ଶାଳଣିଆଁ ଡାକ୍ତରଖାନାରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ରୋଗୀସେବା ବନ୍ଦ

ହାଟଡ଼ିହି, ୨୯/୮/ :(ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଡାକ୍ତର ଓ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ଡାକ୍ତରଖାନାରେ ରୋଗୀ ସେବା ବନ୍ଦ ହେବ ହୋଇଛି। କେହିବି ଡାକ୍ତର କି ଫାର୍ମାସିଷ୍ଟ ଡାକ୍ତରଖାନାକୁ ନଆସିବାରୁ ରୋଗୀମାନେ ଅପେକ୍ଷା କରି କରି ନିରାଶ ହୋଇ ଫେରିଯାଇଛନ୍ତି। ଗତକାଲି ଜଣେ ଯୁବକ ଛୁରୀ ଧରି ଦିନ ତମାମ ଉନ୍ମୁକ୍ତ କାଣ୍ଡ ଘଟାଇବା ପରେ ଆଜି ଡାକ୍ତରଖାନାକୁ କାଁ ଭାଁ କର୍ମଚାରୀ ଆସିଥିଲେ ବି କୌଣସି ସରକାରୀ କାମ ନକରି ଫେରି ଯାଇଛନ୍ତି।

ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ୱର ସେଠୀ, ନନ୍ଦିପଦା ଆଇଆଇସି ଦିବ୍ୟକାନ୍ତୀ ଲାକ୍ରା, ଏସ.ଆଇ ବିଜୟ କୁମାର ମଲ୍ଲିକ ପ୍ରମୁଖ ଡାକ୍ତର ଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରଖାନାଟି ଉପରେ ଏ ଅଞ୍ଚଳର ୮ଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାବେଳେ ଡାକ୍ତରଖାନାଟି ଏହିପରି ବନ୍ଦ ରହିଲେ ୫୦ ହଜାରରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ବାରମ୍ବାର କିଛି ଅସାମାଜିକ ଯୁବକ ଡାକ୍ତରଖାନାରେ ପସି ଡାକ୍ତର ଓ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବାଦ୍ୱାରା ଡାକ୍ତର ଓ କର୍ମଚାରୀ ମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଡାକ୍ତର ଓ କର୍ମଚାରୀମାନେ କହିଛନ୍ତି। ଗତ କିଛିଦିନ ତଳେ ଏହି ଯୁବକ ଜଣେ ଡାକ୍ତରଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରାଯାଇଥିଲେବି ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ଗତକାଲି ବିଷ୍ଣୁପୁର ଗ୍ରାମର କାଠିଆ ବେହେରା ନାମକ ଜଣେ ଯୁବକ ଏକ ଛୁରୀଧରି ସମସ୍ତଙ୍କ ବେକରେ ଲଗାଇ ଘଣ୍ଟା ଘଣ୍ଟା ଧରି ଡାକ୍ତର ଓ କର୍ମଚାରୀ ମାନଙ୍କୁ ଭୟଭୀତ କରୁଥିଲେ ମଧ୍ୟ ଶହଶହ ଜନସାଧାରଣ ଏହାକୁ ଉପଭୋଗ କରୁଥିଲେବି କେହି ଏହାର ବିରୋଧ କରୁନଥିଲେ ବୋଲି ଡାକ୍ତର ଓ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ଆମେ କିପରି ଏଠାରେ କାର୍ଯ୍ୟ କରିବୁ ଓ ଆମକୁ କିଏ ସୁରକ୍ଷା ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *