ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତିକୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶକ୍ତି, ଅକ୍ଷୟ ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି କ୍ଷେତ୍ରର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି। ଦୁଇ ଘଂଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ଭିତିଭୂମି କ୍ଷେତ୍ର ସହିତ ସଂପୃକ୍ତ ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତଙ୍କ ଉପସ୍ଥାପନ ସମୟରେ ଜଣାପଡିଥିଲା ଯେ ଭାରତରେ ସ୍ଥାପିତ କରାଯାଇଥିବା ଶକ୍ତି ଉତ୍ପାଦକ କ୍ଷମତା ୩୪୪ ଗିଗାୱାଟକୁ ବୃଦ୍ଧି ପାଇଛି। ଭାରତରେ ଶକ୍ତିର ନିଅଂଟ ୨୦୧୪ରେ ଶତକଡା ୪ ପ୍ରତିଶତରୁ ଉର୍ଦ୍ଧ୍ୱ ଥିଲାବେଳେ, ୨୦୧୮ରେ ଏହା ଶତକଡା ୧ ପ୍ରତିଶତରୁ କମରେ ପହଂଚିଛି। ସଂଚାରଣ ଲାଇନ, ଟ୍ରାନ୍ସଫର କ୍ଷମତା ଏବଂ ଆନ୍ତଃ-ଆଂଚଳିକ ସଂଚାରଣରେ ଆଖିଦୃଶିଆ କ୍ଷମତା ଯୋଗ କରାଯାଇଛି। ବିଶ୍ୱ ବ୍ୟାଙ୍କର “ବିଦ୍ୟୁତ ଶକ୍ତି ପ୍ରାପ୍ତି ସହଜତା” ସୂଚକାଙ୍କରେ ୨୦୧୪ରେ ଭାରତର ସ୍ଥାନ ୯୯ ଥିଲାବେଳେ ଏହା ବୃଦ୍ଧି ପାଇ ସମ୍ପ୍ରତି ୨୬ରେ ପହଂଚିଛି। ସୌଭାଗ୍ୟ ପଦକ୍ଷେପ ଅନ୍ତର୍ଗତ ଆବାସ ବିଦ୍ୟୁତୀକରଣ କ୍ଷେତ୍ରରେ ପ୍ରଗତିକୁ ସମୀକ୍ଷା କରାଯାଇଥିଲା। ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶେଷ ମାଇଲ ସଂଯୋଗ ଉପରେ ଆଲୋଚନା କରାଯାଇଥିଲା। ନୂତନ ଓ ଅକ୍ଷୟ ଶକ୍ତିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ସ୍ଥାପିତ କ୍ଷମତା ବୃଦ୍ଧିପାଇ ପାଖାପାଖି ଦ୍ୱିଗୁଣିତ ହୋଇଛି। ୨୦୧୩-୧୪ରେ ଏହା ୩୫.୫ ଗିଗାୱାଟ ଥିଲା ବେଳେ ୨୦୧୭-୧୮ରେ ଏହା ପାଖାପାଖି ୭୦ ଗିଗାୱାଟରେ ପହଂଚିଛି। ସୌର ଶକ୍ତି କ୍ଷେତ୍ରରେ ସ୍ଥାପିତ କ୍ଷମତା ଏହି ସମୟ ମଧ୍ୟରେ ୨.୬ ଗିଗାୱାଟରୁ ୨୨ ଗିଗାୱାଟରେ ପହଂଚିଛି। ପଦାଧିକାରୀମାନେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ଭାରତ ସଠିକ ରାସ୍ତାରେ ଅଛି ଏବଂ ୨୦୨୨ ସୁଦ୍ଧା ସହଜରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରାଯାଇ ପାରିବ।

ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରେରିତ କରିଥିଲେ ଯେ ସୌର ପମ୍ପ, ବ୍ୟବହାର ସୁଲଭ ସୌର ରନ୍ଧନ ସମାଧାନ ପନ୍ଥା ଆଦି ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି କ୍ଷମତାର ବୃଦ୍ଧିର ଲାଭ କୃଷକମାନଙ୍କ ପାଖରେ ପହଂଚିବା ନେଇ ସେମାନେ ନିଶ୍ଚିତ କରନ୍ତୁ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ସହଜରେ ହାସଲ କରାଯାଇ ପାରିବ। କୋଇଲା କ୍ଷେତ୍ରରେ ଉତ୍ପାଦନ କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *