ଶହଶହ କୋଟିଟଙ୍କାର ଚାରା ଘୋଟାଲା ମାମଲାରେ ମୟୁରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ୟାଳୟରେ ବିଜେପି ତରଫରୁ ମାମଲା ରୁଜୁ

ମଞ୍ଜିକିଣା, ଚାରାପ୍ରସ୍ତୁତି, ବୃକ୍ଷରୋପଣ ପାଇଁ ଜମି ପ୍ରସ୍ତୁତି, ଗାତଖୋଳା, ସାର କିଣା, ମଜୁରୀ ସବୁଥିରେ ଅର୍ଥ ହେରଫେର ଅଭିଯୋଗ

– ଅନେକ ସ୍ଥଳରେ ମଞ୍ଜିକିଣାରୁ ମଜୁରୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କେବଳ କାଗଜପତ୍ରରେ ହୋଇ ସମୂର୍ଣ ଅର୍ଥ ହରିଲୁଟ ହୋଇଛି
– ଜିଲାରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଶାସନିକ ଅଧିକାରୀ ଦୋଷୀଙ୍କ ସମେତ ଜିଲାର ଶାସକ ବିଜେଡି ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ପୃଷ୍ଠପୋଷକତାର ତଦନ୍ତ ପାଇଁ ଦାବି

ଭୁବନେଶ୍ୱର, ତା.୦୬/୦୯(ଓଡ଼ିଆ ପୁଅ): ଶହଶହ କୋଟିଟଙ୍କାର ଚାରା ଘୋଟାଲା ମାମଲାରେ ମୟୁରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ୟାଳୟରେ ବିଜେପି ତରଫରୁ ମାମଲା ରୁଜୁ କରାଯାଇଛି। ମୟୁରଭଞ୍ଜ ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏତଲା ଗ୍ରହଣ କରିବା ସହ ଉପଯୁକ୍ତ ତଦନ୍ତ କରି ଆଇନ ଅନୁଯାୟୀ ଦୃଢ କାର୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ରାଜ୍ୟର ବିଭିନ୍ନ ଜିଲାରେ ବିଶେଷ ଭାବରେ ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲାରେ କେନ୍ଦ୍ର ସରକାରଙ୍କର ମହତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବିପୁଳ ଅର୍ଥ ବ୍ୟୟବରାଦରେ ବ୍ୟାପକ ବୃକ୍ଷ ରୋପଣ ଯୋଜନା ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଏହି ଏତଲାରେ ଦର୍ଶାଯାଇଛି।

ଏହି ଯୋଜନାର ସୁଫଳ ଜିଲାର ସାଧାରଣ ଲୋକଙ୍କୁ ମିଳିବା ପରିବର୍ତେ ଶାସକ ବିଜେଡି ଦଳର ପୃଷ୍ଠପୋଷକତାରେ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରତ୍ୟେକ୍ଷ ହସ୍ତକ୍ଷେପରେ ଜିଲାର ପ୍ରଶାସନିକ କଳକୁ ବ୍ୟବହାର କରାଯାଇ ବିପୁଳ ଅର୍ଥ ହେରଫେର କରାଯିବାର ତଥ୍ୟ ପ୍ରମାଣ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ବୋଲି ଏତଲା ଦେବାପରେ ଜିଲା ସଭାପତି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ମଞ୍ଜିକିଣା, ଚାରାପ୍ରସ୍ତୁତି, ବୃକ୍ଷରୋପଣ ପାଇଁ ଜମି ପ୍ରସ୍ତୁତି, ଗାତଖୋଳା, ରାସାୟନିକ ସାର ଓ ଜୈବିକ ସାର କିଣା, ମଜୁରୀ ସବୁଥିରେ ଅର୍ଥ ହେରଫେରର ପ୍ରମାଣ ମିଳୁଛି। ଅନେକ ସ୍ଥଳରେ ମଞ୍ଜିକିଣାରୁ ମଜୁରୀ ପଯ୍ୟନ୍ତ ସବୁ କାଯ୍ୟ କେବଳ କାଗଜପତ୍ରରେ ହୋଇ ସମୂର୍ଣ ଅର୍ଥ ହରିଲୁଟ ହୋଇଛି ବୋଲି ସେ କହିଛନ୍ତି।

ସାଧାରଣ ଟିକସ ଦାତାର କଠିନ ପରିଶ୍ରମର କଷ୍ଟଲବ୍ଧ ରୋଜଗାର ଅର୍ଥକୁ ଯେଉଁମାନେ ଲୁଟ କରି ଖାଇଛନ୍ତି ଏହା ଏହି ଏତଲା ଆଧାରରେ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ ଏହି ଏତଲା ମାଧ୍ୟମରେ ବିଜେପି ଦାବି କରିଛି।

ଜିଲାରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଶାସନିକ ଅଧିକାରୀ ଦୋଷୀଙ୍କ ସମେତ ଜିଲାର ଶାସକ ବିଜେଡି ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ପୃଷ୍ଠପୋଷକତାର ତଦନ୍ତ କରିବା ପାଇଁ ଏହି ଏତଲାରେ ଦାବି କରାଯାଇଛି। ଏହାସହ ସଚିବାଳୟର ତୃତୀୟ ମହଲା ଓ ନବୀନ ନିବାସରୁ ଏହି ପ୍ରଶାସନିକ ଅଧିକାରୀ ମାନଙ୍କ ସହ ସମ୍ପର୍କ ଓ ସୁରକ୍ଷା ଦେଇ ଅର୍ଥ ହରିଲୁଟରେ ସମ୍ପୃକ୍ତ ସରକାରୀ ଓ ବେସରକାରୀ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ତଦନ୍ତର ପରିସର ଭୁକ୍ତ କରିବା ପାଇଁ ଏହି ଏତଲାରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *