ଶାଳଣିଆଁରେ ଦୁଇ ଯୁବକଙ୍କ ଆତଙ୍କରାଜ

ହାଟଡ଼ିହି, ୬/୯/ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକର ଶାଳଣିଆଁ ଡାକ୍ତରଖାନାରେ ଗତ କିଛିଦିନ ତଳେ ଜଣେ ଯୁବକ ଛୁରାଧରି ଡାକ୍ତରଖାନାରେ ପସି ଡାକ୍ତର, କର୍ମଚାରୀ ଓ ରୋଗୀଙ୍କୁ ଆକ୍ରମଣ କରିଥିବାବେଳେ ଆଜି ପୁଣି ଦୁଇଜଣ ଯୁବକ ଡାକ୍ତରଖାନା, ବଜାରରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଜଗା ସାହୁ ଓ ବୁଲା ବେହେରା ନାମକ ଏହି ଯୁବକ ଦୁଇଜଣ ଆଜି ନିଶାଶକ୍ତ ହୋଇ ଶାଳଣିଆଁ ବଜାର ଭିତରେ ଦୋକାନୀମାନଙ୍କୁ ଗାଳି ଗୁଲଜ କରିବା ସହିତ ଦୁଇଟି ପାନ ଦୋକାନରେ ଭଙ୍ଗାରୁଜା କରିବା ଓ ଏକ ଲୁଗା ଦୋକାନରେ ପସି ଦୋକାନୀକୁ ଆକ୍ରମଣ କରିଥିଲେ। ଏପରିକି କିଛି ଦୋକାନକୁ ଟେକା ପଥର ଫିଙ୍ଗିବା ସହିତ ରାସ୍ତାରେ ଯାଉଥିବା ବାଟୋଇମାନଙ୍କୁ ଗାଳି ଗୁଲଜ କରିବାରୁ ରାସ୍ତାରେ ସାଧାରଣ ଲୋକେ ଯାତାୟତ ବନ୍ଦ କରିଦେଇଥିଲେ। ରାସ୍ତାରେ ଯାଉଥିବା ଏକ ଅଟୋକୁ ଭଙ୍ଗାରୁଜା କରିଥିଲେ। ଏପରିକି ଡାକ୍ତରଖାନାକୁ ଭିତରକୁ ପସି ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଦୁଇଘଣ୍ଟା କାଳ ଆତଙ୍କରାଜ ଚଳାଇଥିଲେ। କିଛି ଲୋକ ତାଙ୍କୁ ପାଟିକରି ଘଉଡାଇ ଦେବାପରେ ସେମାନେ ଏଲକଣିଆର ଯୋଗେନ୍ଦ୍ର ବେହେରାଙ୍କ ଘର ନିକଟକୁ ଯାଇ ତାଙ୍କୁ ଗାଳିଗୁଲଜ କରିବାରୁ ଗ୍ରାମବାସୀମାନେ ଏକାଠି ହୋଇ ଉକ୍ତ ଯୁବକଙ୍କ ମଧ୍ୟରୁ ଜଗବନ୍ଧୁ ସାହୁକୁ ବାନ୍ଧି ପକାଇ ଅଟକ ଅଟକ ରଖିଥିବାବେଳେ ବୁଲା ବେହେରା ନାମକ ଅନ୍ୟ ଯୁବକ ଜଣକ ଦୌଡି ପଳାଇଥିଲା। ଏନେଇ ଗ୍ରାମବାସୀମାନେ ପୁଲିସକୁ ସୂଚନା ଦେବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଜଗବନ୍ଧୁକୁ ତାଙ୍କ ପରିବାର ଲୋକଙ୍କ ଜିମା ଦେଇ ଆସିଛି। ଶାଳଣିଆଁ ବଜାରରେ ଏପରି ଉନ୍ମତକାଣ୍ଡ ଘଟୁଥିବାରୁ ସାଧାରଣ ଲୋକମାନେ ଉକ୍ତ ବଜାରକୁ ଯିବାକୁ ଉଚିତ ମଣୁ ନାହାନ୍ତି। ପୁଲିସ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *