ଶତାୟୁ ସାଧକ ସୁଧାଂଶୁ ଶେଖରଙ୍କୁ ଅର୍ଥ ଅଭାବ ପ୍ରକାଶ ହୋଇପାରୁନି ୭୦ ପାଣ୍ଡୁଲିପି

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ; ୧୯୯୯ ମହାବାତ୍ୟା ନିଜ ସ୍ୱପ୍ନର ପାଠାଗାରକୁ ଭସାଇ ନେଲା। ରାଜ୍ୟ ଓ ରାଜ୍ୟ ବାହାରୁ ସଂଗ୍ରହ କରି ୮ ହଜାରରୁ ଅଧିକ ବହି ଗୋଟାଇ ଥିଲେ ଶତାୟୁ ସାଧକ ତଥା ସାହିତ୍ୟିକ ସୁଧାଂଶୁ ଶେଖର। ୧୯୯୯ ମହାବାତ୍ୟା ତାଙ୍କର ଏହି ନିଜସ୍ୱ ପାଠାଗାରକୁ ନଦୀ ସମୁଦ୍ରକୁ ନେଇଗଲା। ସାହିତ୍ୟିକ ହେବା ପାଇଁ ଉଚ୍ଚ ଶିକ୍ଷା ଆବଶ୍ୟକ ନାହିଁ କେବଳ ସାଧନା ଦରକାର ବୋଲି ଏହି ଶତାୟୁ ସାହିତ୍ୟିକଙ୍କ ପାଖରୁ ଶିଖିବାକୁ ପଡେ। ଅନେକ ବହି ପ୍ରକାଶ ପରେ ଆହୁରି ୭୦ ଟି ପାଣ୍ଡୁଲିପି ଅର୍ଥ ଅଭାବରୁ ପ୍ରକାଶ କରିପାରୁନାହାଁନ୍ତି ସୁଧାଂଶୁ। ତଥାପି ସାହିତ୍ୟର ରସ ତାଙ୍କ ଠାରୁ ଦୂରେଇ ଯାଇନାହିଁ। ୧୦୦ ବର୍ଷ ପାଖାପାଖି ବୟସ ହେଲାଣି ତଥାପି ବାର୍ଦ୍ଧକ୍ୟ ବୟସରେ ସାହିତ୍ୟ ପ୍ରେମରେ ଲେଖନୀ ଚଳାଇ ଚାଲିଛନ୍ତି। ତାଙ୍କ ରଚିତ ସାଧବ ଝିଅ, ଫୁଲ ଫସଲ, ସୂର୍ଯ୍ୟଶଙ୍ଖ, ବାଜିରାଉତର ଚରମପତ୍ର ଓ ଶିଶୁ କବିତା ବହି ମାଟି, ସରଗର ସ୍ରଷ୍ଟାକୁ ଧରି ସୁଧାଂଶୁ ଶେଖର ବେହେରା ବାର୍ଦ୍ଧକ୍ୟର ଅସହାୟତା ମଧ୍ୟରେ ଏବେ ଦିନ ବିତାଉଛନ୍ତି। ଆସନ୍ତା ବର୍ଷକୁ ତାଙ୍କ ବୟସ ଶହେ ଛୁଇଁବ। ଏହି ଶତାୟୁ ସାଧକଙ୍କ ଲେଖନୀ ଆଜି ବି ଚଳଚଞ୍ଚଳ ରହିଛି। ଦୃଷ୍ଟିଶକ୍ତି କମି ଯାଇଥିବାରୁ ଦୂରକୁ ଭଲ ଦିଶୁନାହିଁ। ପୂର୍ବଭଳି କବିତା ଓ ନାଟକ ଆଦି ସେ ରଚନା କରିଚାଲିଛନ୍ତି। ସାହିତ୍ୟରେ ପ୍ରତିଫଳିତ ଚେତନା ଶକ୍ତି ଯୁଗେ ଯୁଗେ ସମାଜକୁ ବାଟ କଢାଇ ଆସିଛି ବୋଲି ସେ କହନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ୍ କୋହ୍ଲ ପଞ୍ଚାୟତ ସଦରବଳିଆ ଗ୍ରାମରେ ବସବାସ କରୁଥିବା ଏହି ସାରସ୍ୱତ ସାଧକ ଭଣ୍ଡାରିପୋଖରୀ ବ୍ଲକ୍ ନଳାଙ୍ଗରେ ଏକ ସାହତ୍ୟିକ ପରିବାରରେ ଜନ୍ମ ନେଇଥିଲେ। ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ତାଙ୍କ ଅଗ୍ରଜ। ସୁଧାଂଶୁ ୩ ବର୍ଷ ହୋଇଥିବାବେଳେ ମା ଏବଂ ୫ ବର୍ଷ ହୋଇଥିବାବେଳେ ବାପାଙ୍କୁ ହରାଇଥିଲେ। ବଡଭାଇ ପଲ୍ଲୀକବି କୃଷ୍ଣପ୍ରସାଦ ତାଙ୍କର ଲାଳନ ପାଳନ ଦାୟିତ୍ୱ ନେଇଥିଲେ ପରିବାରର ଦାରିଦ୍ର୍ୟ ତାଙ୍କୁ ପିଲାଟି ଦିନେ ଆବୋରି ବସିଥିଲା। ଏଥିଲାଗି ୩ୟ ଶ୍ରେଣୀରୁ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଇଥିଲା। ପରେ ୟୁବାହ ବୟସରେ ସେ କଲିକତାକୁ ଯାଇ ଏକ କଂପାନୀରେ ଚାକିରୀ କରିଥିଲେ। ସେଠାରେ ସେ ଅଧିକ ୨ୟ ଶ୍ରେଣୀ ପାଠ ପଢିଥିଲେ। ପିଲାଟି ଦିନୁ ସାହିତ୍ୟ ପଠନ ପ୍ରତି ତାଙ୍କର ଥିଲା ଅସୀମ ଦୁର୍ବଳତା। ସେ ଧୀରେ ଧୀରେ କବିତା ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। କଲିକତାରେ କାମ କରୁଥିବାବେଳେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କ ଭାଇ ତାଙ୍କୁ ଗାଁକୁ ନେଇଆସିଥିଲେ। ପରେ ସେ ଭାଇଙ୍କ ଠାରୁ ହାରମୋନିୟମ୍ ଓ ସଂଗୀତ ଶିକ୍ଷା ଗ୍ରହଣ କରିଥିଳେ। ୧୯୫୪ ମସିହାରେ ସୁଧାଂଶୁ ତିହିଡି ବ୍ଲକ୍ ବାହାବଳପୁର ପଂଚାୟତ ପରମାନନ୍ଦପୁରରେ ମଂଚସ୍ଥ ହେଉଥିବା ଏକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେବା ସକାଶେ ତିହିଡି ଆସିଥିଲେ। ପରେ ସେ ଯାତ୍ରା ଦଳର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଗ୍ରାମରେ ବସତି ସ୍ଥାପନ କରିଆସୁଛନ୍ତି। ସାଂସାରିକ ବନ୍ଧନରୁ ଦୂରେଇ ରହିଲା ଲାଗି ସ୍ଥିର କରି ସେ ବିବାହ କରିବାକୁ ଚାହିଁନଥିଲେ। ପରେ ଗ୍ରାମବାସୀଙ୍କ ଉଦ୍ୟମରେ ୩୮ ବର୍ଷ ବୟସରେ ସେ ବିବାହ କରିଥିଲେ। ୧୯୮୦ ରେ କାଞ୍ଚି ବିଜୟ ନାମରେ ତାଙ୍କର ଏକ କାବ୍ୟ ପ୍ରକାଶ ପାଇଥିଲା। ଏହା ପରେ ଶିଶୁ କବିତା ବହି ସମେତ କେତେକ ପୁସ୍ତକ ପ୍ରକାଶ ପାଇଥିଲା। ତାଙ୍କ ରଚିତ ବିଭିନ୍ନ ନାଟକ ମଂଚସ୍ଥ ହୋଇଥିବାବେଳେ ସେଥିରୁ ପ୍ରାୟ ୭୦ ପାଣ୍ଡୁଲିପି ଅପ୍ରକାଶିତ ହୋଇରହିଛି। ଆକାଶବାଣୀ କଟକ କେନ୍ଦ୍ରର ଶିଶୁ ସଂସାରରେ ତାଙ୍କର ୨୨ଟି ନାଟକ ପରିବେଶିତ ହୋଇଛି। ରାଜ୍ୟରେ ୫୦ ରୁ ଅଧିକ ସାହିତ୍ୟ ସଂଗଠନ ପକ୍ଷରୁ ତାଙ୍କୁ ମିଳିଛି ସାରସ୍ୱତ ସମ୍ମାନ ଓ ସମ୍ବର୍ଦ୍ଧନା ପରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାହିତ୍ୟରେ ନୂଆ ରସ ଦେଇଥିଳେ। ମାର୍କୋଣାସ୍ଥିତ ନବୋଦ୍ୟମେ ଦୀର୍ଘ ୨୫ ବର୍ଷ ରହି ସେ ସଂଗୀତ ଶିକ୍ଷା ଦେବା ସହ ନାଟକ ରଚନା କରି ନିର୍ଦ୍ଦେଶନା ଦେଇଥିଲେ। ବିଭିନ୍ନ ସ୍ଥାନରୁ ପ୍ରାୟ ୮ ହଜାର ବହି ସଂଗ୍ରହ କରି ଏକ ପାଠାଗାର ଆରମ୍ଭ କରିଥିଲେ। ୧୯୯୯ ମହାବାତ୍ୟାରେ ଏସବୁ ପୁସ୍ତକ ଭାସିଯାଇଥିଲା, ଯାହାକି ତାଙ୍କ ଜୀବନରେ ବଡ ଦୁଃଖଦ ଘଟଣା ବୋଲି ସେ ବର୍ଣ୍ଣନା କରିଛନ୍ତି। ଏଭଳି ଜଣେ ସାରସ୍ୱତ ପ୍ରତିଭାଙ୍କ ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀ ଦୃଷ୍ଟି ନଦେବା ଏକ ବିଡମ୍ବନା ବୋଲି ଅଂଚଳବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *