ଶାସନର ୧୭ ବର୍ଷ ପରେ ୧୭ ମସିହାରେ କାହିଁକି ମନେ ପଡିଲା ଶିଶୁ ଦିବସ ?

ଶାସନର ତିନି ପାଳି କଂଗ୍ରେସକୁ ପକେଟରେ ପୁରାଇ ବିନା ରାଜନୈତିକ ବିରୋଧରେ ଜନ ପ୍ରିୟତାର ଡିଂଡିମ ପିଟୁଥିବା ନବୀନ, ମୋଦି ଶାସନର ସାଢେ ତିନି ବର୍ଷରେ ରାଜନୈତିକ ବିରୋଧରେ ଭୀତଗ୍ରସ୍ତ : ବିଜେପି

– ନିଜ ଜନପ୍ରିୟତାର ମିଛ ନଗଡା ବଜାଇବା ପାଇଁ ରାଜକୋଷର ୨ ଶହ କୋଟି ଟଙ୍କା ଖର୍ଚରେ ଶିଶୁ ଦିବସରେ ଶିଶୁ ପ୍ରେମର ମିଛ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ନବୀନ
– ୭୮୮୫ ପଂଚାୟତରେ ୨୦ ହଜାର ଓ ୩୧୪ ବ୍ଲକରେ ଲକ୍ଷେ ଦଶ ହଜାର ସରକାରୀ ବ୍ୟୟବରାଦ ବିକାଶ ଖର୍ଚରୁ କାଟି ନିଜର ପ୍ରଚାର
– କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିର ରିପୋର୍ଟ ଦେବାକୁ କହି ଜୋର ଜବରଦସ୍ତି ଉପସ୍ଥିତ କରାଇବାକୁ ଚାହୁଁଛନ୍ତି ସରକାର
– ସବୁ ଶ୍ରେଣୀ ପାଇଁ ଶ୍ରେଣୀ ଗୃହ ନାହିଁ, ସବୁ ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି
– ୭ ପ୍ରତିଶତ ସରକାରୀ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି। ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି।
– ସ୍କୁଲରେ ବିଜୁଳି ନାହିଁ, କଂପ୍ୟୁଟର ଶିକ୍ଷା କାଗଜ କଲମରେ
– ରାଜ୍ୟରେ ୭୨ ହଜାର ୫୮୭ ମଂଜୁରୀ ପ୍ରାପ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୪୦ ହଜାର ୮୦୫ ନିଜସ୍ୱ ଗୃହ ନାହିଁ
– ରାଜ୍ୟରେ ୪୫ ହଜାର ୫୩୬ ଗୁରୁତର ଭାବେ ଅପପୁଷ୍ଟିର ଶୀକାର ଶିଶୁ ଚିହ୍ନଟ ହୋଇଥିବାର ତଥ୍ୟ ସରକାର ନିଜେ ଦେଇଛନ୍ତି
– ପୋକରା ଗମରା ଛତୁଆ ଦୁର୍ନୀତିର ମୁଖ୍ୟ ନାୟକ କିଏ ?
– ମୁଖ୍ୟମନ୍ତ୍ରୀ ଖୋଲିବେ କି ଡାଲି ଦୁର୍ନୀତିର ପୁରୁଣା ପେଡି ?
– ବିତର୍କ ଓ ରଚନା ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ଲୋକାର୍ପିତ ହେଲା ୱେବସାଇଟ www.studenttips.in

ଭୁବନେଶ୍ୱର, ତା.୧୩/୧୧(ଓଡ଼ିଆ ପୁଅ): ଶାସନର ୧୭ ବର୍ଷ ପରେ ୨୦୧୭ ମସିହାରେ ନଭେମ୍ବର ୧୪ ଶିଶୁ ଦିବସ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ମନେ ପଡିବା ପଛରେ କଣ ଗୁଢ ରହସ୍ୟ ରହିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

