ଲୋକ ସଂସ୍କୃତିର ଉତ୍ସବ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ଘାଟନ

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର୍ ଜିଲ୍ଲା ସଂସ୍କୃତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଲୋକନୃତ୍ୟ ଓ ସଂଗୀତର ଉତ୍ସବ – ଲୋକ ମହୋତ୍ସବର ୨୨ ତମ ସଂସ୍କରଣ ଆଜି ସ୍ଥାନୀୟ ପିଏଚ୍ଡ଼ି ପଡ଼ିଆଠାରେ ଉଦ୍ଘାଟିତ ହୋଇଛି। ପୂର୍ବାହ୍ନରେ ଏହି ଅବସରରେ ଅଧିଷ୍ଠାତ୍ରୀ ସମଲେଶ୍ୱରୀଙ୍କ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଲ ସମର୍ଥ ବର୍ମା, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଆୟୋଜନ କମିଟିର ସଂଯୋଜକ ଡ. ଦ୍ୱାରିକାନାଥ ନାୟକ, ନୋଡ଼ାଲ୍ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଲ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ବିର୍ସା ମଇଦାନ୍ର ଅଡ଼ିଟରିଅମ୍ରେ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା। ଏଥିରେ ୨ଶହ ଫଟୋ, ୩ଶହ ବିଭିନ୍ନ ପ୍ରକାରର କଳାକୃତି ଏବଂ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ସଂଖ୍ୟକ ଚିତ୍ର ସ୍ଥାନ ପାଇଛି।

ସନ୍ଧ୍ୟାରେ ପାରମ୍ପରିକ ୧୬ କୁଠି ଶୈଳୀରେ ଲୁପ୍ତପ୍ରାୟ ବାନ୍ଧକଳା ଏବଂ ଅନ୍ୟାନ୍ୟ କାରୁକାର୍ଯ୍ୟରେ ପ୍ରତିଫଳିତ ଭବ୍ୟ ମଣ୍ଡପରେ ସମ୍ବଲପୁର ଲୋକ ମହୋତ୍ସବ ଉଦ୍ଘାଟିତ ହେଉଛି। ଜିଲ୍ଲାପାଲ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ, ପରିବାରକଲ୍ୟାଣ ଏବଂ ଆଇନ୍ମନ୍ତ୍ରୀ ପ୍ରତାପ୍ ଜେନା, ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପଶ୍ଚିମ ଓଡ଼ିଶା ବିକାଶ୍ ପରିଷଦର ଅଧ୍ୟକ୍ଷ କିଶୋର କୁମାର୍ ମହାନ୍ତି, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଏସ୍.ପି. ସଞ୍ଜିବ୍ ଅରୋରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଭବ୍ୟ ସ୍ମରଣିକା ପ୍ରକାଶ ପାଇଛି। ଶଙ୍ଖ ଏବଂ ଘଂଟର ତାଳେ ତାଳେ ଏହି ତିନିଦିବସୀୟ ମହୋତ୍ସବ ଉଦ୍ଘାଟିତ ହୋଇଥିଲା। ଲୋକ ଗୀତ କାର୍ଯ୍ୟକ୍ରମ ଉତାରୁ ବର୍ଗଡ଼୍ ପଦମ୍ପୁର୍ର କଳାକାର୍ମାନେ ଡାଲ୍ଖାଇ, ଜାମ୍ମୁ ଓ କାଶ୍ମୀର ରୁଫ୍, ଭବାନୀପାଟ୍ଣାର କଳାକାର ଘୁମ୍ରା, ଛତିଶଗଡ୍ର କଳାକାର୍ କଣ୍ଠି, ସମ୍ବଲପୁର କଳାକେନ୍ଦ୍ରର କଳାକାର୍ମାନେ ସମ୍ବଲପୁରୀ, ପଶ୍ଚିମବଙ୍ଗର କଳାକାରମାନେ ପୁରୁଲିଆ ଛଉ, ବର୍ଗଡ଼୍ କୁମ୍ଭାରୀର କଳାକାର୍ ଶବ୍ଦନୃତ୍ୟ, ସମ୍ବଲପୁର ନଟରାଜ୍ ଅନୁଷ୍ଠାନ୍ ବଜ୍ନିଆ, ଆସାମ୍ର ବିହୁ, ପୁରୀର ଗୋଟିପୁଅ, ଭବାନୀପାଟଣାର ବଜାଶାଲ୍, ରାଜସ୍ଥାନ୍ର କାଲ୍ବେଲିଆ, ପଞ୍ଜାବର ଭାଙ୍ଗ୍ଡ଼ା ଏବଂ ନେପାଲ୍ର କଳାକାର୍ମାନେ ସେଠାର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ରତନ କୁମାର୍ ପୂଜାରୀଙ୍କ ସଂଯୋଜନାକ୍ରମେ ଲୋକ ଗୀତ କାର୍ଯ୍ୟକ୍ରମରେ ସମ୍ବଲପୁରର ବିଭୂତି ଭୂଷଣ ପଟ୍ଟନାୟକ, ବରଗଡର ରୀନା ଦାସ, ନକ୍ସାପାଲିର ଚେତନାମୟୀ ବେହେରା ଏବଂ କୁଚିଣ୍ଡାର ବିନାୟକ ସାହୁ ସମ୍ବଲପୁରୀ ପାରମ୍ପାରିକ ସଂଗୀତା ସମ୍ଭାରର ବିଭିନ୍ନ ଶୈଳୀର ଗୀତା ପରିବେଷଣ କରିଥିଲେ। ଇଶ୍ୱର ବେହେରା, କପିଳେନ୍ଦ୍ର ସାହୁ, କ୍ଷିତିଶ ବାଗ୍, ଶଙ୍କର ପ୍ରଧାନ୍, କୈଲାସ ଚାଁର୍, ପ୍ରୟାଗ୍ରାଜ୍ ବେହେରା, ଦଶରଥ ମେହେର, ଏସ୍. ନିରଞ୍ଜନ୍, ସୋମନାଥ୍ ଜାଲ୍, ବିଶ୍ୱନାଥ ଜାଲ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ। ଆଜି ପ୍ରଥମ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଛି।

Leave a Reply

Your email address will not be published. Required fields are marked *