ଓଡ଼ିଶା

ଶାସକ ବିଜେଡିର ଅର୍ନ୍ତଦ୍ୱନ୍ଦ କାରଣରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା କରିବା ପ୍ରସଙ୍ଗରେ
– ଦିନକୁ ଦିନ ଶାସକ ବିଜେଡି ହ୍ରିଂସ ହୋଇ ପଡିଲାଣି
– ତୃତୀୟ ମହଲାରେ ବସି ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରାଇମ ସିଣ୍ଡିକେଟକୁ ପରିଚାଳନା କରୁଛନ୍ତି
– ଢେଙ୍କାନାଳ ଯୁବ ସଭାପତିଙ୍କୁ ହତ୍ୟା କରବା ପଛରେ ଦଳୀୟ କନ୍ଦଳ ହିଁ ପ୍ରମୁଖ କାରଣ
– ପ୍ରତିଟି ଘଟଣାର ତଦନ୍ତ ମୁଖ୍ୟମନ୍ତ୍ରୀ ନଚାହିଁବା ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ
– ନିଜ ଦଳ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ଦଳୀୟ ନେତାଙ୍କୁ ଆକ୍ରମଣ କରିବା ଏବେ ବିଜେଡିର ନିତିଦିନିଆ ଘଟଣା ପାଲଟିଛି

ଭୁବନେଶ୍ୱର, ତା.୨୬/୦୩ (ଓଡ଼ିଆ ପୁଅ) : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତିଙ୍କୁ ହତ୍ୟା କରିବା ପଛରେ ଦଳୀୟ ଗୋଷ୍ଠୀ କନ୍ଦଳ ଉପରେ ଆଙ୍ଗୁଠି ଉଠିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରାଜ୍ୟର ଗୃହବିଭାଗ ଥିବା ସତ୍ୱେ ବି ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଡକୁ ମୁହାଁଇଛି। ଦୀର୍ଘ ୧୮ ବର୍ଷର ଶାସନ ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ଗୋଟିଏ ବିଭାଗକୁ ଠିକ୍ ଢଙ୍ଗରେ ତୁଲାଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି।