ବିଗତ ୧୭ ବର୍ଷ ଧରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଯୋଜନାବଦ୍ଧ ଭାବେ ପକେଟରେ ପୁରାଇ ବିନା ରାଜନୈତିକ ବିରୋଧରେ ଜନ ପ୍ରିୟତାର ଡିଂଡିମ ପିଟୁଥିବା ନବୀନ ପଟ୍ଟନାୟକ ମୋଦି ଶାସନର ସାଢେ ତିନି ବର୍ଷରେ ରାଜନୈତିକ ବିରୋଧରେ ଭୀତଗ୍ରସ୍ତ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଜନପ୍ରିୟତାର ମିଛ ନଗଡା ବଜାଇବା ପାଇଁ ରାଜକୋଷର ୨ ଶହ କୋଟି ଟଙ୍କା ଖର୍ଚରେ ଶିଶୁ ଦିବସରେ ଶିଶୁ ପ୍ରେମର ମିଛ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାରଙ୍କର ସରକାରୀ ଭାବେ ଜାରୀ ନିର୍ଦେଶନାମା ଅନୁସାରେ ପ୍ରତି ପଂଚାୟତରେ ୨୦ ହଜାର ଟଙ୍କା ବ୍ୟୟରେ ଶିଶୁ ଦିବସକୁ ଲାଇଭ ଶୁଣିବେ ଛାତ୍ର –ଛାତ୍ରୀ ଓ ଅଭିଭାବକ। ପ୍ରତି ବ୍ଲକ ପାଇଁ ଅନୁମୋଦିତ ହୋଇଛି ୧ ଲକ୍ଷ ୧୦ ହଜାରର ଅର୍ଥ। ରାଜ୍ୟର ୭୮୮୫ ପଂଚାୟତ, ୩୧୪ ବ୍ଲକ, ସବୁ ଜିଲ୍ଲା କେନ୍ଦ୍ର. ଅର୍ବାନ ଲୋକାଲ ବଡିରେ ବ୍ୟୟବହୁଳ ବହୁ ଆଡମ୍ବର ଆୟୋଜନ ସହ ପ୍ରଚାର ପ୍ରସାରରେ ରାଜକୋଷର ୨ ଶହ କୋଟି ଟଙ୍କା ବିକାଶ କାମରୁ କଟା ହୋଇ ଖର୍ଚ ହେବା ନବୀନ ପଟ୍ଟନାୟକଙ୍କ ଶିଶୁଙ୍କ ପ୍ରତି ପ୍ରତିବଦ୍ଧତା ନୁହେଁ ନିଜର ଖସୁଥିବା ଜନପ୍ରିୟତାକୁ ସଜାଡିବା ପାଇଁ ଏକ ହତାଶ ଉଦ୍ୟମ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର- ଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିର ରିପୋର୍ଟ ଦେବାକୁ କହି ଜୋର ଜବରଦସ୍ତି ଉପସ୍ଥିତ କରାଇବାକୁ ଚାହୁଁଛନ୍ତି ସରକାର। ଗରୀବ ଓଡିଆ ପିଲାର ମେଧା ଶକ୍ତି ଓଡିଶାର ମୂଳ ସମ୍ବଳ। ଉତମ ସରକାରୀ ଶିକ୍ଷା ବ୍ୟବସ୍ଥା ହିଁ ଗରୀବ ଓଡିଆ ପିଲାର ଭବିଷ୍ୟତର ଚାବି କାଠି। ମାତ୍ର ନବୀନଙ୍କ ୧୭ ବର୍ଷ ଶାସନରେ ଓଡିଶାର ଶିକ୍ଷା ବ୍ୟବସ୍ଥା ଧ୍ୱସ୍ତ- ବିଧ୍ୱସ୍ତ ହୋଇ ଯାଇଛି। ସରକାରୀ ହିସାବ ଅନୁସାରେ ରାଜ୍ୟରେ ୨୯, ୯୪୪ଟି ପ୍ରାଥମିକ ବିଦ୍ୟାଳୟ ଓ ୧୧, ୭୪୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀ ଗୃହ ନାହିିଁ। ସେହିପରି ୩୨, ୫୫୩ଟି ପ୍ରାଥମିକ ଓ ୧୨, ୪୬୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି।

ଏପରିକି ୭ ପ୍ରତିଶତ ସରକାରୀ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି। ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି।

ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟରେ ଏବେ ୨୪, ୪୪୬ଟି ଶିକ୍ଷକ ପଦ ଖାଲି ରହିଛି। ସରକାରୀ ହାଇସ୍କୁଲରେ ମୋଟ ୧୧, ୩୪୧ ପଦବୀ ଖାଲି ରହିଛି। ମୁଖ୍ୟମନ୍ତ୍ରୀ ୨୦୧୫ରେ ଦେଇଥିବା “ଶିକ୍ଷକ ନିଯୁକ୍ତି ବୋର୍ଡ “ଗଠନ ନିର୍ଦ୍ଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ।

ରାଜ୍ୟର ପିଲା ମାନଙ୍କୁ କଂପ୍ୟୁଟର ଶିକ୍ଷା ତ ଦୂରର କଥା, ମାତ୍ରାଧିକ ସ୍କୁଲରେ ବିଜୁଳି କାହିଁକି ପହଂଚି ନାହିଁ।

ରାଜ୍ୟରେ ୭୨ ହଜାର ୫୮୭ ମଂଜୁରୀ ପ୍ରାପ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୪୦ ହଜାର ୮୦୫ ନିଜସ୍ୱ ଗୃହ ନାହିଁ। ଏଥି ପାଇଁ କେନ୍ଦ୍ର ସରକାରଙ୍କର ସାଧାରଣ ବ୍ୟବସ୍ଥା ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ବ୍ୟବସ୍ଥା କରୁଥିଲେ ମଧ୍ୟ ଅଙ୍ଗନବାଡିର ଭିତିଭୂମି ସଜାଡିବାରେ ରାଜ୍ୟ ସରକାର କାହିଁକି ବିଫଳ ?

ଗରୀବ ପିଲା ମାନଙ୍କୁ ପୁଷ୍ଟିକର ଛତୁଆ ବଦଳରେ ପୋକରା ଗମରା ଛତୁଆ ଦେଇ ବିଜେଡି କର୍ମୀ ମାନେ ଲୂଟି ନେଇଥିବା ଶହ ଶହ କୋଟି ଟଙ୍କା ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ମନେ ପକାଇବା ପାଇଁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ମହାନ୍ତି। ରାଜ୍ୟରେ ୪୫ ହଜାର ୫୩୬ ଗୁରୁତର ଭାବେ ଅପପୁଷ୍ଟିର ଶୀକାର ଶିଶୁ ଚିହ୍ନଟ ସରକାର ନିଜେ ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ଏହା ସହ ଛାତ୍ର- ଛାତ୍ରୀ ମାନଙ୍କୁ ବକ୍ତୃତା ଓ ରଚନା ଲିଖନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦିଆ ଯାଇଥିବା ବିଷୟ ସମ୍ବନ୍ଧରେ ଛାତ୍ର- ଛାତ୍ରୀଙ୍କ ଅବଗତି ନିମନ୍ତେ ଦଳ ତରଫରୁ ଙ୍ଗଙ୍ଗଙ୍ଗ.ଗ୍ଦଗ୍ଧଙ୍କୟରଦ୍ଭଗ୍ଧଗ୍ଧସକ୍ଟ୍ରଗ୍ଦ.ସଦ୍ଭ ୱେବସାଇଟକୁ ଦଳ ତରଫରୁ ଲୋକାର୍ପିତ କରାଯାଇଛି। ଏହି ସାଇଟରେ ଶିଶୁ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦେଶରେ ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ବିତର୍କ ଓ ରଚନା ପ୍ରତିଯୋଗିତା ପାଇଁ ଅଭ୍ୟାସ ପୁସ୍ତିକା ରହିଛି। ଏଥିରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର, ଆମ ଶିକ୍ଷା ବ୍ୟବସ୍ଥା ପାଇଁ ସରକାର ଅଙ୍ଗୀକାରବଦ୍ଧ, ଆମ ସରକାର – ଆମ ବିକାଶ, ଅଗ୍ରଣୀ ଓଡିଶା- ଜାତୀୟ ସ୍ତରରେ ଓଡିଶା ସବୁ କାର୍ଯ୍ୟକ୍ରମରେ ଅଗ୍ରଣୀ ଆଦି ବିଷୟ ଉପରେ ଛାତ୍ର- ଛାତ୍ରୀଙ୍କ ଅବଗତି ନିମନ୍ତେ ତଥ୍ୟ ପ୍ରଦାନ କରାଯାଇଛି।

ଛାତ୍ର- ଛାତ୍ରୀ ମାନେ ଦୈନନ୍ଦିନ ଜୀବନରେ ଯାହା ଅନୁଭବ କରୁଛନ୍ତି, ଏହି ପ୍ରତିଯୋଗିତାରେ ତାହା ଉଲ୍ଲେଖ କରିବାକୁ ଦଳ ତରଫରୁ ଅନୁରୋଧ କରାଯାଇଛି।

ଏହି ସାଇଟରେ ଶିକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଭିନ୍ନ ବ୍ୟଙ୍ଗ ଚିତ୍ର, ଆମ କାମ କହେ କଥା, ଏହା କଣ ଶ୍ରେଷ୍ଠ ପ୍ରଶାସନ ?. ଏମାନଙ୍କ କଥା ମୁଖ୍ୟମନ୍ତ୍ରୀ ମନେ ପକାଇବେ କି ? ଲଜ୍ଜା ଓ ଅପ ପ୍ରଚାର ଶୀର୍ଷକରେ ଦଳ ତରଫରୁ ବିଭିନ୍ନ ତଥ୍ୟ ଓ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଛାତ୍ର- ଛାତ୍ରୀଙ୍କ ଅବଗତି ନିମନ୍ତେ ସାଇଟରେ ସ୍ଥାନିତ କରାଯାଇଛି। ଛାତ୍ର ଛାତ୍ରୀ ମାନେ ଏହାର ସୁବିଧା ନେବା ସହ ଦଳର ସୋସିଆଲ ମିଡିଆରେ ନିରନ୍ତର ଭାବେ ଏ ସମ୍ପର୍କିତ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରା ଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା ଓ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *