ଶତାବ୍ଦୀର କଳାକାରର ପାଂଚ ଦିନ ବ୍ୟାପୀ ନାଟ୍ୟ ମହୋତ୍ସବରେ ଓଡିଆ ସଂସ୍କୃତି ଓ ବୁଦ୍ଧିମତାକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଶହେ ବର୍ଷ ତଳର ମଧୁବାବୁଙ୍କ ବିହାର-ଓଡିଶା ବିଧାନସଭାରେ ଦେଇଥିବା ଭାଷଣକୁ ପ୍ରକାଶିତ କରି ଓଡିଆ ଯୁବ ପୀଢୀ ମନରେ ଗୌରବର ଭାବନା ସୃଷ୍ଟି କରାଯିବ
– ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାର ଏତିକି ମହତ୍ୱୂ ଅଛି କି ଯାହା ଆଗାମୀ ଶତାବ୍ଦୀ – ଶତାବ୍ଦୀ ଧରି ପ୍ରବାହିତ ହେବା ସହ ଏହାର ମହତ୍ୱ ଆହୁରି ବଢିବ

ଭୁବନେଶ୍ୱର, ୦୪ ଫେବୃଆରୀ (ଓଡ଼ିଆ ପୁଅ) – ଶହେ ବର୍ଷ ପୂର୍ବେ ବିହାର- ଓଡିଶା ବିଧାନସଭାରେ ମଧୁବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାଷଣକୁ ପ୍ରକାଶିତ କରିବାକୁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶତାବ୍ଦୀର କଳାକାରର ପାଂଚ ଦିନ ବ୍ୟାପୀ ନାଟ୍ୟ ମହୋତ୍ସବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶହେ ବର୍ଷ ତଳେ ମଧୁବାବୁ ଅବିଭକ୍ତ ବିହାର – ଓଡିଶା ବିଧାନସଭାରେ ଦେଇଥିବା ଭାଷଣ ଓଡିଆ ମାନେ କେମିତି ଦୂରଦୃଷ୍ଟି ସମ୍ପନ୍ନ ଥିଲେ ତାହା ପ୍ରତିପାଦିତ କରୁଛି। ପାରାଦୀପ ଠାରେ ବନ୍ଦର କାହିଁକି ହେବା ଆବଶ୍ୟକ ଓଡିଶାର ଖଣି ଖାଦାନ, କୋଇଲା, ଶିଳ୍ପାୟନ, ଆମଦାନୀ, ରପ୍ତାନୀ ସମ୍ପର୍କରେ ମଧୁବାବୁ ଭାଷଣ ଦେଇଥିଲେ। ଏହା ପ୍ରକାଶିତ ହେଲେ ଓଡିଶାର ଉତର ପୀଢୀ ଓଡିଆ ଦୂରଦୃଷ୍ଟିକୁ ହିଁ ଚିହ୍ନି ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡିଆ ଜାତି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଲଢଥିଲେ ମଧ୍ୟ ମାନ୍ୟତା ପାଇଁ ଆଜି ସଂଘର୍ଷ କରିବାକୁ ପଡୁଛି କାରଣ ଆମେ ଆମର ଇତିହାସ ଲେଖି ନ ଥିଲେ। ଲୋକକଥାକୁ ଆଧାର କରି ପୁଣି ଇତିହାସ ରଚନା କରିବା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ ପ୍ରଥମ ଶିଳ୍ପ ବିପ୍ଲୂବ ୧୭୬୦ରୁ ୧୮୪୦ ପର୍ଯ୍ୟନ୍ତ ହେଲା ବୋଲି ୟୁରୋପୀୟ ମାନେ ଦାବି କରୁଛନ୍ତି। ମାତ୍ର ଓଡିଶାର ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର କଳା ନା ବିଜ୍ଞାନ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।

ବିଜ୍ଞାନ ଓ ଶିଳ୍ପ ଶାସ୍ତ୍ରରେ ଉତ୍କର୍ଷତା ବିନା ପୁରୀ, କୋଣାର୍କ, ଲିଙ୍ଗରାଜର ନିର୍ମାଣ ଅସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ସାଧାରଣ ତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ପ୍ରତିନିଧି ଅତିଥି ଭାବେ ଆସିଥିଲେ। ଏହି ଦେଶ ଗୁଡିକ ସହ ଭାରତର ସମ୍ପର୍କ ହଜାରେ ବର୍ଷରୁ ଆହୁରି ପୁରୁଣା ବୋଲି ସେମାନେ କହିଥିଲେ। ଦକ୍ଷିଣ ପୂର୍ବ ଏସୀୟ ଦେଶ ସହିତ ସମ୍ପର୍କ ଓଡିଆ ଲୋକ ମାନେ ନୌବାଣିଜ୍ୟ ମାଧ୍ୟମରେ ପ୍ରତିଷ୍ଠା କରିଛନ୍ତି।

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାର ଏତିକି ମହତ୍ୱୂ ଅଛି କି ଯାହା ଆଗାମୀ ଶତାବ୍ଦୀ – ଶତାବ୍ଦୀ ଧରି ପ୍ରବାହିତ ହେବା ସହ ଏହାର ମହତ୍ୱ ଆହୁରି ବଢିବ।

Leave a Reply

Your email address will not be published. Required fields are marked *