ରାଞ୍ଚି ୫-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଶୁଣାଣି ଶେଷ ହୋଇଛି। ଆସନ୍ତା କାଲି ଅପରାହ୍ନ ୨ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହେବ ବୋଲି ଲାଲୁଙ୍କ ଓକିଲ ଚିତ୍ତରଂଜନ ସିହ୍ନା ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟଯେ, ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୧୬ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦେବଘର କୋଷାଗାରରୁ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୩ ଡିସେମ୍ୱର, ୨୦୧୭ରେ ଦୋଷୀ ମାନିଥିଲେ। ଏହି ମାମଲାର ଦଣ୍ଡାଦେଶର ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଶୁଣାଣି ହୋଇଥିଲା।
ଲାଲୁ ବର୍ତ୍ତମାନ ରାଞ୍ଚିର ବିରସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ବନ୍ଦ ଅଛନ୍ତି। ଏହି ମାମଲା ଅବିଭାଜିତ ବିହାରର ଦେବଘର କୋଷାଗାରରୁ ୮୯.୪ ଲକ୍ଷ ଟଙ୍କାର ଅବୈଧ ଉଠାଣ ସମ୍ବନ୍ଧିତ। ଅଭିଯୁକ୍ତମାନଙ୍କ ମଧ୍ୟରେ ଲାଲୁଙ୍କ ସହିତ ଚାରିଜଣ ରାଜନୈତିକ ନେତା, ପଶୁପାଳନ ବିଭାଗର ପାଞ୍ଚ ଜଣ ଅଧିକାରୀ ଏବଂ ଆଠ ଆପୂର୍ତିକର୍ତ୍ତା ସାମିଲ ଅଛନ୍ତି। ଅବୈଧ ଉଠାଣ ପଶୁ ଚାରା, ଔଷଧ, ତଥା ପଶୁପାଳନ ସମ୍ୱନ୍ଧିତ ଉପକରଣର କ୍ରୟ ଏବଂ ବିଭିନ୍ନ ପଶୁପାଳନ କେନ୍ଦ୍ରରେ ଆପୂର୍ତି ଏବଂ ଅନ୍ୟ କାରଣ ପାଇଁ ଉଠାଇ ଥିଲେ। ସିବିଆଇର ଜାଞ୍ଚରେ ଏହା ସମସ୍ତ ବ୍ୟୟ ଫର୍ଜି ମିଳିଥିଲା।
ପୁନଶ୍ଟ ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଂଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ ମଧ୍ୟ କରିଛନ୍ତି ଲାଲୁ ପ୍ରସାଦ ଯାଦବ। ଏଥିସହ କୋର୍ଟରେ ମେଡିକାଲ ରିପୋର୍ଟ ଦାଖଲ କରି ସର୍ବନିମ୍ନ ସଜା ପାଇଁ ଅନୁରୋଧ କରିଛନ୍ତି। ଜେଲରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ମଧ୍ୟ ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଲାଲୁଙ୍କୁ ସର୍ବାଧିକ ୭ ବର୍ଷ ଓ ସର୍ବନିମ୍ନ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ।