ଏବେ ଶାସକ ବିଜେଡି ହ୍ରିଂସ ହୋଇ ପଡିଛି। କଥା କଥାରେ ଅପହରଣ, ଗୁଳିମାଡ ଏମିତିକି ହତ୍ୟା କରିବାକୁ ବି ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ପଛଉନାହାଁନ୍ତି। ଏସବୁ ଘଟଣା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଘଟୁଛି। ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାର ମହାନାୟକ ସାଜି ରାଜ୍ୟବ୍ୟାପୀ ହିଂସା କରିବାକୁ ପୋତ୍ସାହନ ଦେଉଛନ୍ତି। ପଂଚାୟତ ନିର୍ବାଚନ ହେଉ ଅବା ବିଜେପୁର ଉପନିର୍ବାଚନ ସାଧାରଣ ଜନତାଙ୍କୁ ଭୟଭୀତ କରାଇ ଭୋଟ ହାତେଇବାକୁ ଚେଷ୍ଟା କରିଛି ଶାସକ ବିଜେଡି। ସେହିପରି ବିରୋଧୀଙ୍କ ଉପରକୁ ଗୁଳିମାଡ କରିବା, ମିଥ୍ୟା କେସ୍ରେ ପୋଲିସ ଦ୍ୱାରା ବିରୋଧୀ ନେତା ଏବଂ କର୍ମୀମାନଙ୍କୁ ଗିରଫ କରିବା କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦ୍ୱାରା କରାଯାଉଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଦିନ ଦ୍ୱିପ୍ରହରରେ ଗଣଦୁର୍ଷ୍କମ କରି ଅପରାଧୀମାନେ ଖୁଲୁମ ଖୁଲା ବୁଲୁଛନ୍ତି। ଅତୀତରେ ଘଟିଥିବା ବିଭିନ୍ନ ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳର କିଛି ନେତା ଓ କର୍ମୀମାନଙ୍କର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି। ଏହା ସତ୍ୱେ ବି ରାଜ୍ୟ ପୋଲିସ ଶାସକ ବିଜେଡିର ହାତବାରେସି ସାଜି ଚୁପ୍ ରହି ନୀରବଦ୍ରଷ୍ଟା ପାଲଟିଛି। ପ୍ରତିଟି ଘଟଣାର ତଦନ୍ତ ମୁଖ୍ୟମନ୍ତ୍ରୀ ନ ଚାହିଁବା ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ। ଏମିତିକି ଅନେକ ଘଟଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ଦଳୀୟ ନେତାଙ୍କୁ ସମର୍ଥନ ଦେଇ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ତୃତୀୟ ମହଲାରେ ବସି ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରାଇମ ସିଣ୍ଡିକେଟକୁ ପରିଚାଳନା କରୁଛନ୍ତି। ନିଜ ଦଳୀୟ ଗୋଷ୍ଠୀ କନ୍ଦଳ ଭିତରେ ବି ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି। ରାଜ୍ୟରେ ଟେଣ୍ଡର ଫିକ୍ସିଙ୍ଗ୍ ଓ ପିସି କରାବାର ଦଳୀୟ ଅର୍ନ୍ତକନ୍ଦଳର ମୁଖ୍ୟ କାରଣ। ପୂର୍ବରୁ ଏପରି ପ୍ରସଙ୍ଗରେ ନିଜ ଦଳର ନେତା ଓ କର୍ମୀମାନେ ହତ୍ୟାର ଶିକାର ହୋଇଛନ୍ତି। ବନାବିରା ଗୁଳିକାଣ୍ଡରେ ଶାସକ ଦଳର ମନ୍ତ୍ରୀ ତଥା ନେତା ସୁଶାନ୍ତ ସିଂହ ଭାଇ ସୁବ୍ରତ ସିଂହଙ୍କ ଡ୍ରାଇଭର ଦିଲେଶ୍ୱର ସାହୁକୁ ହତ୍ୟା କରିବା, ଟିଟିଲାଗଡରେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରିବା, ଆସ୍କାରେ ବିଜେଡି ନେତା ପ୍ରତାପ ପଲାଇଙ୍କୁ ଗୁଳି କରି ହତ୍ୟା କରିବା ଘଟଣା କେବଳ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ହୋଇଥିଲା। ସେହିପରି ଯାଜପୁର ଜିଲ୍ଲା ନିଜାମପୁର ପଂଚାୟତ ସମିତି ସଭ୍ୟ କେଦାର ଦାସଙ୍କୁ ହତ୍ୟା ଏବଂ ପୂର୍ବତନ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଏନ. ଭାସ୍କର ରାଓଙ୍କ ଭାଇଙ୍କୁ ଦଳୀୟ କନ୍ଦଳ ପାଇଁ ହତ୍ୟା କରାଯାଇଥିବା ଘଟଣାମାନଙ୍କ ଉଦାହରଣ ଦେବା ସହା ଏହି ସମସ୍ତ ହତ୍ୟାକାଣ୍ଡ ଏବଂ ଗୁଳିମାଡ ଘଟଣାରେ ବିଜେଡିର କାର୍ଯ୍ୟକର୍ତାମାନେ ସାମିଲ ଥିବାର ପ୍ରମାଣିତ ହୋଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସେହିପରି କେନ୍ଦୁଝରରେ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଦ୍ୱାରା ତେଲବୋଇ ବିଧାୟକ ବେଦବ୍ୟାସ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବା, ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ପ୍ରରୋଚନାରେ ବିଜେଡିର ବରିଷ୍ଠ ନେତା ହୁସେନ ରବି ଗାନ୍ଧୀଙ୍କୁ ଆକ୍ରମଣ କରିବା, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ ଏବଂ ମାର୍ଶାଘାଇରେ ପ୍ରତାପ ଜେନାଙ୍କ ପୃଥକ ପୃଥକ ଗୋଷ୍ଠୀ ଯୋଜନା ବଦ୍ଧ ଭାବେ ତାଙ୍କ ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଏବଂ ଭଦ୍ରକରେ ଶାସକ ବିଜେଡିର ବରିଷ୍ଠ ବିଧାୟକ ଯୁଗଳ ପଟ୍ଟନାୟକ ଏବଂ ମନ୍ତ୍ରୀ ପ୍ରଫୁଲ ସାମଲ ମଧ୍ୟରେ ଗୋଷ୍ଠୀକନ୍ଦଳ ଘନେଇବାର ଆନେକ ପ୍ରମାଣ ରହିଛି। ତେବେ ଆଜିର ଢେଙ୍କାନାଳ ହତ୍ୟାକାଣ୍ଡ ଘଟଣାରୁ ଏହା ସ୍ପଷ୍ଟ ଜଣା ପଡୁଛି ଯେ, ଏହି ହତ୍ୟା କରବା ପଛରେ ଦଳୀୟ କନ୍ଦଳ ହିଁ ପ୍ରମୁଖ କାରଣ ରହିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

ରାଜ୍ୟରେ ହିଂସା ସୃଷ୍ଟି ହେବା ଏବଂ ନିଜ ଦଳ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ଦଳୀୟ ନେତାଙ୍କୁ ଆକ୍ରମଣ କରିବା ଏବେ ବିଜେଡିର ନିତିଦିନିଆ ଘଟଣା ପାଲଟିଛି। ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ନରହି ଖୁବ ଶୀଘ୍ର ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ନଚେତ୍ ଆଗାମୀ ଦିନରେ ମହାଭାରତରେ ଯେପରି ଯଦୁବଂଶ ଲୋପ ପାଇଥିଲା ଠିକ୍ ସେହିପରି କ୍ଷମତା ପାଇଁ ବିଜେଡି ଦଳ ମଧ୍ୟ ଲୋପ ପାଇଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top