର ସୃଷ୍ଟି କରି ପାରିଛନ୍ତି ବୋଲି ସ୍ମୃତିସଭାରେ ଆଲୋଚନା ହୋଇଥିଲା। ତାଙ୍କ ସଙ୍ଗୀତ ସାଧନାର ସ୍ୱୀକୃତି ପୂର୍ବକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତ ପ୍ରଭାକର, ସଙ୍ଗୀତ ଭାରତୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସାଳନ୍ଦୀ ମହୋତ୍ସବ ସମ୍ମାନ, ଜଗନ୍ନାଥ କଳାକାର ସଂଘ ପକ୍ଷରୁ ୨୦୦୭ରେ ସଙ୍ଗୀତ ରତ୍ନ ସମ୍ମାନ ତଥା ସର୍ବୋପରି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ରାଜ୍ୟପାଳଙ୍କ ଠାରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ପାରିଥିଲେ।

Leave a Reply

Your email address will not be published. Required fields are marked *