ଓଡ଼ିଶା

ଶାସକ ବିଜେଡି ମହାନଦୀ ପାାଇଁ ମହାସଂଗ୍ରାମ କରିବା ପ୍ରସଙ୍ଗରେ: ରାଜ୍ୟବାସୀଙ୍କୁ ପାଣି ଯୋଗାଇବା ନୁହେଁ ବରଂ ବିଭ୍ରାନ୍ତି କରି ଭୋଟ ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ: ବିଜେପି

– ମୁଖ୍ୟମନ୍ତ୍ରୀ ୧୮ ବର୍ଷ ମଧ୍ୟରେ ଗୋଟିଏ ବି ବନ୍ଧ କରି ନାହାଁନ୍ତି
– ମୁଖ୍ୟମନ୍ତ୍ରୀ ମହାନଦୀକୁ ନେଇ ମହାସଂଗ୍ରାମ କରି ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖି ହୀନ ରାଜନୀତି କରୁଛନ୍ତି
– ଦୀର୍ଘ ୧୮ ବର୍ଷ ଶାସନ ଭିତରେ ରାଜ୍ୟ ସରକାର ଲୋକଙ୍କ ପାଖରେ ମୈାଳିକ ସୁବିଧା ପହଂଚାଇ ପାରିନାହାଁନ୍ତି

ଭୁବନେଶ୍ୱର, ତା ୧୬/୦୫ (ଓଡ଼ିଆ ପୁଅ) : ମହାନଦୀକୁ ନେଇ ମୁଖ୍ୟମନ୍ତ୍ରୀ ଏକ ନାଟକ ରଚନା କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି। ମହାନଦୀରେ ଜଳର ଅଭାବ ନାହିଁ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା, ମହାନଦୀ ବିବାଦର ସମାଧାନ କରିବା ପାଇଁ ଆଲୋଚନାରେ ସାମିଲ ନହେବା ଏବଂ ସୁପ୍ରିମ କୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେବା ପରେ ବି କୋର୍ଟର ରାୟକୁ ଅପେକ୍ଷା ନକରି ପୁଣି ହୀନ ରାଜନୀତି କରିବା ମୁଖ୍ୟମନ୍ତ୍ରୀଙ୍କ ଟ୍ରିପଲ ଷ୍ଟାଣ୍ଡାଡ୍ ନୀତିକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ଏହି ନୀତିକୁ ଆପଣାଇ ରାଜ୍ୟବାସୀଙ୍କୁ ପାଣି ଯୋଗାଇବାକୁ ଚାହୁଁନାହାଁନ୍ତି। ମୁଖ୍ୟମନ୍ତ୍ରୀ ମହାନଦୀକୁ ନେଇ ମହାସଂଗ୍ରାମ କରି ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖି ହୀନ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

ପାନୀୟ ଜଳ ଅଭାବ ଓ ଚାଷ ଜମିକୁ ପାଣି ନପହଂଚିବା ରାଜ୍ୟର ସବୁଠୁ ବଡ ସମସ୍ୟା। ଦୀର୍ଘ ୧୮ ବର୍ଷ ଶାସନ ଭିତରେ ରାଜ୍ୟ ସରକାର ଲୋକଙ୍କ ପାଖରେ ମୈାଳିକ ସୁବିଧା ପହଂଚାଇ ପାରିଲେ ନାହିଁ। ଗତ ଡିସେମ୍ବର ୫ ତାରିଖ ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତର ରଖି କହିଥିଲେ ଯେ, ଜଳ ସେଚନ, ପାନୀୟ ଜଳ, ପର୍ଯ୍ୟାବରଣ ମିଶାଇ ଓଡିଶାର ଜଳର ଆବଶ୍ୟକତା ହେଉଛି ୪୪ହଜାର ୮୯୪ ମିଲିଅନ କ୍ୟୁବିକ୍ ମିଟର। ରାଜ୍ୟର ଜଳର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତରରେ କହିଥିଲେ। ଏଥି ସହ ୫୦ ହଜାର ୬୪୬ ମିଲିଅନ କ୍ୟୁବିକ ମିଟର ପାଣି ଅର୍ଥାତ୍ ୫୩ ପ୍ରତିଶତ ପାଣି ସମୁଦ୍ରକୁ ଚାଲି ଯାଉଛି। ଏହି ଜଳକୁ ରାଜ୍ୟସରକାର ସଂରକ୍ଷଣ ନକରି ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଲିବା ନ୍ୟାୟରେ ଅନ୍ୟକୁ ଦୋଷ ଦେଇ ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଦୀର୍ଘ ୧୮ବର୍ଷ ମଧ୍ୟରେ ୧୬୮ଟି ନଦୀବନ୍ଧରୁ ଗୋଟିଏ ବି ବନ୍ଧ ହୋଇପାରିଲା ନାହିଁ। ମେଗା ପ୍ରୋଜେକ୍ଟ ୮ଟି ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ୧୮ ବର୍ଷ ମଧ୍ୟରେ ଗୋଟିଏ ବି ବନ୍ଧ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୨୦୫୧ ସୁଦ୍ଧା ୧୦ଟି ନଦୀରେ ବନ୍ଧ କରି ଜଳ ସଂରକ୍ଷଣ କରିବେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ଜଳ ସଂରକ୍ଷଣକୁ ନେଇ ଗୋଟିଏ ବି ଯୋଜନା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶାସକ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ମହାନଦୀ ବ୍ୟତୀତ ଆଉ ୧୦ଟି ନଦୀର ଜଳ ବିବାଦ ସମାଧାନ ହୋଇପାରିନାହିଁ। ଓଡିଶା ଉପର ମୁଣ୍ଡରେ ଥାଇ ନାଗାବଳି, ଝଞ୍ଜାବତୀ, ବଂଶଧାରା ପରି ଅନେକ ନଦୀରେ କାହିଁକି ସମସ୍ୟା ହେଉଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭଆପତି ଶ୍ରୀ ରାଜକିଶୋର ଦାସ ଏବଂ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଏବଂ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top