ଶତାଧିକ ମହିଳାଙ୍କ ଅଭିଯୋଗ ପରେ ଏସ୍ପିଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବିପୁଳ ପରିମାଣରେ ଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ, ୩୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବେଆଇନ୍ ଦେଶୀ ମଦ ବିକ୍ରି ବିରୁଦ୍ଧରେ ସ୍ଥାନୀୟ ମହିଳାମାନଙ୍କ ମେଳି ଶେଷରେ ସେମାନଙ୍କୁ ସଫଳତା ଆଣିଦେଇଛି। ତେବେ ଏହି ସଫଳତା ପଛରେ ନୂତନ ଭାବେ ଯୋଗଦେଇଥିବା ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। କାହିଁକି ନା ଏହି ମହିଳାମାନେ ତାଙ୍କ ନିକଟରେ କରିଥିବା ଅଭିଯୋଗର ମାତ୍ର କେଇଘଣ୍ଟା ମଧ୍ୟରେ ସେ ଯେଭଳି କଡା ପଦକ୍ଷେପ ଗ୍ରହଣ କଲେ ସେଥିରେ ଚୋରା ମଦ ବେପାରୀ ଗିରଫ ହେବା ସହ ବହୁ ମଦ ମଧ୍ୟ ଜବତ ହୋଇଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପଂଚାୟତ ସମିତି ଅଧୀନସ୍ଥ ତଳାଙ୍ଗ ଗ୍ରାମରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ୨ ହଜାରରୁ ଉର୍ଦ୍ଧ୍ୱ ମହିଳା ଅଟନ୍ତି। ମାତ୍ର ଏହି ପଞ୍ଚାୟତର ୨ନଂ ୱାର୍ଡର କିଆଗଡିଆ ସାହିରେ ୩ଟି, ୧ନଂ ଓ ୩ନଂ ଓ ୭ନଂ ୱାର୍ଡରେ ୨ଟି ଲେଖାଏଁ ଦେଶୀ ମଦ ଭାଟି ଖୋଲାଯାଇଥିଲା। ସନ୍ଧ୍ୟା ହେଲେ ଗ୍ରାମରାସ୍ତାରେ ପ୍ରତ୍ୟେକ ଦିନ ମଦ୍ୟପଙ୍କ ଅଶ୍ଳୀଳ ବ୍ୟବହାର ଯୋଗୁଁ ଗଣ୍ଡଗୋଳ ଘଟିଥାଏ। ଏପରିକି ଦିନରେ ମଧ୍ୟ ସ୍କୁଲ ଓ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ମହିଳା ଓ ଜନସାଧାରଣ ଉପରୋକ୍ତ ରାସ୍ତାରେ ଯିବାଆସିବା ନିରାପଦ ମଣିନଥାନ୍ତି। ଏହି ମଦ ଭାଟି ଯୋଗୁଁ ଏ ଅଂଚଳର ବହୁ ଗରିବ ଖଟିଖିଆ ଲୋକେ ନିଜ ଆୟକୁ ଏହି ନିଶାଦ୍ରବ୍ୟ ପିଇବାରେ ବ୍ୟୟ କରିଥାନ୍ତି। ଯାହାଦ୍ୱାରା ସେମାନଙ୍କ ପରିବାର ମଧ୍ୟରେ ପ୍ରତିଦିନ ଅଶାନ୍ତି ଲାଗି ରହିଥିବାବେଳେ ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହୋଇଥାଏ। ଏ ସଂପର୍କରେ କେହି ମୁହଁ ଖୋଲୁନଥିବାବେଳେ ଆମ୍ବରୋଳି ପଂଚାୟତର ସରପଞ୍ଚ କମଳିନୀ ଦାଶଙ୍କ ସମେତ କ୍ଷୀରୋଦ କୁମାର ଦାଶ, ବାସନ୍ତୀ ସୂତାର, ମମତା ନାୟକ, ପଦ୍ମାବତୀ ସେଠୀ, ମନ୍ଦାକିନୀ ବାରିକ, ଅନୁସୟା ବାରିକ, ଧରିତ୍ରୀ ବାରିକ, ରଂଜିତା ସେଠୀ, ଗୌରୀରାଣୀ ସୂତାର, ପ୍ରୀତିଲତା ସୂତାର, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଷମା ସହୁ ଭଳି ଶତାଧିକ ମହିଳା ମେଳି ହୋଇ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କୁ ଭେଟି ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏବଂ ଏହି ସମସ୍ୟାର ସମାଧାନ ତୁରନ୍ତ ଗ୍ରହଣ ନକଲେ ସେମାନଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାର ଚେତାବନୀ ଦେଇଥିଲେ। ଏହି ମହିଳା ମାନଙ୍କର ଅଭିଯୋଗ ପାଇ ଆରକ୍ଷୀ ଅଧିକ୍ଷକ ସଂଗେ ସଂଗେ ଗ୍ରାମାଞ୍ଚଳ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଥାନା ପକ୍ଷରୁ ଉପରୋକ୍ତ ସ୍ଥାନମାନଙ୍କରେ ଚଢାଉ କରାଯାଇ ବିପୁଳ ଚୋରା ଦେଶୀ ମଦ ଜବତ ସହ ୨ ଜଣକୁ ଗିରଫ କରାଯାଇଛି। ଅନ୍ୟମାନେ ଫେରାର ଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *