ଶାସକ ବିଜେଡି ଦଳୀୟ ଓ ପାରିବାରିକ ସମ୍ପର୍କ ଆଧାରରେ ହିତାଧିକାରୀ ଚୟନ କରି ପକ୍କା ଘର ଆବଂଟନ କରିଛି : ବିଜେପି

-ଭୁବନେଶ୍ୱର ୱାର୍ଡ ନମ୍ବର ୫୬ ମଇଁଷିଆଖାଲ ଅଂଚଳର ୮୦ଟି ଗରୀବଙ୍କ ପାଇଁ ପକ୍କାଘର ମଧ୍ୟରୁ ୧୨ ଜଣ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରମାଣ ସହ ଉପସ୍ଥାପିତ
-ହିତାଧିକାରୀଙ୍କ ମଧ୍ୟରେ ପେନସନ ଭୋଗୀ ପରିବାର, ଘର ପଟ୍ଟା ଓ ପକ୍କା ଘର ଥିବା ପରିବାର ସାମିଲ
-ପୂର୍ବରୁ ଏହି ଅଂଚଳରେ ବିଜେପିର ପ୍ରତିବାଦ କାରଣରୁ ଡେପୁଟି ମେୟରଙ୍କ ୧୪ ସମ୍ପର୍କୀୟ ନିଜ ନାମକୁ ପ୍ରତ୍ୟାହାର କରିଛନ୍ତି
-ଏ ସମ୍ପର୍କରେ କେନ୍ଦ୍ର ସହରାଂଚଳ ମନ୍ତ୍ରୀ ଭେଙ୍କେୟା ନାୟଡୁଙ୍କୁ ସ୍ମାରକ ପତ୍ର ଦେଇ ହସ୍ତକ୍ଷେପ ଲୋଡିବ ବିଜେପି

ଭୁବନେଶ୍ୱର, ୪/୫ (ଓଡ଼ିଆ ପୁଅ): ସହରାଂଚଳରେ ଗରୀବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଜନାରେ ସବୁ ନିୟମ କାନୁନକୁ ଭାଙ୍ଗି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଓ ପାରିବାରିକ ସମ୍ପର୍କ ଆଧାରରେ ଘର ଆବଂଟିତ କରାଯାଇଥିବା ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ରାଜଧାନୀ ଭୁବନେଶ୍ୱର ୫୬ ନମ୍ବର ବାର୍ଡ ଅନ୍ତର୍ଗତ ମଇଁଷିଆଖାଲ ଠାରେ ନିର୍ମାଣାଧୀନ ଦୁଇଟି ବ୍ଲକର ୮୦ଟି ଘର ମଧ୍ୟରୁ ୧୨ଟି ଘର ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଆବଂଟିତ କରାଯାଇଥିବା ଅଭିଯୋଗ କରିବା ସହ ଏହି ୧୨ ହିତାଧିକାରୀ କିଏ ଓ ରାଜୀବ ଆବାସ ଯୋଜନାର କେନ୍ଦ୍ରୀୟ ଗାଇଡଲାଇନ ଆଧାରରେ କାହିଁକି ସେମାନନେ ଅଯୋଗ୍ୟ ତାହାର ତାଲିକା ଓ ପ୍ରମାଣ ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରିଛନ୍ତି।

ଏହି ୧୨ ଜଣ ହିତାଧିକାରୀଙ୍କ ମଧ୍ୟରୁ ସେମାନଙ୍କ ପରିବାର ସଦସ୍ୟ ପେନସନଭୋଗୀ, ସେମାନଙ୍କ ଗାଁରେ ଘର ଡିହ ଥିବା ବା ଘର ଡିହ ଉପରେ ପକ୍କା ଘର ଥିବା, ଦମ୍ପତିଙ୍କ ମଧ୍ୟରୁ ଜଣଙ୍କର ନିଜ ନାଁରେ ଜାଗା ଓ ପକ୍କା ଘର ଥିବା ବା ବିଜୁ ପକ୍କା ଘର ଯୋଜନା ହିତାଧିକାରୀ ହୋଇଥିବାର ପ୍ରମାଣ ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ତାଙ୍କ ଦଳ ହିତାଧିକାରୀ ନେଇ ପ୍ରତିବାଦ କରିବା କାରଣରୁ ଭୁବନେଶ୍ୱର ଡେପୁଟି ମେୟର କେ. ଶାନ୍ତିଙ୍କ ପରିବାର ଓ ସମ୍ପର୍କୀୟ ୧୪ ଜଣ ସେମାନଙ୍କର ନାମରେ ଆବଂଟିତ ୧୪ଟି ଘର ହିତାଧିକାରୀ ତାଲିକାରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି।

ଜେଏନଏନୟୁଆରଏମ କେନ୍ଦ୍ର ସରକାରଙ୍କର ଯୋଜନାରେ ସହରାଂଚଳର ବସ୍ତି ବାସିନ୍ଦାଙ୍କ ପାଇଁ ୨୫୦ ବର୍ଗଫୁଟର ପକ୍କା ଘର ଯୋଗାଇ ଦିଆ ଯାଉଛି। ଏହି ଯୋଜନାରେ କେନ୍ଦ୍ର ସରକାର ୮୦ ପ୍ରତିଶତ ଅର୍ଥ ଯୋଗାଉଥିବା ବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଓ ହିତାଧିକାରୀ ୧୦ ପ୍ରତିଶତ ଅର୍ଥ ପ୍ରଦାନ କରିଥାନ୍ତି। ସାଧାରଣ ଲୋକଙ୍କ ଝାଳବୁହା ଅର୍ଥର ଲାଭ ଦଳୀୟ ଓ ସମ୍ପର୍କ ଆଧାରରେ ବଂଟା ଯିବା ଦେଶର ନିୟମ କାନୁନର ଖୋଲା ଉଲ୍ଲଂଘନ ହୋଇଥିବାରୁ ତାଙ୍କ ଦଳ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିବ। ଘର ଆବଂଟନ ଏକ ନିର୍ଦିଷ୍ଟ ଗାଇଡ ଲାଇନ ଆଧାରରେ ହୋଇଥିବା ବେଳେ କାହିଁକି ସେ ଗାଇଡଲାଇନକୁ ଉଲ୍ଲଂଘନ କରି ଅଯୋଗ୍ୟ ବ୍ୟକ୍ତିଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଇଛି ଏଥି ନେଇ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାୟଡୁଙ୍କୁ ଅବଗତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ କହିଛନ୍ତି।

ଗରୀବ ମାନଙ୍କ ପାଇଁ ଆବାସ ଯୋଜନା କାର୍ଯ୍ୟ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ମନ୍ଥର ଗତିରେ ଚାଲିଛି। ଜେଏନଏନୟୁଆରଏମର ଗୃହ ନିର୍ମାଣ କାର୍ଯ୍ୟ ପଛରେ ପଡିଥିବା ବେଳେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଆସୁଥିବା ପ୍ରଚୁର ଅର୍ଥ ମଧ୍ୟ ବ୍ୟୟ ନ ହୋଇ ପଡି ରହିଛି। ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ଗରୀବ କଲ୍ୟାଣର ପ୍ରୟୋଗଶାଳା କରିଛନ୍ତି। ସହରାଂଚଳ ଗରୀବଙ୍କ ପାଇଁ ଅର୍ଥ ଉପଲବ୍ଧ ହେବା ସତ୍ୱେ ଗୃହ ନିର୍ମାଣ କରାଯାଇ ନ ପାରିବା ପରିତାପର ବିଷୟ ବୋଲି ଶ୍ରୀ ଖୁଂଟିଆ ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ ଏବଂ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *