ଶାସକ ବିଜୁ ଜନତା ଦଳ ହେଲା ଚକଡା ପୋକ, କେବଳ ଧାନ ନୁହେଁ ବରଂ ସମଗ୍ର ଓଡିଶାକୁ ଖାଇ ସାରିଲାଣି : କେ.ଭି.ସିଂହଦେଓ

– ବିଜେପିର ପ୍ରରୋଚନାରେ ଯଦି ଚାଷୀ ସ୍ୱର୍ଗତ ବୃନ୍ଦା ସାହୁ ପ୍ରଭାବିତ ହୋଇପାରିଲେ, ତାହେଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ କାହିଁକି ପ୍ରଭାବିତ ହେଉ ନାହାନ୍ତି ?
– ରାଜ୍ୟବାସୀ ଉପଯୁକ୍ତ କୀଟନାଶକ ପ୍ରୟୋଗ କରି ଏହି ପୋକକୁ ନିଶ୍ଚିତ ଭାବେ ମାରିବେ

ଭୁବନେଶ୍ୱର, ତା.୧୨/୧୧(ଓଡ଼ିଆ ପୁଅ): ରାଜ୍ୟ ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କୃଷି ଶିଳ୍ପ ଆଜି ସଂପୂର୍ଣ୍ଣ ଅବହେଳିତ। ଚାଷ ପାଇଁ ଉଦ୍ଦିଷ୍ଟ ମୈାଳିକ ଆବଶ୍ୟକତାକୁ ପାଇବାକୁ ଚାଷୀଟିଏ ବଂଚିତ ହେଉଥିବାବେଳେ ଏ ସମସ୍ତ ସୁବିଧା ସୁଯୋଗ ପହଂଚାବାର ସଂଫୂର୍ଣ୍ଣ ଦାୟୀତ୍ୱ ହେଲା ରାଜ୍ୟ ସରକାରଙ୍କର। ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ନିଷ୍କ୍ରିୟତା କାରଣରୁ ଆଜି ଚାଷୀସମୁହ ସମସ୍ୟା ଘେରରେ ରହି ହନ୍ତସନ୍ତ ହେବା ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ମାତ୍ର ଏଠି ଘୋଷଣା ଓ ସର୍ବସ୍ୱ ରାଜ୍ୟ ସରକାର ସଚିବାଳୟରେ ବସି ରହି କେବଳ ମିଥ୍ୟା ଓ ପ୍ରତାରଣାର ପ୍ରତିଶୃତି ଦେଇ ଦୀର୍ଘ ଦିନରୁ ଚାଷୀକୂଳକୁ କେବଳ ଭୂଆଁ ବୁଲାଉଛନ୍ତି। ଏଭଳି ମିଥ୍ୟା ଓ ପ୍ରତାରଣାର ପ୍ରତିଶୃତିକୁ ଭଲ ଭାବେ ଜାଣି ଯାଇଥିବା ସମଗ୍ର ଚାଷୀକୂଳ ଆଜି ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇ ବସିଛନ୍ତି। ଅସହାୟ ହୋଇ ପଡିଥିବା ଚାଷୀଟିଏ ଅନ୍ୟ କୈାଣସି ବାଟ ନପାଇ ନିଜ ଜମିରେ ନଷ୍ଟ ହୋଇଥିବା ଫସଲରେ ନିଆଁ ଲଗାଇ ପୋଡି ଦେଉଛି। ଏପରିକି ଋଣବୋଝରେ ଭାରାକ୍ରାନ୍ତ ଅସହାୟ ଚାଷୀଟି ଶେଷରେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ମଧ୍ୟ ପଛାଉନାହାନ୍ତି। ତଥାପି ରାଜ୍ୟ ସରକାର ନୀରବ। ସମ୍ବେଦନହୀନ ଓ ମାନବିକତାହୀନ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଅବାନ୍ତର ଓ ବିଭ୍ରାନ୍ତକାରୀ ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ରାଜ୍ୟର ଚାଷୀ ଏବଂ ଚାଷ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ଗତ କାଲିଠୁ ବରଗଡଠାରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆନ୍ଦୋଳନର ଦିତ୍ୱୀୟ ଦିବସରେ ଯୋଗ ଦେଇ ଶ୍ରୀ ସିଂହଦେଓ କହିଛନ୍ତି ଯେ, ବିଜେପିର ପ୍ରରୋଚନାରେ ଯଦି ଚାଷୀ ସ୍ୱର୍ଗତ ବୃନ୍ଦା ସାହୁ ପ୍ରଭାବିତ ହୋଇପାରିଲେ, ତାହେଲେ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଏବଂ ଏଭଳି ଅବାନ୍ତର ବକ୍ତବ୍ୟ ଦେଉଥିବା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ କାହିଁକି ପ୍ରଭାବିତ ହେଉନାହାନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି।

ଶାସକ ବିଜୁ ଜନତା ଦଳ ହେଲା ଏଭଳି ଚକଡା ପୋକ ଯିଏକି କେବଳ ଧାନ ନୁହେଁ ବରଂ ସମଗ୍ର ଓଡିଶାକୁ ଖାଇ ସାରିଲାଣି। ଆଗାମୀ ଦିନରେ ରାଜ୍ୟବାସୀ ଉପଯୁକ୍ତ କୀଟନାଶକ ପ୍ରୟୋଗ କରି ଏହି ପୋକକୁ ନିଶ୍ଚିତ ଭାବେ ମାରିଦେବେ ବୋଲି ଶ୍ରୀ ସିଂହଦେଓ ତାତ୍ସଲ୍ୟ ଓ କଟାକ୍ଷ କରି କହିଛନ୍ତି।

ଏଭଳି ଦାୟୀତ୍ୱହୀନ ଓ ଅବାନ୍ତର ବକ୍ତବ୍ୟରୁ କ୍ଷାନ୍ତ ରହି ଶାସକ ବିଜେଡିର ନେତାଠୁ ଆରମ୍ଭ କରି ମନ୍ତ୍ରୀଗଣ ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଆଜିର ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି ଶ୍ରୀ ଅଶ୍ୱୀନି ଷଡଙ୍ଗୀ, ଜିଲ୍ଲା ସଭାପତି ଶ୍ରୀ ସାହୁ ପ୍ରମୁଖ ସାମିଲ ହୋଇ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ କରିଥିଲେ।

Leave a Reply

Your email address will not be published. Required fields are marked *