ଲୋନ କରାଇବାକୁ କହି ମହିଳାଙ୍କ ଜମି ନେଇଗଲେ!

 

ତାଳଚେର, ୧୨/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମର ଆଦିବାସୀ ମହିଳା ବୁଦ୍ଦେଇ ଖଟୁଆଙ୍କ ଜମିକୁ ଜନୈକ ବ୍ୟକ୍ତି ଚଂଚକତାର ସହ ନିଜ ନାମରେ କରିଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ଉକ୍ତ ମହିଳା ପ୍ରଶାସନ ନିକଟରେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ଅଭିଯୋଗ କରିଆସୁଥିଲେ ମଧ୍ୟ ସେ ହରାଇଥିବା ଜମିକୁ ଫେରି ପାଇପାରୁ ନାହାନ୍ତି।

ସୂଚନାରୁ ପ୍ରକାଶ, ତାଳଚେର ତହସିଲ ଅନ୍ତର୍ଗତ ମିଟୁଆଣି ମୈାଜାର ୨.୭୪୦ ଏକର ତଇଳା-୧ ଜମି ବୁଦ୍ଦେଇ ଖଟୁଆଙ୍କ ନାମରେ ରହିଥିଲା। ତେବେ ବୁଦ୍ଦେଇ ଓ ତାଙ୍କ ପରିବାରକୁ ଲୋନ୍ କରାଇ ଦେବାର ଆଶା ଦେଖାଇ ଜନୈକ ବ୍ୟକ୍ତି ଚକ୍ରାନ୍ତ କରି ତାଙ୍କର ଉକ୍ତ ଜମିକୁ ଅନ୍ୟକୁ ବିକ୍ରୀ କରାଇ ଦେଇଥିଲେ। ଉକ୍ତ ବ୍ୟକ୍ତି ଜଣକ ବୁଦ୍ଦେଇଙ୍କ ଅଜ୍ଞତାର ସୁଯୋଗ ନେଇ ତାଳଚେର ତହସିଲ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର କରାଯାଇ ଉକ୍ତ ଜମିକୁ ଉମେଶ ଚନ୍ଦ୍ର ଗଡ଼ନାୟକଙ୍କ ନାମରେ କରି ଦେଇଥିଲେ। ବୁଦ୍ଦେଇ ଖଟୁଆ ସଅର ଜାତିର ତଥା ଜନଜାତି ବର୍ଗର ଅଟନ୍ତି। ଆଇନତଃ ଜନଜାତି ଲୋକଙ୍କର ଜମିକୁ ସାଧାରଣ ବର୍ଗର ଲୋକେ କିଣିବା ନେଇ ପ୍ରତିବନ୍ଧକ ରହିଛି। ତେବେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏପରି କିଣାବିକା କରାଯାଇଛି। କୈାଶଳକ୍ରମେ ଉକ୍ତ ମହିଳା ଏବଂ ତାଙ୍କ ପୁଅ ଝିଅଙ୍କର ଟିପ ଚିହ୍ନ ଏବଂ ସ୍ୱାକ୍ଷର ନେଇ ପ୍ରାୟ ୩ ଏକର ବିଶିଷ୍ଟ ଜମିକୁ ତାଙ୍କଠାରୁ ଛଡ଼ାଇ ନିଆଯାଇଛି ବୋଲି ମହିଳା ଜଣକ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

ତେବେ ଏ ନେଇ ମହିଳା ଜଣକ ବହୁ ଦିନ ପରେ ତାଙ୍କର ଜମିଗୁଡ଼ିକ ହଡ଼ପ ହୋଇଯାଇଥିବାର ଜାଣିପାରି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ସେ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କର ଜମି ଫେରାଇବାକୁ କୈାଣସି ପଦକ୍ଷେପ ନିଆଯାଉନାହିଁ। ସେହିପରି ମହିଳା ଜଣକ ଏ ସମ୍ପର୍କରେ ଏସ୍.ସି ଏସ୍.ଟି କମିଶନ, ମୁଖ୍ୟମନ୍ତ୍ରୀ. ତହସିଲଦାର, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାଇ ଥିବାର ପ୍ରକାଶ କରିଛନ୍ତି। ସୋମବାର ଦିନ ତାଳଚେର ପଂଚାୟତ ସମିତି ସଭାଘରଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ସେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପୁଣିଥରେ ସେ ଗୁହାରୀ କରିଛନ୍ତି। ତାଙ୍କ ଜମି ଫେରି ନପାଇଲେ ସେ ଆତ୍ମହତ୍ୟା କରିବେ ବୋଲି ଉପସ୍ଥିତ ଗରମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।

ଅପରପକ୍ଷରେ ଉପଜିଲ୍ଳାପାଳ ନିଜ ବକ୍ତବ୍ୟରେ ଆଗାମୀ ୨୮ତାରିଖରେ ତାଙ୍କ କୋର୍ଟ ରୁମ୍ କୁ ଉଭୟ ପକ୍ଷଙ୍କୁ ଡକାଇ ମାମଲାର ଶୁଣାଣି କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।

 

Leave a Reply

Your email address will not be published. Required fields are marked *