ଲାଗିଲା କଳସ ଓ ରଥକନା, ଓଲଟ ଶୁଆ

ପୁରୀ:୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥକଳାରେ ତିନି ରଥର ମହାରଣା ସେବକ ଓ ଭୋଇ ସେବକ ଶେଷ ସ୍ପର୍ଷ ଦେଇଛନ୍ତି। ଆଜି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ କଳସ ଉଠିଛି। ତିନି ରଥରେ କଳସ ଉଠିବା ପରେ ପରମ୍ପରା ମୁତାବକ ଆଜି ଭୋଇ ସେବକମାନେ ହରିବୋଲ ପକାଇଛନ୍ତି। ଏଥି ସହ ଓଲଟ ଶୁଆ ଓ ଅନ୍ୟାନ୍ୟ କାମ ବି ଆଜି ଶେଷ ହୋଇଛି। କଳସ ସହ ଓଲଟ ଶୁଆକୁ ତିନି ରଥରେ ଶୀର୍ଷରେ ସ୍ଥାପନ କରାଯାଇଛି। ଅଁଳା ସଂଯୋଗ କାମ ବି ଶେଷ ହୋଇଛି। ସିଂହାସନ ପାଇଁ ପିତଳ ଚାଦର ବାଡ଼ିଆ ଆରମ୍ଭ ହୋଇଛି।ଆଜି ପ୍ରଥମ ଥର ପାଇଁ ତିନି ରଥରେ କନା ସଂଯୋଗ ଆରମ୍ଭ ହୋଇଛି।ପ୍ରାଥମିକ ପର୍ଯ୍ୟାୟରେ ତିନି ରଥରେ ଦୁଆର ବେଢା କନା ଲଗାଯାଇଛି। ପ୍ରଥମ ଥର ପାଇଁ ରଥ ଉପରେ ଦରଜୀ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ସେପଟେ ରଥକୁ ଅଟକାଇବା ପାଇଁ ବ୍ରେକ୍ ଭଳି କାମ କରୁଥିବା ଆବଶ୍ୟକ କାଠ କାମ ବି ଆଗେଇ ଚାଲିଛି। ତିନି ରଥରେ ରୂପକାର ସେବକମାନେ ଘୋଡ଼ା ସଂଯୋଗ କରିବାର ପରମ୍ପରା ରହିଥିବା ବେଳେ ଏ ନେଇ ଆବଶ୍ୟକ କାଠ ପ୍ରସ୍ତୁତ ହୋଇଛି। ଦୋଳଦେବୀ କମାରଶାଳରେ ଆବଶ୍ୟକ କଣ୍ଟା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଚିଂଥିବା ବେଳେ ଶେଷ ପର୍ଯ୍ୟାୟରେ ପ୍ରଭା କଣ୍ଟା ବାଡ଼ିଆ ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଚିତ୍ରକାର ସେବକମାନେ ତିନି ରଥ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ରଙ୍ଗ ଦେବା କାମକୁ ଆଗେଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *