ଶାସ୍ତ୍ରୀୟ କଥକ ଓ ଓଡଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା

କୋଣାର୍କ ୦୨.୧୨.୧୭ (ଓଡ଼ିଆ ପୁଅ/ବିଜୟ ମିଶ୍ର) ଅର୍କକ୍ଷେତ୍ର କୋଣାର୍କର ଭବ୍ୟ ସୂର୍ଯ୍ୟ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ଶାସ୍ତ୍ରୀୟ, କଥକ ଓ ଓଡିଶୀ ନୃତ୍ୟ ପରିବେଷଣରେ ହୋଇଥିଲା ନୃତ୍ୟମୁଖର। ଅଭିନବ ଡ୍ୟାନସ୍ କମ୍ପାନି ବାଙ୍ଗାଲୋରର ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଦମ୍ପତି ନିରୁପମା ଓ ରାଜେନ୍ଦ୍ର ଓ ସାଥିଙ୍କ କଥକ ଶୁଦ୍ଧ ନୃତ୍ୟ ଲୟ ଲାସ୍ୟ ଉଦ୍ଧତ ଶକ୍ତି ଓ ସୁକୁମାର ଶକ୍ତି ସମନ୍ୱୟକୁ ତୋଳି ଧରିଥିଲା। ନାଟ୍ୟଶାସ୍ତ୍ର ଆଧାରିତ ଏହି ନୃତ୍ୟ ସଂଯୋଜନା ଖୁବ୍ ରୁଚିପୂର୍ଣ୍ଣ ଭାବେ ପରିବେଶିତ ହୋଇଥିଲା। ଏହାପରେ କଥକ ନୃତ୍ୟରେ ଦେଖିବାକୁ ମିଳିଥିଲା ରାସ ରାଜ କୃଷ୍ଣ, ରାସେଶ୍ୱରୀ ଓ ବୃନ୍ଦାବନ ଗୋପବାଳୀଙ୍କ ପ୍ରିତି ବିଳାସର ରସସିକ୍ତ-ଅବତାରଣା – ରାସଲୀଳା। ଶାସ୍ତ୍ରୀୟ ଓ କଥକ ନୃତ୍ୟର ଅନ୍ତିମ ପ୍ରସ୍ତୁତି ଥିଲା ଚତୁରଙ୍ଗ। ସାହିତ୍ୟ, ସରଗମ, ବୋଲ ଓ ତରାନ୍ନା କୁ ନେଇ ନଟରାଜ ଶିବ ଓ ପାର୍ବତୀଙ୍କ ନୃତ୍ୟ ଆଧାରିତ ଚତୁରଂଗ ପରିବେଶଣ ଖୁବଗ ଚିତାକର୍ଷକ ଥିଲା।

ଦ୍ୱିତୀୟ ଚରଣରେ କୋଲକତାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଓ ଦୀକ୍ଷା ମଞ୍ଜରୀ ଅନୁଷ୍ଠାନର ଶିଳ୍ପୀଗଣ ମଞ୍ଚସ୍ଥ କରିଥିଲେ ଓଡିଶୀର ସୁଦୀର୍ଘ ଯାତ୍ରା। ଶାସ୍ତ୍ରୀୟ ଓଡିଶୀ ନୃତ୍ୟର ବିଭିନ୍ନ ପର୍ଯ୍ୟାୟରେ-ମଙ୍ଗଳାଚରଣ, ପଲ୍ଲବୀ ଓ ଅଭିନୟ ଆଧାରରେ ନୃତ୍ୟର କ୍ରମବିକାଶ ଏବଂ ଆଂଗିକ ବିବର୍ତ୍ତନକୁ ନିଖୁଣ ଉପସ୍ଥାପନ କରିଥିଲେ ଶିଳ୍ପୀଗଣ। ମଂଗଳାଚରଣରେ ଶାନ୍ତାକାରମ ଶୁଦ୍ଧନୃତ୍ୟ ପଲ୍ଲବୀରେ ଆରଭୀ ରାଗ ଓ ଅଭିନୟରେ ଅର୍ନ୍ଧନାରିଶ୍ୱର ପରିବେଶିତ ହୋଇଥିଲା ଏହି ନୃତ୍ୟ ସଂଯୋଜନାରେ

ଉତ୍ସବର ଦ୍ୱିତୀୟ ସଂଧ୍ୟାକୁ ପ୍ରଦୀପ ଜାଳି ଆରମ୍ଭ କରିଥିଲେ ତେଲେଙ୍ଗାନା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କାଦିଆମ ଶ୍ରୀହରି, ଓଡିଶା ସ୍କିଲ ଡେଭଲପ୍ମେଣ୍ଟ ଅଥରିଟି ଅଧକ୍ଷ ସୁବ୍ରତ ବାଗଚୀ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଦିଲ୍ଲୀ – ପି. କେ. ତ୍ରିପାଠୀ, ସଂସ୍କୃତି ଗବେଷକ ଡଃ. ସୁବାସ ପାଣି, ପର୍ଯ୍ୟଟନ ନିର୍ଦ୍ଦେଶ ଡଃ. ନୀତିନ ଭାନୁଦାସ ଜୱାଲେ, ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ।

ଡଃ. ଶ୍ରାଧନା ଶ୍ରୀବାସ୍ତବ ଓ ଡଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ପ୍ରଣବ କୁମାର ଚାନ୍ଦ, ଡଃ. ସୁନିଲ କୁମାର ପଟ୍ଟନାୟକ ଓ ସୁଶାନ୍ତ କୁମାର ପାଣିଗ୍ରାହୀ ପ୍ରଭୁତି ସହଯୋଗ କରିଥିଲେ। ଡଃ. ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମୀର ସଚିବ ପ୍ରଦୀପ କୁମାର ମିଶ୍ର ଆଦି ପରିଚାଳନାରେ ସହାୟତା ଦେଇଥିଲେ। କୋଣାର୍କ ଅନ୍ତର୍ଗତ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଆଜି ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲ।

Leave a Reply

Your email address will not be published. Required fields are marked *