ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ ଲାଗିଥିବା ବେଳେ ନନ୍ଦିଘୋଷ ବଳଗଣ୍ଡିରେ ଅଟକି ରହିଛି, ଭିଡରେ ଜଣେ ବୃଦ୍ଧଙ୍କ ମୃତ୍ୟୁ।

ପୁରୀ:୧୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଆଜି ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରବଳ ଉତ୍ସାହ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ନୀତି ଅନୁଯାୟୀ ମଙ୍ଗଳଆଳତୀ, ତଡପଲାଗି, ଅବକାଶ, ରୋଷହୋମ ଓ ଖେଚୁଡି ଭୋଗ ଶେଷ ହେବା ପରେ ସକାଳ ୮ଟା ୩୦ମିନିଟ୍ରେ ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା। ରଥ ପ୍ରତିଷ୍ଠା ପରେ କୋଠ ସୂଆଁସିଆମାନେ ଚାରମାଳ ବାନ୍ଧିଥିଲେ। ୮ଟା ୫୦ମିନିଟ୍ ସମୟରେ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବିଜେ କାହାଳୀ ବାଜିବା ପରେ ପ୍ରଥମେ ଦଇତାପତିମାନେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ୯ଟା ୧୫ମିନିଟ୍ ସମୟରେ ସୁଭଦ୍ରାଙ୍କ ରଥରେ ବିଜେ କରିଥିଲେ। ପରେ ମହାପ୍ରଭୁ ବଳଭଦ୍ର ପହଣ୍ଡି ହୋଇ ଆସି ତାଳଧ୍ୱଜ ରଥରେ ବିଜେ ହୋଇଥିଲେ। ସାତ ପାହାଚ ନିକଟରେ ଠାକୁରମାନେ ପହଞ୍ଚିବା ପରେ ଟାହିଆ ଲାଗି କରାଯାଇଥିଲା। ଦୋଳାୟିତ ଟାହିଆରେ ବଡଠାକୁର ହଲି ହଲି ବିଜେ କରିଥିଲେ ରଥକୁ। ୧୦ଟା ୪୦ମିନିଟ୍ ସମୟରେ ବଳଭଦ୍ର ରଥାରୂଢ଼ ହୋଇଥିଲେ। ପରେ ଦେବୀ ସୁଭଦ୍ରା ଧାଡି ପହଣ୍ଡି ଆସି ୧୧ଟା ସମୟରେ ରଥାରୂଢ଼ ହୋଇଥିଲେ। ଶେେରେ ଆସିଥିଲେ କାଳିଆ ଠାକୁର। ଦୋଳାୟିତ ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି ଦୃଶ୍ୟରେ ବିଭୋର ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଘଣ୍ଟୁଆଙ୍କ ଘଣ୍ଟ ନାଦରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଆଗେ ଆଗେ ନୃତ୍ୟ କରୁଥିଲେ ଓଡିଶାୀ ଓ ଗୋଟିପୁଅ ନୃତ୍ୟ ଶିଳ୍ପୀ। ଘଣ୍ଟର ତାଳେ ତାଳେ ନୃତ୍ୟାଙ୍ଗନାମାନେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ ଭକ୍ତି ନବୈଦ୍ୟ। ଏଥିସହ ବନାଟିର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ୧୧ଟା ୫୦ମିନିଟ୍ ସମୟରେ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଥିଲେ। ଏହା ପରେ ପୁଷ୍ପାଳକ ସେବାୟତ ଶ୍ରୀରାମକୃଷ୍ଣଙ୍କୁ ପାଲିଙ୍କିରେ ଓ ମଦନମୋହନଙ୍କୁ ହାତରେ ବିଜେ କରି ଆଣି ରଥାରୂଢ଼ କରିଥିଲେ। ମଦନମୋହନ ନନ୍ଦିଘୋଷରେ ଓ ରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ କରିଥିଲେ। ଅପରାହ୍ନ ୧୨ଟା ୫୦ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ଅପରାହ୍ନ ୧ଟାରେ ସମୟରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଜର ଶିଷ୍ୟମାନଙ୍କ ସହିତ ଆସି ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥିଲେ। ରଥ ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ରଥ ଉପରକୁ ପାଛୋଟି ନେଇଥିଲେ। ଗୁରୁଜୀ ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ସହ ରଥ ପରିକ୍ରମା କରିଥିଲେ। ୧ଟା ୩୦ମିନିଟ୍ରେ ଆରମ୍ଭ ହୋଇଥିଲା ଛେରାପହଁରା। ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ରୋପ୍ୟ ଖଚିତ ମେହେନାରେ ଶ୍ରୀନଅରରୁ ପଟୁଆରରେ ଆସି ରଥ ନିକଟକୁ ପହଞ୍ଚିଥିଲେ। ସେବାୟତମାନେ ତାଙ୍କୁ ରଥ ନିକଟକୁ ତାଙ୍କୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା, ଜଳ ଓ ପୁଷ୍ପ ସିଞ୍ଚନ କରାଯାଇଥିବା ବେଳେ ଗଜପତି ସୁବର୍ଣ୍ଣ ମେଣ୍ଟ ଖଚିତ ମାର୍ଜନୀରେ ରଥର ମାର୍ଜନା କରିଥିଲେ। ପରେ ଗଜପତି ନନ୍ଦିଘୋଷ ଓ ଦର୍ପଦଳନ ରଥ ମାର୍ଜନ କରିଥିଲେ। ଅପରାହ୍ନ ୨ଟାରେ ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା। ପରେ ରଥରୁ ଚାରମାଳ ଖୋଲାଯାଇ ଘୋଡା ବନ୍ଧା ଯାଇଥିଲା। ୨ଟା ୩୦ମିନିଟ୍ରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ର ଓ ଶେଷରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ସିଂହଦ୍ୱାରରେ ବର୍ଷା ସତ୍ତ୍ୱେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବର୍ଷାରେ ଭିଜି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଭକ୍ତମାନଙ୍କର ହୁଳହୁଳି, ହରିବୋଲ ଓ ଶଙ୍ଖ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ଆଜି ବର୍ଷା ପାଗ ସତ୍ତ୍ୱେ ରଥଯାତ୍ରାରେ ଦଶ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ରଥଟଣା ନିର୍ଦ୍ଧାରିତ ସମୟ ପୂର୍ବରୁ ଟଣା ଯାଇଥିଲେ ମଧ୍ୟ ୩ଟି ଯାକ ରଥ ଆଜି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିନଥିଲା। ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିବା ବେଳେ ନନ୍ଦିଘୋଷ ରଥ ବଳଗଣ୍ଡି ଛକରେ ଅଟକି ରହିଛି। ରଥଯାତ୍ରା ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯାଇଥିଲା। ଭିଡ ଥିବାରୁ ବହୁ ଭକ୍ତ ଆହତ ହୋଇଥିଲେ। ଆହତ ଲୋକମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା। ଭିଡ ସମୟରେ ଏକ ବୃଦ୍ଧ ଅଣନିଶ୍ୱାସ ହୋଇ ମୃତ୍ୟୁବରଣ କରିଥିବା ଏକ ବିଶେଷ ସୂତ୍ରରୁ ଖବର ଉଦ୍ଧାର କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ବିକ୍ରମ କେଶରୀ ଆରୁଖ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ର ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ପହଣ୍ଡି ଦେଖିବା ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ନନ୍ଦିଘୋଷ ରଥକୁ ଟାଣିଥିଲେ। ଶ୍ରୀମନ୍ଦିର ମୁଖ୍ର ପ୍ରଶାସକ ପ୍ରଦୀପ ମହାପାତ୍ର, ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଏଡିଜି ସତ୍ୟଜିତ୍ ମହାନ୍ତି, ଆଇଜି ସୌମେନ୍ଦ୍ର ପ୍ରୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଏସ୍ପି ସାର୍ଥକ ଷଡଙ୍ଗୀ ପ୍ରମୁଖ ରଥଟଣା କାର୍ଯ୍ୟ ତଦାରଖ କରିଥିଲେ। ଭାରତସେବା ସଂଘ, ପୁରୀ ସେବା ସମିତି, ଓଡିଶା ଯୁବକ ସେବା ସଂଘ, ଭାରତ ବିକାଶ ପରିଷଦ, ମାରୁୱାଡି ଯୁବ ମୋର୍ଚ୍ଚା ପ୍ରମୁଖ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ରଥଯାତ୍ରାରେ ସେବା କାର୍ଯ୍ୟ କରୁଥିବା ଦେଖା ଯାଇଥିଲା। ମାର୍କେଟ ଛକ ଠାରୁ ଶରଧାବାଲି ଓ ଅନ୍ୟାନ୍ୟ ସ୍ଥାନରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ଯାତ୍ରା ସମୟରେ ଅନ୍ୟ କୌଣସି ଅଘଟଣ ଘଟିନଥିବା ଜଣାଯାଇଛି। ଆସନ୍ତାକାଲି ସକାଳ ୮ଟାରେ ନନ୍ଦିଘୋଷ ରଥ ଟଣାଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *